ରାଜ୍ୟରେ ଖୁବ୍‌ଶୀଘ୍ର ନିଯୁକ୍ତି ପାଇବେ ୭ ହଜାର ଶିକ୍ଷକ : ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଖୁବ୍‌ଶୀଘ୍ର ନିଯୁକ୍ତି ପାଇବେ ୭ ହଜାର ଶିକ୍ଷକ ।ଆସନ୍ତା ଅଗଷ୍ଟ ପ୍ରଥମ ସପ୍ତାହରେ ଏହି ନିଯୁକ୍ତି ଦେବାକୁ ଯାଉଛନ୍ତି ସରକାର । ଏ ନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାସ । ବିଧାନସଭାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଖର୍ଚ୍ଚଦାବି ପାରିତ ହୋଇଛି । ୨୦,୬୩୫ କୋଟି ୯୭ ଲକ୍ଷ ୯୬ ହଜାର ଟଙ୍କାର ବ୍ୟୟବରାଦକୁ ଅନୁମୋଦନ ମିଳିଛି । ଏହି ଅବସରରେ ମନ୍ତ୍ରୀ ଶ୍ରୀ ଦାଶ ଜଣାଇଛନ୍ତି, ୨୦୨୧-୨୨ରେ ପ୍ରଥମ ପର୍ୟ୍ୟାୟରେ ୬୧୩୧ ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି । ମୋଟ ୧୧ ହଜାର ୪୦୩ଜଣ ନୂତନ ଶିକ୍ଷକ ପଦବି ପୂରଣ ପାଇଁ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଖୁବଶୀଘ୍ର ୭ ହଜାର ଶିକ୍ଷକ ନିଯୁକ୍ତି ଦେବାକୁ ଯାଉଛୁ । ପରବର୍ତ୍ତୀ ପର୍ୟ୍ୟାୟରେ ଅବଶିଷ୍ଟ ପଦବି ପାଇଁ ବିଜ୍ଞପ୍ତି ମଧ୍ୟ ବାହାରିବ । ପର୍ୟ୍ୟାୟ କ୍ରମେ ଏହି ପ୍ରକ୍ରିୟା କାର୍ୟ୍ୟକାରୀ ହେବ । ସେହିପରି ୭୫୦୦ ଶିକ୍ଷକମାନଙ୍କୁ ପଦୋନ୍ନତି ଦିଆଯାଇ ପ୍ରଧାନଶିକ୍ଷକ ଭାବେ ନିଯୁକ୍ତ କରାଯାଇଛି ।

ମନ୍ତ୍ରୀ ଆହୁରି ସୂଚନା ଦେଇଛନ୍ତି, ୫-ଟି ଯୋଜନାରେ ସ୍କୁଲ ରୂପାନ୍ତରିତ ହେବା ଯୋଗୁ ୨ ଲକ୍ଷରୁ ଅଧିକ ପିଲା ବେସରକାରୀ ସ୍କୁଲ ଛାଡ଼ି ସରକାରୀ ବିଦ୍ୟାଳୟ ପ୍ରତି ଆକର୍ଷିତ ହୋଇଛନ୍ତି । ଏହା ହିଁ ପ୍ରମାଣିତ କରୁଛି, ସରକାରୀ ବିଦ୍ୟାଳୟ ପ୍ରତି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଗ୍ରହ ବଢ଼ୁଛି । କୋରାପୁଟ ଓ ବଲାଙ୍ଗିର ଜିଲ୍ଲାରେ ମଧ୍ୟାହ୍ନଭୋଜନକୁ ନେଇ ଉଠିଥିବା ଦୁର୍ନୀତି ଅଭିଯୋଗ ସମ୍ପର୍କରେ ମନ୍ତ୍ରୀ କହିଛନ୍ତି, ଏ ନେଇ କାର୍ୟ୍ୟାନୁଷ୍ଠାନ ହୋଇଛି । ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ କାର୍ୟ୍ୟରୁ ଅବ୍ୟାହତି ଦିଆଯାଇଛି । ଅଧାରୁ ପାଠପଢ଼ା ଛାଡ଼ୁଥିବା ପିଲାଙ୍କ ସଂଖ୍ୟା ହ୍ରାସ ପାଇଁ ପଦକ୍ଷେପ ନିଆଯାଉଛି । ମନ୍ତ୍ରୀ ସୂଚନା ଦେଇଛନ୍ତି, ଗତ ୪ ବର୍ଷରେ ମୋ’ ସ୍କୁଲ ଅଭିଯାନ ରାଜ୍ୟର ୩୧୪ଟି ବ୍ଲକର ସମସ୍ତ ପଞ୍ଚାୟତରେ ପହଞ୍ଚିଛି । ୩୩,୪୬୮ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟର ଭିତ୍ତିଭୂମି ପରିବର୍ତ୍ତନରେ ପ୍ରମୁଖ ଭୂମିକା ନେଇଛି । ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନା ବାବଦରେ ୬୪୫୯୦.୪୬ ଲକ୍ଷ ବ୍ୟୟବରାଦ ହୋଇଛି । ସେହିପରି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଯୋଜନାରେ ୪୨୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଭୁବନେଶ୍ୱର ଅନ୍ଧାରୁଆରେ ଏକ ଆଇକନିକ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ଦାସ ସୂଚନା ଦେଇଛନ୍ତି।

Related Posts