ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ନିର୍ବାଚିତ ସାଂସଦ ଓ ବିଧାୟକଙ୍କ ବିରୋଧରେ ଦାୟର ଅପରାଧିକ ମାମଲା ଗୁଡିକର ତୁରନ୍ତ ଫଏସଲା ଲାଗି ହାଇକୋର୍ଟଗୁଡିକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । ଯେଉଁ ସବୁ ରାଜ୍ୟରେ ସାଂସଦ ଓ ବିଧାୟକଙ୍କ ବିରୋଧରେ ମାମଲା ପଡିରହିଛି, ତାହାର ତୁରନ୍ତ ଫଏସଲା ଲାଗି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏହା ସହ ଏହି ଧରଣର ମାମଲାଗୁଡିକୁ ନିଜ ଆଡୁ ପଞ୍ଜୀକରଣ କରିବା ସହ ମାମଲାର ସମାଧାନ ଦିଗରେ ପଦକ୍ଷେପ ନେବା ଲାଗି ହାଇକୋର୍ଟଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।
ମାମଲାଗୁଡିକର ସମାଧାନଦିଗରେ ମନିଟରିଂ କରିବା ଲାଗି ହାଇକୋର୍ଟର ମୁଖ୍ୟ ବିଚାରପତିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ସରକାରୀ କର୍ମଚାରୀ ଓ ବିଚାର ବିଭାଗୀୟ ସଦସ୍ୟ ସମ୍ପର୍କିତ ଅପରାଧିକ ମାମଲାଗୁଡିକର ବିଚାର ଲାଗି ସ୍ବତନ୍ତ୍ର କୋର୍ଟ ପ୍ରତିଷ୍ଠା ସଂକ୍ରାନ୍ତ ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ସେହିପରି ଦୋଷୀସାବ୍ୟସ୍ତ ଅଧିକାରୀଙ୍କୁ ନିଜ ପଦବିରୁ ବାହାର କରିବା ଲାଗି ହୋଇଥିବା ଜନସ୍ବାର୍ଥ ମାମଲାର ଶୁଣାଣି କରିଥିଲେ କୋର୍ଟ ।
ତେବେ ଦେଶର ବିଭିନ୍ନ ହାଇକୋର୍ଟରୁ ମିଳିଥିବା ତଥ୍ୟ ଅନୁସାରେ ବିଭିନ୍ନ ସାଂସଦ ଓ ବିଧାୟକଙ୍କ ବିରୋଧରେ ୫ ହଜାର ୧୭୫ଟି ମାମଲା ପଡିରହିଛି । ସେଥିରୁ ୪୦ ପ୍ରତିଶତ ମାମଲା ଅର୍ଥାତ ୨ ହଜାର ୧୧୬ଟି ମାମଲା ଗତ ୫ ବର୍ଷ ଧରି ଚାଲି ରହିଛି । ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଆଗତ ଜନସ୍ବାର୍ଥ ମାମଲାର ଶୁଣାଣି କରି ନିଷ୍ପତ୍ତି ନେବା ଲାଗି ହାଇକୋର୍ଟ ଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି । ସବୁକ୍ଷେତ୍ରରେ ଏକକ ଗାଇଡଲାଇନ ଗଠନ କରିବା କଷ୍ଟସାଧ୍ୟ ବୋଲି ବିଚାର କରିଛନ୍ତି କୋର୍ଟ । ଉତ୍ତରପ୍ରଦେଶରେ ସର୍ବାଧିକ ମାମଲା ପଡିରହିଛି । ୨୦୧୮ରେ ୯୯୨ଟି ମାମଲା ହୋଇଥିବାବେଳେ ୨୦୨୨ରେ ଏହି ସଂଖ୍ୟା ଥିଲା ୧୩୭୭ । ସେଥିରୁ ୭୧୯ଟି ମାମଲାର ସମାଧାନ କରାଯାଇଛି ।