ବିଶ୍ବକପ୍‌ ସେମିଫାଇନାଲ: ଡେଭିଡ ମିଲରଙ୍କ ଶତକ, ଅଷ୍ଟ୍ରେଲିଆ ଆଗରେ ୨୧୩ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ଦକ୍ଷିଣ ଆଫ୍ରିକା

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଦିନିକିଆ ବିଶ୍ବକପ୍‌-୨୦୨୩ରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର କୋଲକାତାର ଇର୍ଡେନ୍‌ ଗାର୍ଡେନ୍‌ରେ ଦ୍ବିତୀୟ ସେମିଫାଇନାଲ ମ୍ୟାଚ୍‌ ଖେଳାଯାଉଛି। ଟସ୍‌ ଜିଣି ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। କିନ୍ତୁ ତେମ୍ବା ବଭୁମାଙ୍କ ନେତୃତ୍ବରେ ଦକ୍ଷିଣ ଆଫ୍ରିକା ଟିମ୍‌ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟର ସାମ୍ନା କରିଥିଲା। ଦଳ ୪୯.୪ ଓଭରରେ ସମସ୍ତ ୱିକେଟ ହରାଇ ଡେଭିଡ ମିଲରଙ୍କ ଶତକ ବଳରେ ୨୧୨ ରନ୍‌ ସଂଗ୍ରହ କରିଛି। ଫଳରେ ଅଷ୍ଟ୍ରେଲିଆକୁ ଏହି ମ୍ୟାଚ ଜିତି ଫାଇନାଲରେ ପହଞ୍ଚିବା ପାଇଁ ୨୧୩ ରନ୍‌ର ଲକ୍ଷ୍ୟ ମିଳିଛି।

ହେନିରିକ୍‌ କ୍ଲାଁସେଙ୍କ ବ୍ୟତୀତ ଅନ୍ୟ ଖେଳାଳିମାନଙ୍କୁ ଅଷ୍ଟ୍ରେଲିଆର ବୋଲରମାନେ ସହଜାରେ ଆଉଟ କରୁଥିବା ବେଳେ ବିସ୍ଫୋରକ ବ୍ୟାଟର ଡେଭିଡ ମିଲର ଧୈର୍ଯ୍ୟର ସହିତ ବ୍ୟାଟିଂ କରିଥିଲେ। କଙ୍ଗାରୁ ଦଳର ସମସ୍ତ ବୋଲରଙ୍କୁ ହତାଶ କରିଥିଲେ। ଶତକ ହାସଲ କରିବା ପରେ ସେ ଏକ ବଡ଼ ସର୍ଟ ଖେଳିବାକୁ ଯାଇ କ୍ୟାଚ୍‌ ଆଉଟ୍‌ ହୋଇଥିଲେ। କିନ୍ତୁ ସେ ପାଭିଲିଅନ ଫେରି ଆସିବା ପୂର୍ବରୁ ୧୧୬ଟି ବଲ୍‌ ସାମ୍ନା କରି ୮ଟି ଚୌକା ଓ ୫ଟି ଛକା ବଳରେ ୧୦୧ ରନ୍‌ କରିଥିଲେ।

ବର୍ଷା ବାଧିତ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ପାଇଁ ହେନିରିକ୍‌ କ୍ଲାଁସେ ଓ ଡେଭିଡ ମିଲର ଆଶା ସଂଚାର କରିଥିଲେ। ଉଭୟ ଖେଳାଳି ୫ମ ୱିକେଟ୍‌ ପାଇଁ ୯୫ ରନ୍‌ର ଭାଗିଦାରୀ କରିପାରିଥିଲେ। ହେନିରିକ୍‌ କ୍ଲାଁସେ ୪୮ଟି ବଲ୍‌ ଖେଳି ୪ଟି ଚୌକା ଓ ୨ଟି ଛକା ବଳରେ ୪୭ ରନ୍‌ କରି ଆଉଟ୍‌ ହୋଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ମାର୍କୋ ୟାନସେନ ମାତ୍ର ଗୋଟିଏ ବଲ୍‌ ସାମ୍ନା କରି ପାଭିଲିଅନ୍‌ ଫେରି ଯାଇଥିଲେ। ଟ୍ରେଭିସ୍‌ ହେଡ୍‌ ୩୧ ନମ୍ବର ଓଭରରେ ତଥା ନିଜର ପ୍ରଥମ ଓଭରରେ ୨ ଜଣ ଖେଳାଳିଙ୍କୁ ଆଉଟ୍‌ କରିବା ଫଳରେ ଅଷ୍ଟ୍ରେଲିଆକୁ ଅଧିକ ବଳ ‌ଯୋଗାଇଥିଲେ।

Related Posts