ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ, ତେଲେଙ୍ଗାନା ଏବଂ ମିଜୋରାମରେ ହୋଇଥିବା ବିଧାନସଭା ନିର୍ବାଚନ ଲାଗି ଶେଷ ପର୍ଯ୍ୟାୟ ମତଦାନ ଆଜି ଶେଷ ହୋଇଥିବା ବେଳେ ଫଳାଫଳ ଡିସେମ୍ବର ୩ରେ ପ୍ରକାଶ ପାଇବ। ତେବେ ଆଜି ବିଭିନ୍ନ ଗଣମାଧ୍ୟମ ସଂସ୍ଥା ଓ ମାର୍କେଟ୍ ରିସର୍ଚ୍ଚ ଏଜେନ୍ସି ପକ୍ଷରୁ କରାଯାଇଥିବା ଏକଜିଟ୍ ପୋଲ୍ ବା ବୁଥ ବାହୁଡ଼ା ମତ ପ୍ରକାଶ ପାଇଛି। କେଉଁ ରାଜ୍ୟରେ କେଉଁ ଦଳ କ୍ଷମତାକୁ ଆସିବ, ପୂର୍ବରୁ କ୍ଷମତାରେ ଥିବା ଦଳ ପୁଣି ରାଜ୍ୟ ସମ୍ଭାଳିବେ ନା ନୂଆ ଦଳ ରାଜ୍ୟର ଦାୟିତ୍ବ ହାତକୁ ନେବେ ତାହାର ଏକ ସମ୍ଭାବ୍ୟ ଦୃଶ୍ୟପଟ୍ଟ ସାମ୍ନାକୁ ଆସିଛି। ଯଦିଓ ଅନେକ ସମୟରେ ବୁଥ୍ ବାହୁଡା ମତ ଅନୁସାରେ ପ୍ରକୃତ ଫଳାଫଳ ମେଳ ଖାଏ ନାହିଁ, କିନ୍ତୁ ଏହାକୁ ଚୂଡ଼ାନ୍ତ ଫଳାଫଳର ଏକ ସାଙ୍କେତିକ ଚିତ୍ର ବୋଲି ବିବେଚନା କରାଯାଏ।
ତେବେ ରାଜସ୍ଥାନରେ ମୋଟ ୨୦୦ଟି ଆସନ ଥିବାବେଳେ ୧୯୯ଟିରେ ଭୋଟ ଗ୍ରହଣ ହୋଇଥିଲା । ବିଭିନ୍ନ ସଂସ୍ଥାମାନଙ୍କ ଦ୍ବାରା କରାଯାଇଥିବା ଏକଜିଟ୍ ପୋଲ ଅନୁସାରେ ଏହି ରାଜ୍ୟରେ ପୁରୁଣା ଟ୍ରେଣ୍ଡ ବଜାୟ ରହିବ। ଅର୍ଥାତ ପ୍ରତି ପାଞ୍ଚ ବର୍ଷରେ କ୍ଷମତା ପରିବର୍ତ୍ତନର ଧାରା ଜାରି ରହିପାରରେ। ବିଜେପି କ୍ଷମତାକୁ ଆସିବାର ସମ୍ଭାବନା ରହିଛି । ଦୈନିକ ଭାସ୍କରର ରିପୋର୍ଟ ଅନୁସାରେ ବିଜେପି ୯୮ରୁ ୧୦୫ଟି ଆସନ, କଂଗ୍ରେସ ୮୫ରୁ ୯୫ଟି ଆସନ ଜିତିବ । ସେହିପରି ଜନକି ବାତର ପୂର୍ବାନୁମାନ ଅନୁସାରେ ବିଜେପି ୧୦୦ରୁ ୧୨୨ଟି ଆସନ ଜିତିବ, କଂଗ୍ରେସ ୬୨ରୁ ୮୫ଟି ଆସନ ଜିତିବ । ଇଣ୍ଡିଆ ଟୁଡେ-ଆକ୍ସିସ ମାଇ ଇଣ୍ଡିଆର ପୂର୍ବାନୁମାନ ଅନୁସାରେ ବିଜେପି ୮୦ରୁ ୧୦୦ଟି ଆସନ, କଂଗ୍ରେସ ୧୦୦ରୁ ୧୦୬ଟି ଆସନ ଜିତିବାର ସମ୍ଭାବନା ରହିଛି । ପି-ମାର୍କ୍ୟୁର ରିପୋର୍ଟ ଅନୁସାରେ ବିଜେପି ୧୦୫ରୁ ୧୨୫ଟି ଆସନ ଜିତିବ, କଂଗ୍ରେସ ୬୯ରୁ ୯୧ଟି ଆସନ ଜିତିବ ।
ତେବେ ଡିସେମ୍ବର ୩ ତାରିଖରେ ୫ଟି ରାଜ୍ୟରେ ଭୋଟ ଗଣତି ପରେ କେଉଁ ରାଜ୍ୟରେ କିଏ ସରକାର ଗଢ଼ିବ ଓ କାହାର ଯାଦୁ କାମ କରିବ ତାହା ସ୍ପଷ୍ଟ ହୋଇଯିବ।