ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଆର୍ଟିଆଇ (ସୂଚନା ଅଧିକାର) ଅଧିନିୟମ ଆସିବା ପରେ ଏପରି ଲାଗୁଥିଲା ଯେପରି ସରକାରୀ ଦପ୍ତରଗୁଡ଼ିକରୁ ଭ୍ରଷ୍ଟାଚାର, ନାଲିଫିତାବାଦ ପ୍ରଭୃତି ଲୋପ କରିବା ପାଇଁ ସାଧାରଣ ଜନତାଙ୍କୁ ଏକ ଅସ୍ତ୍ର ମିଳିଗଲା। କିନ୍ତୁ ସୋମବାର ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ, ଆର୍ଟିଆଇ ଆକ୍ଟର ଧାର ଏବେ ଦନ୍ଥରା ହେବାକୁ ବସିଛି। କେନ୍ଦ୍ରୀୟ ସୂଚନା ଆୟୋଗ (ସିଆଇସି) ତଥା ବିଭିନ୍ନ ରାଜ୍ୟ ଆୟୋଗଗୁଡ଼ିକରେ ବହୁ ପଦ ଖାଲି ପଡ଼ିଥିବାରୁ ଏବଂ ଲୋକମାନଙ୍କର ହଜାର ହଜାର ଆବେଦନ ପଡ଼ିରହିଥିବାରୁ ଏହି ଆଇନ ଏକ ବେକାର ଆଇନରେ ପରିଣତ ହୋଇଛି ବୋଲି କୋର୍ଟ କହିଛନ୍ତି।
ଓକିଲ ପ୍ରଶାନ୍ତ ଭୂଷଣ ପ୍ରଧାନବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଏବଂ ବିଚାରପତି ଜେବି ପାର୍ଦ୍ଦିୱାଲା ଓ ମନୋଜ ମିଶ୍ରଙ୍କ ଖଣ୍ଡପୀଠ ଆଗରେ ସାମାଜିକ କାର୍ଯ୍ୟକର୍ତ୍ତା ଅଞ୍ଜଳି ଭରଦ୍ବାଜଙ୍କ ଆବେଦନ ଉପରେ ଦଲିଲ ପେସ୍ କରିଥିଲେ। ସେ ଜଣାଇଥିଲେ ଯେ ସିଆଇସିରେ ମୋଟ ୧୧ଟି ସୂଚନା ଆୟୁକ୍ତ ପଦ ମଧ୍ୟରୁ ୭ଟି ଖାଲି ରହିଛି। ବର୍ତ୍ତମାନ ଥିବା ସୂଚନା କମିସନର ନଭେମ୍ବର ମାସରେ ଅବସର ନେବେ। ବିଭିନ୍ନ ରାଜ୍ୟର ସୂଚନା ଆୟୋଗଗୁଡ଼ିକର ସ୍ଥିତି ମଧ୍ୟ ତଦ୍ରୂପ। ଉଦାହରଣସ୍ବରୂପ ଝାଡ଼ଖଣ୍ଡ ସୂଚନା ଆୟୋଗ ୨୦୨୦ ମେ ମାସରୁ କାମ କରିବା ବନ୍ଦ କରିଦେଇଛି କାରଣ ସେଠାରେ ସମସ୍ତ ୧୧ଟି ପଦ ଖାଲି ପଡ଼ିଛି। ତେଲେଙ୍ଗାନା ରାଜ୍ୟ ସୂଚନା ଆୟୋଗରେ ସୂଚନା କମିସନରଙ୍କ ସମସ୍ତ ପଦ ଫେବ୍ରୁଆରିରୁ ଓ ତ୍ରିପୁରାର ସମସ୍ତ ପଦ ଜୁଲାଇ ୨୦୨୧ରୁ ଖାଲି ପଡ଼ିଛି ବୋଲି ଭୂଷଣ କୋର୍ଟଙ୍କୁ ଅବଗତ କରାଇଥିଲେ।
ଏହା ଶୁଣିବା ପରେ ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ ଖଣ୍ଡପୀଠ। ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ବର୍ଯ୍ୟା ଭଟ୍ଟିଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ କି ସେ ବିଭିନ୍ନ ସୂଚନା ଆୟୋଗ ପାଇଁ କେତୋଟି ପଦକୁ ସ୍ବୀକୃତି ମିଳିଛି, କେତେ ପଦ ଖାଲି ପଡ଼ିଛି ଏବଂ ଆସନ୍ତା ବର୍ଷ ମାର୍ଚ୍ଚ ୩୧ ସୁଦ୍ଧା କେତେ ଖାଲି ହେବାର ଅଛି ତାହାର ରିପୋର୍ଟ ପ୍ରଦାନ କରନ୍ତୁ। କେନ୍ଦ୍ର ପକ୍ଷରୁ ତିନି ସପ୍ତାହ ଭିତରେ ରିପୋର୍ଟ ପ୍ରଦାନ ପାଇଁ କୋର୍ଟ ଆଦେଶ ଦେଇଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଗୁଡ଼ିକ ଖାଲିସ୍ଥାନ ପୂରଣ ନ କରି ଆର୍ଟିଆଇ ଅଧିନିୟମକୁ ଏକ ବେକାର ଆଇନରେ ପରିଣତ କରିଦେଇଛନ୍ତି ବୋଲି କହି କୋର୍ଟ କ୍ଷୋଭ ପ୍ରକାଶ କରିଛନ୍ତି। ଏଥି ସହ କେନ୍ଦ୍ର ଓ ରାଜ୍ୟ ସରକାରଗୁଡ଼ିକ ସୂଚନା ଆୟୋଗଗୁଡ଼ିକରେ ଖାଲି ଥିବା ସ୍ଥାନର ଅଧିସୁଚନା ଜାରି କରିବା ସହ ତୁରନ୍ତ ସେଗୁଡ଼ିକ ପୂରଣ କରିବାର ପ୍ରକ୍ରିୟା ଆରମ୍ଭ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।