ବଢିଲା ମହୁଆଙ୍କ ଅଡ଼ୁଆ; ଟଙ୍କା ନେଇ ସଂସଦରେ ପ୍ରଶ୍ନ କରିବା ମାମଲାରେ ତଦନ୍ତ ଆରମ୍ଭ କଲା ସିବିଆଇ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଟଙ୍କା ନେଇ ସଂସଦରେ ପ୍ରଶ୍ନ ପଚାରିବା ମାମଲାରେ ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ଅସୁବିଧା ବଢ଼ିବାରେ ଲାଗିଛି। ଏବେ ସିବିଆଇ ଏହି ମାମଲାରେ ଏକ ପିଇ ରୁଜୁ କରି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ଏହି ମାମଲା ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ବିଜେପି ସାଂସଦ ନିଶିକାନ୍ତ ଦୁବେ ସୁପ୍ରିମକୋର୍ଟଙ୍କ ଓକିଲ ଜୟ ଅନନ୍ତ ଦେହାଦ୍ରୀଙ୍କ ଏକ ଚିଠିକୁ ଉଦାହରଣ ଦେଇ ଟିଏମସି ସାଂସଦଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣି ଲୋକପାଳଙ୍କ ନିକଟରେ ତଦନ୍ତ ଦାବି କରିଥିଲେ। ସେ ଦାବି କରିଥିଲେ ଯେ ଟିଏମସି ସାଂସଦ ସଂସଦରେ ପ୍ରଶ୍ନ ପଚାରିବା ପାଇଁ ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କଠାରୁ ଲାଞ୍ଚ ନେଇଥିଲେ।

ଲୋକପାଳଙ୍କ ନିର୍ଦ୍ଦେଶକ୍ରମେ ସିବିଆଇ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି । ମିଳିଥିବା ସୂଚନା ଅନୁସାରେ ସିବିଆଇ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ଏବଂ ତଦନ୍ତର ଫଳାଫଳ ଆଧାରରେ ସାଂସଦଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରାଯିବ କି ନାହିଁ ତାହା ଏଜେନ୍ସି ସ୍ଥିର କରିବ। ପ୍ରାଥମିକ ତଦନ୍ତରେ ସିବିଆଇ କୌଣସି ଅଭିଯୁକ୍ତଙ୍କୁ ଗିରଫ କିମ୍ବା ତଲାସି କରିପାରିବ ନାହିଁ, କିନ୍ତୁ ତଥ୍ୟ ମାଗିପାରିବ, ଦସ୍ତାବିଜ ଯାଞ୍ଚ କରିପାରିବ ଏବଂ ତୃଣମୂଳ ସାଂସଦଙ୍କୁ ପଚରାଉଚରା ମଧ୍ୟ କରିପାରିବ। ଲୋକପାଳଙ୍କ ନିର୍ଦ୍ଦେଶ ଆଧାରରେ ତଦନ୍ତ ଆରମ୍ଭ ହୋଇଥିବାରୁ ଦୁର୍ନୀତି ନିବାରଣ ସଂସ୍ଥାକୁ ରିପୋର୍ଟ ପ୍ରଦାନ କରାଯିବ।

Related Posts