ଗାଜା ପଟିରୁ ରକେଟ ମାଡ଼ ପରେ ହମାସ ବିରୋଧରେ ଯୁଦ୍ଧ ଘୋଷଣା କଲା ଇସ୍ରାଏଲ୍‌

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ପାଲେଷ୍ଟାଇନକୁ ପାନେ ଦେବାକୁ ଏବେ ଯୁଦ୍ଧ ମୈଦାନରେ ନିଜର ଫାଇଟର ଜେଟକୁ ନିଯୁକ୍ତ କରିଛି ଇସ୍ରାଏଲ୍ । ଇସ୍ରାଏଲର ସେନା ଗାଜା ପଟି ପଟରୁ ହମାସ ବିରୋଧରେ ‘ଅପରେସନ୍ ଆଇରନ୍ ସ୍କ୍ୱାର୍ଡ’ ଆରମ୍ଭ କରିଛି । ଖାଲି ସେତିକି ନୁହେଁ ଆକାଶ ପଥରେ ମଧ୍ୟ ଆକ୍ରମଣ ଆରମ୍ଭ କରିଦେଇଛି ଇସ୍ରାଏଲ ସେନା । ଆକାଶରେ ଏବେ ଲଢୁଆ ବିମାନ ପଇଁତରା ମାରୁଥିବାବେଳେ, ବିଭିନ୍ନ ଆତଙ୍କବାଦୀ ସଙ୍ଗଠନ ଉପରେ ଇସ୍ରାଏଲ ତରଫରୁ ପାଲଟା ଆକ୍ରମଣ କରାଯାଇଛି ।

ଏହାରି ଭିତରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ବଡ ବୟାନ ରଖିଛନ୍ତି । ସେ କହିଛନ୍ତି, ଆମେ ଯୁଦ୍ଧ ମୈଦାନକୁ ଓହ୍ଲାଇ ସାରିଛୁ । ଏହା କୌଣସି ପ୍ରକାର ଅପରେସନ୍ ନୁହେଁ । ହମାସ ଇସ୍ରାଏଲ ଏବଂ ତାର ନାଗରିକଙ୍କ ଉପରେ ଆକ୍ରମଣ କରିଛି । ତେଣୁ ସର୍ବପ୍ରଥମେ ଇସ୍ରାଏଲରେ ବେଆଇନ୍ ଭାବେ ପଶିଥିବା ଆତଙ୍କବାଦୀଙ୍କୁ ଧ୍ୱଂସ କରିବାକୁ ମୁଁ ଆଦେଶ ଦେଇଥିବା କହିଛନ୍ତି ନେତାନ୍ୟାହୁ ।ସୂଚନାଯୋଗ୍ୟ ଯେ, ଶନିବାର ସକାଳେ ପାଲେଷ୍ଟାଇନର ଆର୍ମ୍ସ ଗ୍ରୁପ ହମାସ ଗାଜା ପଟିରୁ ଇସ୍ରାଏଲ ଉପରେ ରକେଟ୍ ଆକ୍ରମଣ କରିଥିଲା । ୨୦ ମିନିଟ୍ ଭିତରେ ପାଖାପାଖି ୫ ହଜାର ରକେଟ୍ ଆକ୍ରମଣ କରିଥିବା ପାଲେଷ୍ଟାଇନ୍ । ଖାଲି ସେତିକି ନୁହେଁ, ଇସ୍ରାଏଲ ଭିତରେ ଆତଙ୍କବାଦୀମାନେ ମଧ୍ୟ ବେଆଇନ୍ ଭାବେ ପଶିବା ସହିତ କିଛି ସୈନ୍ୟ ଗାଡିକୁ ମଧ୍ୟ କବଜା କରିନେଇଛନ୍ତି । ତା ସହିତ ପାଞ୍ଚ ଜଣ ସୈନିକଙ୍କୁ ମଧ୍ୟ ଅପହରଣ କରିନେଇଛନ୍ତି । ବର୍ତ୍ତମାନ ସୁଦ୍ଧା ପାଲେଷ୍ଟାଇନର ଆକ୍ରମଣରେ ୫ ଜଣ ଲୋକ ମୃତ୍ୟୁବରଣ କରିଥିବାବେଳେ, ୧୦୦ରୁ ଅଧିକ ଲୋକ ଆହତ ହେଇଛନ୍ତି ।

ଅନ୍ୟପଟେ ପାଲେଷ୍ଟାଇନର ଆକ୍ରମଣ ପରେ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ, ହମାସ ଆଜି ସକାଳେ ଇସ୍ରାଏଲ ବିରୋଧରେ ଯୁଦ୍ଧ ଆରମ୍ଭ କରି ବଡ ଭୁଲ କରିଦେଇଛି । ସେହିପରି ଇସ୍ରାଏଲରେ ଥିବା ଭାରତର ରାଷ୍ଟ୍ରଦୂତ ମଧ୍ୟ ଏହି ଘଟଣାକୁ ନେଇ ଟୁଇଟ୍ କରିଛନ୍ତି । ସେ କହିଛନ୍ତି, ପାଲେଷ୍ଟାଇନରେ ଆତଙ୍କବାଦୀମାନେ ଦୁଇତରଫା ଆକ୍ରମଣ କରିଛନ୍ତି । ଉଭୟ ସ୍ଥଳ ଓ ଆକାଶପଥରେ ଏହି ଆକ୍ରମଣ କରାଯାଇଛି । ସ୍ଥିତି ଏବେ ସାମାନ୍ୟ ନାହିଁ । ହେଲେ ଏହି ଯୁଦ୍ଧରେ ଇସ୍ରାଏଲ ବିଜୟ ହାସଲ କରିବ ବୋଲି ସେ କହିଛନ୍ତି ।

Related Posts