ସାମ୍ବାଦିକା ସୌମ୍ୟା ବିଶ୍ୱନାଥନ ହତ୍ୟା ମାମଲା; ୪ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ସାମ୍ବାଦିକା ସୌମ୍ୟା ବିଶ୍ୱନାଥନ ହତ୍ୟା ମାମଲାରେ ଦଣ୍ଡ ଘୋଷଣା କରିଛନ୍ତି ଦିଲ୍ଲୀର ସାକେଟ କୋର୍ଟ। ସମସ୍ତ ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ। ଦୋଷୀ ସାବ୍ୟସ୍ତ ହୋଇଥିବା ରବି କପୁର, ଅମିତ ଶୁକ୍ଲା, ବାଲଜିତ ମଲିକ ଏବଂ ଅଜୟ କୁମାର (ଛଦ୍ମନାମ)ଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଏଥିସହ ରବି କପୁର, ଅମିତ ଶୁକ୍ଲା, ବାଲଜିତ ମଲିକ ଏବଂ ଅଜୟ କୁମାର ଛଦ୍ମନାମ ଅଜୟଙ୍କ ଉପରେ ୧ ଲକ୍ଷ ୨୫ ହଜାର ଟଙ୍କା ଜରିମାନା ମଧ୍ୟ କରାଯାଇଛି।ଏହି ମାମଲାରେ ଦୋଷୀଙ୍କୁ ଦଣ୍ଡ ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ ସାକେତ କୋର୍ଟ।

ଗତ ୨୦୦୮ ସେପ୍ଟେମ୍ବର ୩୦ରେ ଦିଲ୍ଲୀର ନେଲସନ ମଣ୍ଡେଲା ରୋଡରେ ସୌମ୍ୟା ବିଶ୍ୱନାଥନଙ୍କୁ ହତ୍ୟା କରାଯାଇଥିଲା। ସେହି ସମୟରେ ସୌମ୍ୟା ନାଇଟ୍ ସିଫ୍ଟ କରିବା ପରେ ଅଫିସରୁ ଘରକୁ ଫେରୁଥିଲେ। ପୋଲିସ ତାଙ୍କ କାରରେ ସୌମ୍ୟାଙ୍କ ମୃତଦେହ ଜବତ କରିଥିଲା। ଏହି ହତ୍ୟାକାଣ୍ଡର ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ରହସ୍ୟର ଉନ୍ମୋଚନ କରିବାକୁ ପୋଲିସକୁ ପ୍ରାୟ ୬ ମାସ ସମୟ ଲାଗିଥିଲା।

ତାଙ୍କ ହତ୍ୟା ଉଦ୍ଦେଶ୍ୟ ଡକାୟତି ବୋଲି ପୋଲିସ କହିଥିଲା। ଏହି ହତ୍ୟା ମାମଲାରେ ରବି କପୁର, ଅମିତ ଶୁକ୍ଲା, ବାଲଜିତ ମଲିକ, ଅଜୟ କୁମାର ଏବଂ ଅଜୟ ସେଠୀଙ୍କୁ ଗିରଫ କରାଯାଇଥିଲା ଏବଂ ମାର୍ଚ୍ଚ ୨୦୦୯ ଠାରୁ ସେମାନେ ଜେଲରେ ଥିଲେ। ଅଭିଯୁକ୍ତଙ୍କ ଉପରେ ପୋଲିସ MCOCA ଲଗାଇଥିଲା। ୨୦୦୯ରେ ଆଇଟି ପ୍ରଫେସନାଲ ଜିଗିଶା ଘୋଷଙ୍କ ହତ୍ୟା ମାମଲାରେ ମଲିକ ଏବଂ ଅନ୍ୟ ଦୁଇ ଅଭିଯୁକ୍ତ ରବି କପୁର ଏବଂ ଅମିତ ଶୁକ୍ଲା ଦୋଷୀ ସାବ୍ୟସ୍ତ ହୋଇଥିଲେ।

Related Posts