ବାଟଲା ହାଉସ୍ ଏନକାଉଣ୍ଟର: ଆରିଜ ଖାଁଙ୍କ ମୃତ୍ୟୁଦଣ୍ଡ ଆଜୀବନ କାରାଦାଣ୍ଡକୁ ବଦଳାଇଲେ ଦିଲ୍ଲୀ ହାଇକୋର୍ଟ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ୨୦୦୮ରେ ହୋଇଥିବା ବାଟଲା ହାଉସ ଏନକାଉଣ୍ଟର ମାମଲାରେ ଦିଲ୍ଲୀ ହାଇକୋର୍ଟ ଏକ ବଡ ରାୟ ଦେଇଛନ୍ତି । ଦିଲ୍ଲୀ ପୁଲିସ ଇନ୍ସପେକ୍ଟର ମୋହନ ଚନ୍ଦ୍ର ଶର୍ମା ହତ୍ୟା ମାମଲାରେ ଆରିଜ୍ ଖାଁଙ୍କୁ ଦିଆଯାଇଥିବା ଫାଶୀ ଦଣ୍ଡାଦେଶକୁ ବଦଳାଇ ଆଜୀବନ କାରାଦଣ୍ଡରେ ପରିଣତ କରିଛନ୍ତି ।

ତେବେ ଜଷ୍ଟିସ ସିଦ୍ଧାର୍ଥ ମୃଦୁଲ ଓ ଅମିତ ଶର୍ମାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାରେ ଖାଁଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ନିମ୍ନ ଅଦାଲତଙ୍କ ଆଦେଶକୁ ବଜାୟ ରଖିଛନ୍ତି। ୨୦୨୧ ମାର୍ଚ୍ଚରେ ଏକ ନିମ୍ନ ଅଦାଲତ ଆରିଜଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଥିଲେ। ଏହି ସମୟରେ ଅଦାଲତ କହିଥିଲେ ଯେ ଏହି ମାମଲା ସବୁଠାରୁ ବିରଳ ଅର୍ଥାତ୍ ବିରଳତମ ମାମଲା ଅଧୀନରେ ଆସୁଛି। କିନ୍ତୁ ଏହା ବିରଳତମ ଅପରାଧ ଅଧିନରେ ଆସୁନାହିଁ ବୋଲି ହାଇକୋର୍ଟ କହିଛନ୍ତି । ଗତ ଅଗଷ୍ଟ ୧୮ ତାରିଖରେ ଦିଲ୍ଲୀ ହାଇକୋର୍ଟ ଏହି ମାମଲାର ଶୁଣାଣି ଶେଷ କରିଥିଲେ ଓ ରାୟ ସଂରକ୍ଷିତ ରଖିଥିଲେ ।

ସୂଚନାଯୋଗ୍ୟ ଯେ, ୨୦୦୮ମସିହାରେ ବାଟଲା ହାଉସ ଏନକାଉଣ୍ଟରରେ ଇଣ୍ଡିଆନ ମୁଜାହିଦ୍ଦିନର ଦୁଇ ଆତଙ୍କବାଦୀ ଆତିଫ ଅମିନ ଓ ମହମ୍ମଦ ସାଜିଦ ନିହତ ହୋଇଥିଲେ । ଏହି ଏନକାଉଣ୍ଟର ସମୟରେ ଦିଲ୍ଲୀ ପୁଲିସ ଇନ୍ସପେକ୍ଟର ମୋହନ ଚନ୍ଦ୍ର ଶର୍ମା ପ୍ରାଣ ହରାଇଥିଲେ।

Related Posts