ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଦିନିକିଆ ବିଶ୍ବକପ ଅଭିଯାନ ପୂର୍ବରୁ ଟିମ୍ ଇଣ୍ଡିଆକୁ ଲାଗିପାରେ ଝଟକା । ଚେନ୍ନାଇରେ ଖେଳାଯିବାକୁ ଥିବା ଭାରତ-ଅଷ୍ଟ୍ରେଲିଆ ପ୍ରଥମ ମ୍ୟାଚ ପୂର୍ବରୁ ରୋହିତ୍ ବାହିନୀର ବଢ଼ିଲା ମୁଣ୍ଡ ବ୍ୟଥା । ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି ଦଳର ଓପନର ଶୁବମନ ଗିଲ୍ । ଫଳରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳିବା ନେଇ ଆଶଙ୍କା ଦେଖାଦେଇଛି ।ମ୍ୟାଚ୍ ପୂର୍ବରୁ ସୁସ୍ଥ ନହେଲେ ଶୁବମନଙ୍କ ଅନୁପସ୍ଥିତିରେ ରୋହିତ ଶର୍ମାଙ୍କ ସହିତ ଈଷାନ କିଶାନ ଓପନିଂ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
ରିପୋର୍ଟ ଅନୁସାରେ, ଗିଲ୍ ଗୁରୁବାର ଚେନ୍ନାଇର ଚିଦମ୍ବରମ ଷ୍ଟାଡିୟମରେ ଟିମ୍ର ନେଟ୍ ସେସନରେ ଭାଗ ନେଇ ନଥିଲେ । ଚେନ୍ନାଇରେ ପହଞ୍ଚିବାପରେ ତାଙ୍କୁ ଜ୍ବର ଆସିଥିଲା । ପରେ ତାଙ୍କର ଡେଙ୍ଗୁ ପରୀକ୍ଷା କରାଯାଇଥିଲା । ରିପୋର୍ଟ ଆସିବା ପରେସେ ଡେଙ୍ଗୁ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ତେବେ ଶୁକ୍ରବାର ଗିଲ୍ଙ୍କ ଦ୍ବିତୀୟ ରାଉଣ୍ଡ ରକ୍ତ ନମୂନା ପରୀକ୍ଷା କରାଯିବ । ବିସିସିଆଇ ବିଶେଷଜ୍ଞ ଡାକ୍ତରୀଦଳ ତାଙ୍କ ଉପରେ ନଜର ରଖିଛି । ସୂତ୍ର ଅନୁସାରେ, ଗିଲଙ୍କୁ ଡେଙ୍ଗୁ ହୋଇଥିବାରୁ ସେ କିଛି ମ୍ୟାଚ୍ ଖେଳି ନ ପାରନ୍ତି ।
ତେବେ ଶୁବମନ ଗିଲ୍ ଚଳିତବର୍ଷ ଭଲ ଫର୍ମରେ ଅଛନ୍ତି । ୨୦୨୩ ଦିନିକିଆରେ ଗିଲ୍ ହେଉଛନ୍ତି ଭାରତର ଟପ୍ ସ୍କୋରର୍ । ଶୁବମନ ଗିଲ୍ ୨୦୨୩ରେ ୨୦ ଦିନିକିଆ ମ୍ୟାଚରେ ୧୨୩୦ ରନ୍ ସଂଗ୍ରହ କରିଛନ୍ତି । ଏଥିରେ ୬ଟି ଶତକ କରିଥିବା ବେଳେ ଏବର୍ଷ ୫ଟି ଶତକ ମାରିଛନ୍ତି ।