ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଦିନିକିଆ ବିଶ୍ୱକପ ଫାଇନାଲରେ ଭାରତର ପରାଜୟକୁ ନେଇ ଏବେ ସବୁଠି ଆଲୋଚନା। ଏତେ ଭଲ ପ୍ରଦର୍ଶନ ସତ୍ତ୍ୱେ ଦଳ କାହିଁକି ଫାଇନାଲରେ ହାରିଗଲା ତା’ର କାରଣ ଖୋଜୁଛନ୍ତି କ୍ରିକେଟ ବିଶେଷଜ୍ଞ। ମୋଦୀଙ୍କ ସକାଶେ ଭାରତ ହାରିଲା ବୋଲି ରାହୁଲ ଗାନ୍ଧୀ କହିଥିବାବେଳେ ଏବେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଭାରତ ପରାଜୟ ପଛର କାରଣ ଦର୍ଶାଇଛନ୍ତି।
ଅଖିଳେଶ ଯାଦବ କହିଛନ୍ତି, ଯଦି ଫାଇନାଲ୍ ମ୍ୟାଚ୍ ଗୁଜରାଟ ପରିବର୍ତ୍ତେ ଲକ୍ଷ୍ନୌରେ ହୋଇଥାନ୍ତା ତେବେ ଭାରତ ବିଜୟୀ ହୋଇଥାନ୍ତା। ଫାଇନାଲ ମ୍ୟାଚ୍ ଗୁଜରାଟରେ ଖେଳାନଯାଇ ଲକ୍ଷ୍ନୌରେ ଖେଳା ଯାଇଥିଲେ ଟିମ୍ ଇଣ୍ଡିଆକୁ ଅନେକଙ୍କ ଆଶୀର୍ବାଦ ମିଳିଥାନ୍ତା। ସେ ଆହୁରି କହିଛନ୍ତି, ଯଦି ମ୍ୟାଚ୍ ଲକ୍ଷ୍ନୌରେ ହୋଇଥାନ୍ତା, ତେବେ ଖେଳାଳିମାନଙ୍କୁ ଭଗବାନ ବିଷ୍ଣୁଙ୍କ ଆଶୀର୍ବାଦ ସହ ଅଟଳ ବିହାରୀ ବାଜପେୟୀଙ୍କ ଆଶିର୍ବାଦ ମିଳିଥାନ୍ତା ଏବଂ ଭାରତ ବିଜୟୀ ହୋଇଥାନ୍ତା। ଏବେ ଶୁଣିବାକୁ ମିଳୁଛି ଯେ, ପିଚ୍ରେ କିଛି ସମସ୍ୟା ରହୁଛି ବୋଲି ଅଖିଳେଶ ଯାଦବ କହିଛନ୍ତି।
ନଭେମ୍ବର ୧୯ରେ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳା ଯାଇଥିଲା ଦିନିକିଆ ବିଶ୍ୱକପର ଫାଇନାଲ ମ୍ୟାଚ୍। ପୂରା ବିଶ୍ୱକପ ଯାତ୍ରାରେ ୧୦ରୁ ୧୦ ମ୍ୟାଚ୍ ଜିତିଥିବା ଟିମ୍ ଇଣ୍ଡିଆର ମୁକାବିଲା ଅଷ୍ଟ୍ରେଲିଆସହ ହୋଇଥିଲା। ହେଲେ ଅଷ୍ଟ୍ରେଲିଆ ଅତି ସହଜରେ ଭାରତକୁ ମାତ୍ ଦେଇ ଷଷ୍ଠ ଥର ପାଇଁ ବିଶ୍ୱ ବିଜୟୀ ହୋଇଯାଇଛି।