ଆପ୍ ସାଂସଦ ସଞ୍ଜୟ ସିଂଙ୍କ ଘରେ ଇଡି ରେଡ୍

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଆମ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କ ଘରେ ଇଡି ରେଡ୍। ଅବକାରୀ ଦୁର୍ନୀତି ମାମଲାରେ ଇଡି ସଞ୍ଜୟ ସିଂଙ୍କ ଘରେ ରେଡ୍ କରିଥିବା ଅନୁମାନ କରାଯାଉଛି।

ଆଜି ସକାଳୁ ସକାଳୁ ଇଡି ଟିମ୍‌ର ବହୁ ଅଧିକାରୀ ସଞ୍ଜୟ ଘରେ ପହଞ୍ଚିଛନ୍ତି। କୌଣସି ଅଘଟଣ ଆଶଙ୍କାରେ ଘର ଚାରିପଟେ ବହୁ ସୁରକ୍ଷା କର୍ମୀ ମୁତୟନ ହୋଇଛନ୍ତି । ତେବେ ସଞ୍ଜୟଙ୍କ ଘରେ ପୂର୍ବରୁ ଥରେ ଇଡି ପଶିଥିବା ବେଳେ ଏହା ଦ୍ୱିତୀୟ ଘଟଣା।

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଇଡି ଦାଖଲ କରିଥିବା ଚାର୍ଜସିଟରେ ସଞ୍ଜୟ ସିଂଙ୍କ ନାମ ଉଲ୍ଲେଖ ଥିଲା। ପୂର୍ବ ଥର ଇଡି ଟିମ୍‌ ସଞ୍ଜୟ ସିଂଙ୍କ ଘରେ ପଶିଥିବା ବେଳେ ସାଂସଦ ଇଡି ନାମରେ ମାନହାନୀ ମକଦ୍ଦମା ରୁଜୁ କରିଥିଲେ। ଏହାପରେ ଚାର୍ଜସିଟ୍‌ରେ ଭୁଲବଶତଃ ସଞ୍ଜୟ ସିଂଙ୍କ ନାମ ରାହୁଲ ସିଂଙ୍କ ସ୍ଥାନରେ ଲେଖା ଯାଇଥିବା ଇଡି ତରଫରୁ ସଫେଇ ଦିଆଯାଇଥିଲା। ଏଥିସହ ଉକ୍ତ ମାମଲା ସମାପ୍ତ ହେଲା ବୋଲି ବି କହିଥିଲା।

କିନ୍ତୁ ଗତ ଜୁନ ମାସରେ ଇଡଇ ତରଫରୁ ସଞ୍ଜୟ ସିଂଙ୍କ ଦୁଇ ଘନିଷ୍ଠ ବନ୍ଧୁ ଅଜିତ ତ୍ୟାଗୀ ଓ ସର୍ବେଶ ମିଶ୍ରାଙ୍କ ଘରେ ରେଡ କରାଯାଇଥିଲା। ଏବେ ପୁଣି ଥରେ ଇଡି ସଞ୍ଜୟ ସିଂଙ୍କ ଘରେ ପଶିଛି।

ସୂଚନାଯୋଗ୍ୟ ଯେ, ଅବକାରୀ ଦୁର୍ନୀତି ମାମଲା ଆପ୍‌ ସରକାରର ଚିନ୍ତା ବଢ଼ାଉଛି। ଏହି ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆପ୍‌ର ବରିଷ୍ଠ ନେତା ମନିଷ ସିସୋଦିଆ ପୂର୍ବରୁ ଗିରଫ ହୋଇ ଜେଲ୍‌ରେ ଅଛନ୍ତି। ଏଥିସହ ଦଳର ବହୁ ଆଗଧାଡ଼ିର ନେତା ମଧ୍ୟ ଇଡି ସ୍କାନରରେ ଥିବା କୁହାଯାଉଛି।

Related Posts