ଦେଶରେ ଏକକ ନିର୍ବାଚନ ଦ୍ଵାରା କେନ୍ଦ୍ରରେ କ୍ଷମତାରେ ଥିବା ଦଳକୁ ଫାଇଦା ମିଳିବ: ରାମନାଥ କୋବିନ୍ଦ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶରେ ଏକକ ନିର୍ବାଚନ ବା ‘ଏକ ଦେଶ, ଗୋଟିଏ ନିର୍ବାଚନ’ କରିବା ପ୍ରସ୍ତାବକୁ ସମର୍ଥନ କରି କହିଛନ୍ତି ଯେ, ଏହା ଦ୍ୱାରା କେନ୍ଦ୍ରରେ କ୍ଷମତାରେ ଥିବା ଯେ କୌଣସି ଦଳକୁ ଫାଇଦା ହେବ, ସେ ବିଜେପି ହେଉ କି କଂଗ୍ରେସ। କୋବିନ୍ଦ ‘ଏକ ଦେଶ, ଏକ ନିର୍ବାଚନ’ ଉପରେ ସରକାରଙ୍କ ଦ୍ୱାରା ନିଯୁକ୍ତ ଉଚ୍ଚସ୍ତରୀୟ କମିଟିର ମୁଖ୍ୟ ଅଛନ୍ତି।

ଉତ୍ତରପ୍ରଦେଶର ରାଏବରେଲିରେ ସାମ୍ବାଦିକମାନଙ୍କ ସହ ଆଲୋଚନା ଅବସରରେ କୋବିନ୍ଦ କହିଛନ୍ତି ଯେ, ସେ ସମସ୍ତ ଜାତୀୟ ଦଳ ସହ କଥା ହୋଇଛନ୍ତି ଏବଂ ଦେଶରେ ଏକକାଳୀନ ନିର୍ବାଚନ ପାଇଁ ସେମାନଙ୍କ ପରାମର୍ଶ ଲୋଡ଼ିଛନ୍ତି। ସବୁ ରାଜନୈତିକ ଦଳ କେବେ ନା କେବେ ଏହାକୁ ସମର୍ଥନ କରିଛନ୍ତି। ଏକକ ନିର୍ବାଚନ ଦ୍ଵାରା ଦେଶର ରାଜସ୍ବ ବଞ୍ଚିବ ଓ ପରବର୍ତ୍ତୀ ସମୟରେ ଏହା ଲୋକଙ୍କ ବିକାଶ ପାଇଁ ଖର୍ଚ୍ଚ ହେବ। ଏହା ଦେଶ ପାଇଁ ଲାଭଦାୟକ ହୋଇଥିବାରୁ ଗଠନମୂଳକ ସମର୍ଥନ ପାଇଁ ଆମେ ସମସ୍ତ ପକ୍ଷଙ୍କୁ ଅନୁରୋଧ କରୁଛୁ। ଏହା ଜାତୀୟ ସ୍ୱାର୍ଥର ବିଷୟ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ଆଇନ ଆୟୋଗ ସୂତ୍ରରୁ କୁହାଯାଇଛି ଯେ, ୨୦୨୪ରେ ଏକକାଳୀନ ନିର୍ବାଚନ ହେବ ନାହିଁ କାରଣ ଏହା ସମ୍ଭବ ନୁହେଁ। ତେବେ ୨୦୨୯ ଲୋକସଭା ନିର୍ବାଚନ ସହିତ ସମସ୍ତ ରାଜ୍ୟ ବିଧାନସଭା ନିର୍ବାଚନ କରିବା ପାଇଁ କମିଟି ଏକ ଫର୍ମୁଲା ଉପରେ କାମ କରୁଛନ୍ତି। ୧୯୫୧-୫୨, ୧୯୫୭, ୧୯୬୨ ଓ ୧୯୬୭ରେ ଦେଶରେ ଏକକାଳୀନ ନିର୍ବାଚନ ହୋଇଥିଲା। ତେବେ ୧୯୭୦ ଡିସେମ୍ବରରେ ଲୋକସଭା ଭଙ୍ଗ ହେବା ପରେ ଅଲଗା ଅଲଗା ନିର୍ବାଚନ ଅନୁଷ୍ଠିତ ହୋଇଥିଲା।

Related Posts