ସନାତନ ଧର୍ମ ବିରୋଧୀ ମନ୍ତବ୍ୟ: ଉଦୟନିଧିଙ୍କୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ସନାତନ ଧର୍ମ ବିରୋଧରେ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ ତାମିଲନାଡୁ ଯୁବ ବ୍ୟାପାର ମନ୍ତ୍ରୀ ଉଦୟନିଧି ଷ୍ଟାଲିନ୍‌ଙ୍କୁ ସୁପ୍ରିମକୋର୍ଟ ନୋଟିସ ଜାରି କରିଛନ୍ତି। ଶୁକ୍ରବାର ଉଦୟନିଧିଙ୍କ ସମେତ ଅନ୍ୟ ୧୪ ଜଣଙ୍କୁ ନୋଟିସ୍ ପଠାଇଛନ୍ତି କୋର୍ଟ। ସନାତନ ଧର୍ମର ମୂଳୋତ୍ପାଟନ ଭଳି ବୟାନରେ ଉଦୟନିଧିଙ୍କ ବିରୋଧରେ ମାମଲା ରୁଜୁ ପାଇଁ ହୋଇଥିବା ଆବେଦନ ଉପରେ ନୋଟିସ୍ କରିଛନ୍ତି କୋର୍ଟ। ନୋଟିସ୍ ଯାଇଥିବା ଅନ୍ୟ ୧୪ ଜଣଙ୍କ ମଧ୍ୟରେ ସିବିଆଇ ଓ ତାମିଲନାଡୁ ପୁଲିସ ମଧ୍ୟ ସାମିଲ ରହିଛି।

ତାମିଲନାଡୁ ସରକାର, ଉଦୟନିଧି, ଏ ରାଜା ଓ ଅନ୍ୟ ରାଜନୈତିକ ଦଳଙ୍କୁ ନୋଟିସ୍ କରାଯାଇ ସେମାନଙ୍କ ଜବାବ ରଖିବାକୁ କୁହାଯାଇଛି। ତେବେ ସବୁଠାରୁ ବଡ଼ କଥା ହେଲା ଏହି ବୟାନକୁ ହେଟ୍‌ ସ୍ପିଚ୍‌ ମାମଲାରେ ଯୋଡ଼ିବାକୁ ମନା କରିଛନ୍ତି ସୁପ୍ରିମକୋର୍ଟ।

ସେପ୍ଟେମ୍ବର ୨ ତାରିଖରେ ତାମିନାଡୁ ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ଏମ୍‌.କେ ଷ୍ଟାଲିନ୍‌ଙ୍କ ପୁଅ ଉଦୟନିଧି ଷ୍ଟାଲିନ୍‌ ସନାତନ ଧର୍ମକୁ ଡେଙ୍ଗୁ ଓ ମ୍ୟାଲେରିଆ ସହ ତୁଳନା କରିଥିଲେ। ଏହାକୁ ବିରୋଧ ନୁହେଁ, ବରଂ ମୂଳୋତ୍ପାଟନ କରିବା କଥା ବୋଲି ଉଦୟନିଧି କହିଥିଲେ। ସନାତନ ବିଲୋପ ସମ୍ମିଳନୀ ନାମକ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏଭଳି କହିଥିଲେ ଷ୍ଟାଲିନ୍। ସନାତନ ଧର୍ମ ସାମାଜିକ ନ୍ୟାୟ ଓ ସମାନତା ବିରୋଧରେ ରହିଛି। କିଛି ଜିନିଷକୁ ବିରୋଧ କରାଯାଇପାରିବ ନାହିଁ। ସେସବୁ ଧ୍ୱଂଶ କରାଯିବା ଉଚିତ। ଆମେ ଡେଙ୍ଗୁ ମଶା, ମ୍ୟାଲେରିଆ ଓ କରୋନାକୁ ବିରୋଧ କରିପାରିବ ନାହିଁ। ଆମକୁ ଏହାର ମୂଳୋତ୍ପାଟନ କରିବାକୁ ହେବ। ସେହିପରି ଆମକୁ ସନାତନ ଧର୍ମକୁ ବିଲୋପ କରିବାକୁ ପଡ଼ିବ ବୋଲି ଉଦୟନିଧି କହିଥିଲେ।

ଉଦୟନିଧି କହିଥିଲେ ଯେ ସନାତନ ଧର୍ମକୁ ବିରୋଧ କରିବା ପରିବର୍ତ୍ତେ ଏହାର ମୂଳୋତ୍ପାଟନ କରିବା ଉଚିତ। ସନାତନ ନାମ ସଂସ୍କୃତରୁ ଆସିଛି। ଏହା ସାମାଜିକ ନ୍ୟାୟ ଏବଂ ସମାନତା ବିରୁଦ୍ଧରେ ରହିଛି ବୋଲି ସେ କହିଥିଲେ। ଏହାପରେ ଡିଏମ୍‌କେର ଆଉ ଜଣେ ସାଂସଦ ଏ ରାଜା ମଧ୍ୟ ସନାତନ ଧର୍ମକୁ ଆହୁରି କଡ଼ା ଭାଷାରେ ସମାଲୋଚନା କରିବା ସହ ଏହାକୁ କୁଷ୍ଠ ସହ ତୁଳନା କରିଥିଲେ। ସନାତନ ଧର୍ମରେ ସାମାଜିକ କଳଙ୍କ ଅଛି ବୋଲି ସେ କହିଥିଲେ।

Related Posts