ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ତେଲେଙ୍ଗାନା ବିଧାନସଭା ପାଇଁ ଆଜି ଭୋଟ ଗ୍ରହଣ ଶେଷ ହୋଇଛି । ସଂଧ୍ୟା ୫ଟା ସୁଦ୍ଧା ୬୩.୯୪ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି । ଇତି ମଧ୍ୟରେ ଏହି ନିର୍ବାଚନ ପାଇଁ ବିଭିନ୍ନ ସଂସ୍ଥା ପକ୍ଷରୁ ବୁଥ ବାହୁଡ଼ା ମତ ବା ଏକଜିଟ୍ ପୋଲ ରିପୋର୍ଟ ପ୍ରକାଶ ପାଇଛି । ଏସବୁ ରିପୋର୍ଟ ଅନୁସାରେ ରାଜ୍ୟରେ କଂଗ୍ରେସ୍ ଓ ଭାରତ ରାଷ୍ଟ୍ର ସମିତି (ବିଆରଏସ) ମଧ୍ୟ କଡ଼ା ଟକ୍କର ଦେଖିବାକୁ ମିଳିପାରେ । ତେବେ ଏକଜିଟ୍ ପୋଲ ଅନୁସାରେ କଂଗ୍ରେସ ଟିକିଏ ଆଗୁଆ ଥିବା ସଂକେତ ମିଳୁଛି । ରାଜ୍ୟରେ ମୋଟ ୧୧୯ଟି ଆସନରେ ଭୋଟ ଗ୍ରହଣ ହୋଇଥିବାବେଳେ ବହୁମତ ପାଇଁ ୬୦ଟି ଆସନ ଆବଶ୍ୟକ ।
ଟୁଡେସ୍ ଚାଣକ୍ୟର ଏକଜିଟ୍ ପୋଲ ଅନୁସାରେ ରାଜ୍ୟରେ କଂଗ୍ରେସ ୭୧ଟି ଆସନ ଜିତିବାକୁ ଥିବାବେଳେ ବିଆରଏସ ୩୩ଟି ଆସନ ଜିତିବ। ବିଜେପି ୭ଟି ଆସନ ଜିତିବ । ରିପବ୍ଲିକ ଟିଭି-ମାଟ୍ରିଜ୍ ଅନୁସାରେ କଂଗ୍ରେସ ୫୮ରୁ ୬୮ଟି ଆସନ ଜିତିବ ଓ ବିଆରଏସ ୪୬-୫୬ଟି ଆସନ ଓ ବିଜେପି ୪ରୁ ୯ଟି ଆସନ ଜିତିବ। ସେହିପରି ଇଣ୍ଡିଆ ଟିଭି-ସିଏନଏକ୍ସର ଆକଳନ ଅନୁସାରେ କଂଗ୍ରେସ ୬୩ରୁ ୭୯ଟି ଆସନ ଜିତିବ ଓ ବିଆରଏସ ୩୧-୪୭ଟି ଆସନ ଓ ବିଜେପି ୨ରୁ ୪ଟି ଆସନ ଜିତିବ। ଜନକି ବାତ୍ ରିପୋର୍ଟ ଅନୁସାରେ କଂଗ୍ରେସ ୪୮ରୁ ୬୪ଟି ଆସନ ଜିତିବ ଓ ବିଆରଏସ ୪୦-୫୫ଟି ଆସନ ଓ ବିଜେପି ୭ରୁ ୧୩ଟି ଆସନ ଜିତିବ।