ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଉତ୍ତରାଖଣ୍ଡ ଉତ୍ତରକାଶୀରେ ଗତ ନଭେମ୍ବର 12 ତାରିଖରୁ ଟନେଲ ମଧ୍ୟରେ ଫସି ରହିଛନ୍ତି 41 ଶ୍ରମିକ | ଘଟଣାକୁ 10 ଦିନ ବିତିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ସେମାନଙ୍କୁ ଉଦ୍ଧାର କରାଯାଇପାରିନାହିଁ | ବର୍ତ୍ତମାନ ସେମାନଙ୍କ ନିକଟକୁ ଅକ୍ସିଜେନ ଓ ଏକ 6 ଇଞ୍ଚ ମୋଟା ପାଇପ ଯୋଗେ ଖାଦ୍ୟ ପଦାର୍ଥ ପଠାଯାଉଥିବା ବେଳେ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି | ଆଜି ଟନେଲ ମଧ୍ୟରୁ ଏକ ସ୍ୱତନ୍ତ୍ର କ୍ୟାମେରା ଯୋଗେ ଶ୍ରମିକମାନଙ୍କର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି | ଏଥିରେ ସମସ୍ତେ ସୁସ୍ଥ ଓ ଚଳପ୍ରଚଳ କରୁଥିବା ଦେଖିବାକୁ ମିଳୁଛି | ଉଦ୍ଧାର କାର୍ଯ୍ୟରେ ପ୍ରତିରକ୍ଷା, ବୈଷୟିକ ସହ ଡାକ୍ତରୀ ଟିମ ଲାଗିଥିବାବେଳେ ଏଥିରେ ଓଡ଼ିଶାର ମଧ୍ୟ ଉଲ୍ଲେଖନୀୟ ଅବଦାନ ସାମ୍ନାକୁ ଆସିଛି|
ଶ୍ରମିକମାନଙ୍କୁ ଉଦ୍ଧାର ପାଇଁ ଆବଶ୍ୟକ ଥିବା ସ୍ୱତନ୍ତ୍ର ଲୁହା ପାଇପକୁ ଯୋଗାଇଛି ରାଉରକେଲା ଷ୍ଟିଲ ପ୍ଲାଣ୍ଟ | ଉଦ୍ଧାର ପାଇଁ ଆବଶ୍ୟକ ମୋଟେଇର ପାଇପ ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ପ୍ରସ୍ତୁତ ହେବା ପରେ ବାୟୁସେନାର ଏକ ସ୍ୱତନ୍ତ୍ର କାର୍ଗୋ ବିମାନ ଜରିଆରେ ଏହାକୁ ପଠାଯାଇଛି | ଏହି ପାଇପଗୁଡିକ ଚାଲୁଥିବା ରେଶକ୍ୟୁ ଅପରେସନରେ ବ୍ୟବହୃତ ହେବ ବୋଲି ସୂଚନା ମିଳିଛି। କେନ୍ଦ୍ର ସରକାରଙ୍କ ନିର୍ଦେଶ ପରେ ରାଉରକେଲା ଷ୍ଟିଲ ପ୍ଲାଣ୍ଟ ପକ୍ଷରୁ ଏହି ପାଇପ ଗୁଡିକ ଯୋଗାଇ ଦିଆଯାଇଛି l ଏସବୁ ଭିତରେ 10 ଦିନ ହେବ ଏହି ଟନେଲ ମଧ୍ୟରେ ଫସିଥିବା 41 ଶ୍ରମିକଙ୍କ ସୁରକ୍ଷିତ ଉଦ୍ଧାର ପାଇଁ ସାରା ଦେଶ ପ୍ରାର୍ଥନା କରୁଛି |