ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଏଣିକି ବର୍ଷକୁ ବର୍ଷ ଆଉ ବଦଳିବନି ଛାତ୍ରଛାତ୍ରୀଙ୍କ ଆଇଡି କାର୍ଡ । ସ୍କୁଲ କିମ୍ବା କଲେଜ ବଦଳିଲେ ବି ଆଇ କାର୍ଡ ବଦଳିବନି | ଛାତ୍ରଛାତ୍ରୀଙ୍କ ପାଇଁ ଆସିବ ଗୋଟିଏ ଆଇ କାର୍ଡ | ଏନେଇ ପ୍ରକ୍ରିୟା ଆରମ୍ଭ କରିବାକୁ କେନ୍ଦ୍ର ଶିକ୍ଷା ବିଭାଗ ପକ୍ଷରୁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳକୁ ନିର୍ଦ୍ଦେଶ ଦିଆଯାଇଛି ।
୨୦୨୦ ନୂତନ ଶିକ୍ଷାନୀତି ଅନୁଯାୟୀ, ସବୁ ସ୍କୁଲ୍ ପିଲାଙ୍କ ପାଇଁ ଗୋଟିଏ ଦେଶ, ଗୋଟିଏ ପରିଚୟ ପତ୍ର( One Nation, One ID Card) ଅଣାଯିବାକୁ ଯୋଜନା ହେଉଛି । ଏହାର ନାଁ ଅଟୋମେଟେଡ୍ ପରମାନେଣ୍ଟ ଏକାଡେମିକ୍ ଆକାଉଣ୍ଟ ରେଜିଷ୍ଟ୍ରି (APAAR) ରହିବ । ଏଥିରେ ଆଧାର ଲିଙ୍କ ରହିବ |
ଦେଶରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲର ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଆଇଡେଣ୍ଟିଫିକେସନ୍ ନମ୍ବର ମିଳିବ । ୧୨ ଅଙ୍କ ବିଶିଷ୍ଟ ଏହି ନମ୍ବର ପ୍ରି ପ୍ରାଇମେରୀ ଠାରୁ ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ରହିବ। ଏଥିରେ ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ଓ ସଫଳତା ବାବଦରେ ବିସ୍ତୃତ ତଥ୍ୟ ଜଣାପଡ଼ିବ । ଏଜୁକେସନ ଇକୋସିଷ୍ଟମ ରେଜିଷ୍ଟ୍ରି ଭାବେ APAAR ଛାତ୍ରଛାତ୍ରୀଙ୍କ ଆଇଡି ନମ୍ବର ହେବ ।
ଏହି ଆଇଡି ପାଇଁ ଅଭିଭାବକଙ୍କ ସହମତିର ଆବଶ୍ୟକତା ଜରୁରୀ । ରାଜ୍ୟର ସ୍କୁଲ୍ ଶିକ୍ଷା ବିଭାଗ APAAR ଆଇଡି ବନାଇବା ଲାଗି ଶିକ୍ଷା ସଂସ୍ଥା ଗୁଡ଼ିକ ସହ ଆଲୋଚନା କରିବା ପାଇଁ ଅଭିଭାବକ ଓ ଶିକ୍ଷକଙ୍କ ମଧ୍ୟରେ ବୈଠକ ଡକାଇବା ଲାଗି କୁହାଯାଇଛି ।