ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଲାଞ୍ଚ ନେଇ ସଂସଦରେ ପ୍ରଶ୍ନ କରିବା ଅଭିଯୋଗ ଆସିଥିବା ଟିଏମସି ସାଂସଦ ମହୁଆ ମୋଇତ୍ରଙ୍କୁ ଆସନ୍ତା ୩୧ ତାରିଖରେ ଲୋକସଭାର ଏଥିକ୍ସ କମିଟି ନିକଟରେ ହାଜର ହେବାକୁ ସମନ ଜାରି ହୋଇଛି। ହେଲେ ମହୁଆ ୩୧ ତାରିଖରେ ଲୋକସଭାର ଏଥିକ୍ସ କମିଟି ନିକଟରେ ହାଜର ହେବେନାହିଁ ବୋଲି କହିଛନ୍ତି।
ସୋସିଆଲ ମିଡିଆରେ ଏନେଇ ସ୍ପଷ୍ଟୀକରଣ ରଖି ସେ କହିଛନ୍ତି, ଏଥିକ୍ସ କମିଟିର ଅଧ୍ୟକ୍ଷ ମୋର ୩୧/୧୦ ସମନ ସମ୍ପର୍କରେ ଲାଇଭ ଟିଭିରେ ଘୋଷଣା କରିଛନ୍ତି। ମୋ ପାଖକୁ ସନ୍ଧ୍ୟା ୭.୨୦ରେ ଇ-ମେଲ ପଠା ଯାଇଥିବା ବେଳେ ତା’ ପୂର୍ବରୁ ଏହାକୁ ଗଣମାଧ୍ୟମ ସାମ୍ନାରେ ସାର୍ବଜନୀନ କରାଯାଇଥିଲା। ସମସ୍ତ ଅଭିଯୋଗ ଓ ତଥାକଥିତ ସତ୍ୟପାଠକୁ ମଧ୍ୟ ମିଡିଆରେ ଲିକ କରାଯାଇଛି। ମହୁଆ ଆହୁରି କହିଛନ୍ତି ଯେ, ତାଙ୍କ ଲୋକସଭା ନିର୍ବାଚନ ମଣ୍ତଳୀରେ କିଛି ଧାର୍ଯ୍ୟ କାର୍ଯ୍ୟକ୍ରମ ରହିଛି। ଏହା ନଭେମ୍ବର ୪ରେ ଶେଷ ହେବ। କାମ ଶେଷ ହେବା ପରେ ସେ ତୁରନ୍ତ କମିଟି ନିକଟରେ ହାଜର ହେବେ।
https://x.com/MahuaMoitra/status/1717812475356467674?s=20
ସୂଚନାଯୋଗ୍ୟ ଯେ, ମହୁଆ ମୋଇତ୍ରା ବ୍ୟବସାୟୀ ଦର୍ଶନ ହୀରାଚନ୍ଦାନୀଙ୍କୁ ତାଙ୍କୁ ଲୋକସଭା ୱେବସାଇଟର ପାସୱାର୍ଡ ଦେଇଥିଲେ। ସେ ମହୁଆଙ୍କ ପାଇଁ ଲୋକସଭାର ପ୍ରଶ୍ନ ତିଆରି କରୁଥିବା ଅଭିଯୋଗ ହୋଇଛି। ଏହାକୁ ମହୁଆ ଖଣ୍ଡନ କରିଥିଲେ ହେଁ ଏଥିକ୍ସ କମିଟି ତଦନ୍ତ ଆରମ୍ଭ କରିବା ସହ ତାଙ୍କୁ ସମନ କରିଥିଲା।