ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଯୁବଗାଳ୍ପିକ ଡିଲେଶ୍ୱର ରଣା ୨୦୨୩ ବର୍ଷ ପାଇଁ ‘କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର’ ପାଇବେ। ସେ ତାଙ୍କ ଗଳ୍ପ ସଙ୍କଳନ ‘ସେଁରରା’ ପାଇଁ ଏହି ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏ ସଂପର୍କରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ସଚିବ କେ.ଶ୍ରୀନିବାସ ରାଓ ସୂଚନା ଦେଇଛନ୍ତି। ଏହି ପୁରସ୍କାରର ଚୂଡ଼ାନ୍ତ ପର୍ଯ୍ୟାୟର ବିଚାରକ ଥିଲେ ବିଶିଷ୍ଟ ଲେଖକ ଡକ୍ଟର ବିଭୂତି ପଟ୍ଟନାୟକ, ଗୋବିନ୍ଦ ଚନ୍ଦ୍ର ଚାନ୍ଦ ଓ ଦାଶ ବେନହୁର। ପୁରସ୍କାର ବାବଦକୁ ଏକ ସ୍ୱତନ୍ତ୍ର ଉତ୍ସବରେ ଶ୍ରୀ ରଣାଙ୍କୁ ୫୦ ହଜାର ଟଙ୍କାର ଚେକ୍, ଫଳକ ଏବଂ ଉପଢୌକନ ପ୍ରଦାନ କରାଯିବ ବୋଲି ସାହିତ୍ୟ ଏକାଡେମୀ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ପ୍ରତିବର୍ଷ ଦେଶର ଭିନ୍ନ ଭିନ୍ନ ଭାଷାରେ ୩୫ ବର୍ଷ ମଧ୍ୟରେ ଥିବା ଯୁବ ଲେଖକମାନଙ୍କୁ ପ୍ରୋତ୍ସାହିତ କରିବାକୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଇ ଆସୁଛି।