ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଦିଲ୍ଲୀରେ ବାୟୁ ପ୍ରଦୂଷଣ ଏକ ବଡ଼ ମୁଣ୍ଡବିନ୍ଧା ସାଜିଥିବା ବେଳେ ସେଠାକାର ବାସିନ୍ଦାମାନଙ୍କୁ ଏବେ ସାମାନ୍ୟ ଆଶ୍ବସ୍ତ ଅନୁଭବ ହୋଇଛି। କାରଣ ଜାତୀୟ ରାଜଧାନୀ ଅଞ୍ଚଳ (ଏନସିଆର) ନୋଏଡା, ଗୁରୁଗ୍ରାମ ଏବଂ ଏହାର ଆଖପାଖ ଅନେକ ଅଞ୍ଚଳରେ ଗୁରୁବାର ଏବଂ ଶୁକ୍ରବାର ମଧ୍ୟରାତ୍ରିରେ ହାଲୁକା ବର୍ଷା ହେବା ପରେ ପ୍ରଦୂଷଣ ଓ ଧୁଆଁ ସମାନ୍ୟ କମିଛି। ବିଷାକ୍ତ ହୋଇ ଯାଇଥିବା ବାୟୁମଣ୍ଡଳର ଅବସ୍ଥା ପୂର୍ବାପେକ୍ଷା ସାମାନ୍ୟ ସୁଧୁରିିଛି ବୋଲି ସୂଚନା ରହିଛି।
ଦିଲ୍ଳୀର କର୍ତ୍ତବ୍ୟ ପଥ, ଆଇଟିଓ ଏବଂ ଦିଲ୍ଲୀ-ନୋଏଡା ସୀମାରୁ ଆସିଥିବା ଚିତ୍ର ଗୁଡିକରୁ ଦେଖିବାକୁ ମିଳିଛି ଯେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ପରେ ପାଗରେ ହଠାତ୍ ପରିବର୍ତ୍ତନ ଘଟିଛି। ଦିଲ୍ଲୀର କନ୍ନାଟ୍ ପ୍ଲେସରେ ଏୟାର୍ କ୍ବାଲିଟି ଇଣ୍ଡେକ୍ସ (ଏକ୍ବିଉଆଇ) ଉନ୍ନତ ହୋଇଛି ଏବଂ ଏହା ‘ଭଲ’ ବର୍ଗରେ ୮୫ ରେ ରେକର୍ଡ ହୋଇଛି।
ପ୍ରଦୂଷଣ କମ କରିବା ପାଇଁ ଦିଲ୍ଲୀରେ କୃତ୍ରିମ ବର୍ଷା କରିବା ପାଇଁ ପୂର୍ବରୁ ଦିଲ୍ଳୀ ସରକାର ଯୋଜନା କରିଥିଲେ। ଶୀତ ଆରମ୍ଭ ନହେଉଣୁ ଦିଲ୍ଲୀର ବାୟୁ ମାନ ଖରାପ ହେବାକୁ ଲାଗିଥିବା ଦେଖି ସରକାରଙ୍କ ଚିନ୍ତା ବଢ଼ିଛି। ବିଭିନ୍ନ ପଦକ୍ଷେପ ନିଆଯାଉଥିଲେ ବି ପ୍ରଦୂଷଣ କମ ହେବାର ନାମ ନେଉନାହିଁ। ପରିସ୍ଥିତିକୁ ଦେଖି ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ ବୁଧବାର ଦିନ ଆଇଆଇଟି କାନପୁରର ଏକ ଟିମ୍ ସହିତ ବୈଠକ କରିଥିଲେ। ଟିମ ସହ ସହରରେ ବାୟୁ ମାନରେ ସୁଧାର ଆଣିବା ପାଇଁ କୃତ୍ରିମ ବର୍ଷା କରିବା ପ୍ରସ୍ତାବ ଉପରେ ମନ୍ତ୍ରୀ ଗୋପାଳ ରାୟ ଆଲୋଚନା କରିଥିଲେ।