କ୍ୟାସ୍ ଫର୍ କ୍ୱେରୀ ବିବାଦ ମଧ୍ୟରେ ମହୁଆଙ୍କୁ ଜିଲ୍ଲା ସଭାପତି ଦାୟିତ୍ୱ ଦେଲା ଟିଏମ୍‌ସି

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଲାଞ୍ଚ ନେଇ ସଂସଦରେ ପ୍ରଶ୍ନ ପଚାରିବା ମାମଲାରେ ଫସିଥିବା ଟିଏମ୍‌ସି ସାଂସଦ ମହୁଆ ମୋଇତ୍ରଙ୍କୁ ତାଙ୍କ ଦଳ କୃଷ୍ଣନଗର(ନଦିଆ ନର୍ଥ)ର ଜିଲ୍ଲା ସଭାପତି ଦାୟିତ୍ୱ ଦେଇଛି। କୃଷ୍ଣନଗର ହେଉଛି ତାଙ୍କ ଲୋଭସଭା ନିର୍ବାଚନ ମଣ୍ଡଳୀ।

ଏହି ନୂଆ ଦାୟିତ୍ୱ ମିଳିବା ପରେ ମହୁଆ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍‌ସି ମୁଖ୍ୟ ମମତା ବାନାର୍ଜୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ସୋଶାଲ ମିଡିଆ Xରେ ଲେଖିଛନ୍ତି, ‘ମୋତେ କୃଷ୍ଣନଗରର ଜିଲ୍ଲା ସଭାପତି କରିଥିବା ଯୋଗୁ ମୁଁ ମମତା ବାନାର୍ଜୀ ଓ ଟିଏମ୍‌ସିକୁ ଧନ୍ୟବାଦ ଜଣାଉଛି। ଦଳରେ ରହି ସର୍ବଦା କୃଷ୍ଣନଗରର ଲୋକଙ୍କ ପାଇଁ କାମ କରିବି।’

ସୂଚନାଯୋଗ୍ୟ ଯେ, ଲାଞ୍ଚ ନେଇ ସାଂସଦରେ ପ୍ରଶ୍ନ ପଚାରିବା ମାମଲାର ଯାଞ୍ଚ ଲୋକସଭା ଏଥିକ୍ସ କମିଟି କରିଛି। ଏଥିକ୍ସ କମିଟି ଏହାର ଯାଞ୍ଚ କରିବା ପରେ ଗତ ୧୦ ତାରିଖରେ ଲୋକସଭା ବାଚସ୍ପତି ଓମ୍‌ ବିର୍ଲାଙ୍କ ନିକଟକୁ ଏହାର ରିପୋର୍ଟ ପଠାଇ ଦେଇଛି। ଏଥିହସ ମହୁଆଙ୍କ ସାଂସଦ ପଦ ରଦ୍ଦ କରିବା ପାଇଁ କମିଟି ସୁପାରିଶ କରିଛି। ତେବେ ଏହି ମାମଲାରେ ଆଗକୁ ମହୁଆଙ୍କ ବିରୋଧରେ କ’ଣ ବଡ଼ ପଦକ୍ଷେପ ନିଆଯିବ ତାହାର ନିଷ୍ପତ୍ତି ବାଚସ୍ପତି ନେବେ। ହେଲେ ଏହାରି ଭିତରେ ଟିଏମ୍‌ସି ମହୁଆଙ୍କୁ ଜିଲ୍ଲା ସଭାପତି ପଦ ଦେଇଛି। ବିବାଦ ମଧ୍ୟରେ ଫସିଥିବା ମହୁଆଙ୍କୁ ଜିଲ୍ଲା ସଭାପତି ଦାୟିତ୍ୱ ଦେଇ ଦଳ ତାଙ୍କ ସହ ରହିଥିବା ସନ୍ଦେଶ ଦେଇଥିବା କୁହାଯାଉଛି।

Related Posts