ଅର୍ଥନୀତିରେ ନୋବେଲ ପାଇବେ ଆମେରିକୀୟ ଅର୍ଥନୀତିଜ୍ଞ କ୍ଲାଉଡିଆ ଗୋଲ୍ଡିନ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଆମେରିକାର ଅର୍ଥନୀତିଜ୍ଞ କ୍ଲାଉଡିଆ ଗୋଲ୍ଡିନଙ୍କୁ ୨୦୨୩ ପାଇଁ ଅର୍ଥନୀତିରେ ନୋବେଲ ପୁରସ୍କାର ପ୍ରଦାନ କରାଯିବ । ଏ ସମ୍ପର୍କରେ ଆଜି ଷ୍ଟକହୋମଠାରେ ରୟାଲ ସ୍ବିଡିସ ଏକାଡେମି ଅଫ ସାଇନ୍ସେସ ପକ୍ଷରୁ ଘୋଷଣା କରାଯାଇଛି । ମହିଳା ଶ୍ରମ ବଜାରର ଫଳାଫଳ ବିଷୟରେ ଆମର ଜ୍ଞାନ ବିକାଶ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି ବୋଲି ଏକାଡେମି ପକ୍ଷରୁ କୁହାଯାଇଛି । ଆଜିର ଏହି ଘୋଷଣା ସହ ୨୦୨୩ର ନୋବେଲ ପୁରସ୍କାର ଘୋଷଣା ଶେଷ ହୋଇଛି । ପ୍ରତିବର୍ଷ ପ୍ରଥମେ ଚିକିତ୍ସା ବିଜ୍ଞାନ ବା ମେଡିସିନ ପାଇଁ ନୋବେଲ ପୁରସ୍କାର ଘୋଷଣା ଆରମ୍ଭ ହୁଏ ତାହା ଅର୍ଥନୀତିରେ ଶେଷ ହୁଏ ।

ବୈଜ୍ଞାନିକ ତଥା ଶିଳ୍ପପତି ଆଲଫ୍ରେଡ୍ ନୋବେଲଙ୍କ ଇଚ୍ଛାପତ୍ର (ଓ୍ବିଲ୍) ଅନୁସାରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥାଏ । ତେବେ ଅର୍ଥନୀତିରେ ନୋବେଲ ପୁରସ୍କାର ପ୍ରଦାନ ପାଇଁ ଆଲଫ୍ରେଡ ନୋବେଲଙ୍କ ମୂଳ ଇଚ୍ଛାପତ୍ରରେ କୌଣସି ଉଲ୍ଲେଖ ନଥିଲା । ମୂଳ ଇଚ୍ଛାପତ୍ରରେ କେବଳ ବିଜ୍ଞାନ ( ରସାୟନ ବିଜ୍ଞାନ, ଚିକିତ୍ସା ବିଜ୍ଞାନ, ଭୌତିକ ବିଜ୍ଞାନ), ସାହିତ୍ୟ ଓ ଶାନ୍ତି ପାଇଁ ନୋବେଲ ପୁରସ୍କାର ପାଇଁ ଉଲ୍ଲେଖ ଥିଲେ । ପରେ ୧୯୬୮ରେ ଅର୍ଥନୀତି ନୋବେଲ ଆରମ୍ଭ କରାଯାଇଥିଲା ଓ ଏହାର ପୁରସ୍କାର ଅର୍ଥ ସ୍ବୀଡେନର କେନ୍ଦ୍ରୀୟ ବ୍ୟାଙ୍କ ପ୍ରଦାନ କରିଥାଏ ।

Related Posts