ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଝାଡ଼ଖଣ୍ଡର କଂଗ୍ରେସ ସାଂସଦ ଧୀରଜ ପ୍ରସାଦ ସାହୁଙ୍କ ପରିବାର ସହ ଜଡିତ ଦେଶୀ ମଦ ଭାଟିରୁ ଶହ ଶହ କୋଟି ଟଙ୍କା ମିଳିବା ଘଟଣା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣାରେ କଂଗ୍ରେସ ଧୀରଜଙ୍କ ଠାରୁ ଦୁରେଇ ରହୁଥିବାବେଳେ ବିଜେପି ପକ୍ଷରୁ କଂଗ୍ରେସକୁ କଡା ଟାର୍ଗେଟ ଜାରି ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ଘଟଣାରେ ପ୍ରତିକ୍ରିୟା ରଖିସାରିଥିବା ବେଳେ ଆଜି ଏହି ଧାରାରେ ଯୋଡ଼ି ହୋଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା।
କଂଗ୍ରେସ ସାଂସଦ ଧୀରଜ ପ୍ରସାଦ ସାହୁଙ୍କ ଉଦ୍ଦେଶ୍ୟରେ ଶ୍ରୀ ନଡ୍ଡା ତାଙ୍କ ‘X’ ହ୍ୟାଣ୍ଡେଲରେ ଲେଖିଛନ୍ତି, ବନ୍ଧୁ ଜବାବ ତ ଦେବାକୁ ପଡ଼ିବ, ତୁମକୁ ଓ ତୁମ ନେତା ରାହୁଲ ଗାନ୍ଧୀଙ୍କୁ ମଧ୍ୟ। ଏହା ହେଉଛି ନୂଆ ଭାରତ। ଏଠାରେ ରାଜପରିବାର ନାଁରେ ଲୋକଙ୍କୁ ଶୋଷଣ କରିବାକୁ ଦିଆଯିବ ନାହିଁ। ଦୌଡ଼ି ଦୌଡ଼ି ଥକିଯିବ, କିନ୍ତୁ ଆଇନ ତୁମକୁ ଛାଡ଼ିବ ନାହିଁ।
ନଡ୍ଡା ଆହୁରି ଲେଖିଛନ୍ତି, ଯଦି କଂଗ୍ରେସ ଦୁର୍ନୀତିର ଗ୍ୟାରେଣ୍ଟି, ତା’ହେଲେ ମୋଦିଜୀ ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନର ଗ୍ୟାରେଣ୍ଟି। ଜନତାଙ୍କଠାରୁ ଯେତିକି ଲୁଟିଛ ସବୁ ଫେରାଇବାକୁ ପଡ଼ିବ।
https://x.com/JPNadda/status/1733720081371439498?s=20
ସୂଚନାଯୋଗ୍ୟ ଯେ, ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ଘଟଣାରେ କଂଗ୍ରେସକୁ ଟାର୍ଗେଟ କରିଥିଲେ । ମୋଦି ତାଙ୍କ ‘X’ ହ୍ୟାଣ୍ଡେଲରେ ଲେଖିଥିଲେ, “ଦେଶବାସୀ ଏ ନୋଟର ପାହାଡ଼କୁ ଦେଖନ୍ତୁ ଓ ଏହାପରେ ତାଙ୍କ ନେତମାନଙ୍କ ’ସଚ୍ଚୋଟତା’ର ଭାଷଣ ଶୁଣନ୍ତୁ। ଜନତାଙ୍କ ଠାରୁ ଯାହା ଲୁଟା ଯାଇଛି, ତାକୁ ଗୋଟି ଗୋଟି କରି ଫେରାଇବାକୁ ପଡ଼ିବ। ଏହା ମୋଦିଙ୍କର ଗ୍ୟାରେଣ୍ଟୀ।”