ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଅନ୍ୟ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ମାମଲାର ନିଷ୍ପତ୍ତି ନେବା ପାଇଁ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶ ଉପରେ ବାଚସ୍ପତି ବିଳମ୍ବ କରୁଛନ୍ତି। ଏଥିପାଇଁ ସୁପ୍ରିମକୋର୍ଟ ଆଜି ମହାରାଷ୍ଟ୍ର ବିଧାନସଭା ବାଚସ୍ପତିଙ୍କ ଉପରେ ବର୍ଷିଛନ୍ତି। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ କେହି ଜଣେ ବାଚସ୍ପତିଙ୍କୁ ପରାମର୍ଶ ଦେବା ଉଚିତ ଯେ ସେ ସୁପ୍ରିମକୋର୍ଟଙ୍କ ରାୟକୁ ଅଚଳ କରିଦେଇ ପାରିବେ ନାହିଁ।
ଏଥିସହିତ ଉକ୍ତ ମାମଲାର ନିଷ୍ପତ୍ତି କେବେ ନିଆଯିବ ତାହାର ସମୟସୀମା ଜଣାଇବା ପାଇଁ ସେ ସଲିସିଟର ଜେନେରାଲ ତୁଷାର ମେହଟାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼ ଅସନ୍ତୋଷ ବ୍ୟକ୍ତ କରିବାକୁ ଯାଇ ସ୍ପଷ୍ଟଭାବେ କହିଛନ୍ତି ଆସନ୍ତା ବିଧାନସଭା ନିର୍ବାଚନ ପୂର୍ବରୁ ଅଯୋଗ୍ୟ ଆବେଦନ ଉପରେ ନିଷ୍ପତ୍ତି ନେବାକୁ ହେବ।
ଯଦି ବାଚସ୍ପତିଙ୍କ ପ୍ରସ୍ତାବିତ ସମୟସୀମା ସେମାନଙ୍କୁ ସନ୍ତୋଷଜନକ ନଲାଗେ ତା’ହେଲେ ଦୁଇମାସ ମଧ୍ୟରେ ଉକ୍ତ କାର୍ଯ୍ୟ ସଂପାଦନ କରିବା ଲାଗି ନିର୍ଦ୍ଦେଶ ଦେବେ ବୋଲି ସୁପ୍ରିମକୋର୍ଟ ବାଚସ୍ପତିଙ୍କୁ ଚେତାବନୀ ଦେଇଛନ୍ତି। ଭାରତର ସମ୍ବିଧାନ ବିରୋଧରେ ଯେତେବେଳେ କିଛି ନିଷ୍ପତ୍ତି ଚାଲେ ସେତେବେଳେ ସୁପ୍ରିମକୋର୍ଟଙ୍କ ନ୍ୟାୟାଦେଶ କାର୍ଯ୍ୟକାରୀ ହେବ ବୋଲି ଖଣ୍ଡପୀଠ କହିଛନ୍ତି। ଉକ୍ତ ମାମଲାର ଶୁଣାଣି ଆସନ୍ତା ସୋମବାର କିମ୍ବା ମଙ୍ଗଳବାର କରିବେ ବୋଲି ମଧ୍ୟ କୋର୍ଟ ସଙ୍କେତ ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ, ସିନ୍ଦେ ଓ ଅନ୍ୟ ବିଧାୟକମାନଙ୍କ ବିରୋଧରେ ଆଗତ ଅଯୋଗ୍ୟ ଘୋଷଣା ମାମଲାର ସମୟସୀମା ପ୍ରକାଶ କରିବା ଲାଗି ସୁପ୍ରିମକୋର୍ଟ ସେପ୍ଟେମ୍ବର ୧୮ ତାରିଖରେ ମହାରାଷ୍ଟ୍ର ବିଧାନସଭା ବାଚସ୍ପତିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଏହା କାର୍ଯ୍ୟକାରୀ ହୋଇନଥିବାରୁ କୋର୍ଟ କ୍ଷୁବ୍ଧ ହୋଇଛନ୍ତି।