ରାଜଧାନୀ କଲେଜରେ ଖୋଲିଲା ୬ଟି ନୂଆ ପିଜି ପାଠ୍ୟକ୍ରମ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜଧାନୀ କଲେଜରେ ଆଉ ୬ଟି ବିଷୟରେ ସ୍ନାତକୋତ୍ତର (ପିଜି) ପାଠ୍ୟକ୍ରମ ପାଇଁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି । ଏହାକୁ ମିଶାଇ ସ୍ନାତକୋତ୍ତର ବିଷୟ ସଂଖ୍ୟା ୮କୁ ବୃଦ୍ଧି ପାଇଛି । ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ମିଳିଥିବା ଏହି ଅନୁମତି ସଂକ୍ରାନ୍ତରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡକ୍ଟର ଅରୁଣ କୁମାର ସାମଲ ସୂଚନା ଦେଇଛନ୍ତି ।

ପ୍ରଫେସର ସାମଲ କହିଛନ୍ତି ଯେ, ପୂର୍ବରୁ ଏଜୁକେଶନ ଓ ଓଡିଆ ବିଷୟରେ ସ୍ନାତକତ୍ତୋର ପଢିବାର ସୁଯୋଗ ଥିବାବେଳେ ବର୍ତ୍ତମାନ ରାଜନୀତି ବିଜ୍ଞାନ, ବାଣିଜ୍ୟ, ଇଂରାଜୀ, ଅର୍ଥନୀତି, ସଂସ୍କୃତି ଓ ଗଣିତ ବିଷୟ ପାଇଁ ଅନୁମତି ମିଳିଛି । ଏହି ସମସ୍ତ ୬ଟି ବିଷୟରେ ୩୨ଟି କରି ଅର୍ଥାତ୍ ୧୯୨ ସିଟ ରହିବ ।

ତେବେ ଇତି ମଧ୍ୟରେ ସ୍ନାତକତ୍ତୋର ଶ୍ରେଣୀ ପାଇଁ ସାମ୍‌ସରେ ଆବେଦନ ଓ ନାମଲେଖା ପ୍ରକ୍ରିୟା ଚୂଡାନ୍ତ ପର୍ଯ୍ୟାୟରେ ଥିବାରୁ ରାଜଧାନୀ ମହାବିଦ୍ୟାଳୟରେ ଅନୁମତି ମିଳିଥିବା ନୂତନ ୬ଟି ବିଷୟରେ ଅଫ୍‌ଲାଇନ୍‌ରେ ଛାତ୍ରଛାତ୍ରୀମାନେ ନାମ ଲେଖାଇ ପାରିବେ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।ସ୍ନାତକୋତ୍ତର ଶ୍ରେଣୀ ସହିତ ଯୁକ୍ତ ତିନି କଳାରେ ମଧ୍ୟରେ ୫ଟି ନୂତନ ପାଠ୍ୟକ୍ରମ ପାଇଁ ରାଜଧାନୀ କଲେଜକୁ ଅନୁମତି ମିଳିଛି । ସେଗୁଡିକ ହେଲା ନୃତତ୍ୱ, ଭୂଗୋଳ, ମନସ୍ତତ୍ୱ, କମ୍ପ୍ୟୁଟର ବିଜ୍ଞାନ ଓ ଷ୍ଟାଟିଷ୍ଟିକ୍ସ ।

ପ୍ରତି ବିଷୟରେ ୩୨ଟି ସିଟ ପାଇଁ ଅନୁମତି ପ୍ରଦାନ କରାଯାଇଛି । ଏହିସବୁ ନୂତନ ବିଷୟକୁ ମିଶାଇ ରାଜଧାନୀ ମହାବିଦ୍ୟାଳୟରେ ଯୁକ୍ତ ତିନି ଶ୍ରେଣୀରେ ଆସନ ସଂଖ୍ୟା ୨୫୬ରୁ ୪୧୬କୁ ବୃଦ୍ଧି ପାଇଛି । ସେହିପରି ବାଣିଜ୍ୟରେ ଆସନ ସଂଖ୍ୟା ୧୨୮ ରୁ ୨୫୬ କୁ ବଢିଛି । ଏହାବାଦ୍ ଯୁକ୍ତ ତିନି ବିଜ୍ଞାନରେ ବିଭିନ୍ନ ପାଠ୍ୟକ୍ରମରେ ଆସନ ସଂଖ୍ୟା ବୃଦ୍ଧିକୁ ମଧ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି । ସେଥି ମଧ୍ୟରେ ଯୁକ୍ତ ତିନି ପଦାର୍ଥ ବିଜ୍ଞାନ ଆସନ ସଂଖ୍ୟା ୧୬ରୁ ୪୦କୁ ବୃଦ୍ଧି ପାଇଥିବାବେଳେ ରସାୟନ ବିଜ୍ଞାନରେ ୧୬ରୁ ୪୦, ଗଣିତରେ ୧୬ରୁ ୪୦, ଭୂତତ୍ୱ ବିଜ୍ଞାନରେ ୩୨ରୁ ୪୮, ପ୍ରାଣୀ ବିଜ୍ଞାନ ଓ ଉଦ୍ଭିଦ ବିଜ୍ଞାନରେ ଆସନ ସଂଖ୍ୟା ୩୨ ରୁ ୪୮ କରି ବୃଦ୍ଧି କରାଯାଇଛି । ଯୁକ୍ତ ତିନି କଳା ଓ ବିଜ୍ଞାନ ବିଷୟରେ ନୂତନ ଭାବେ ଅନୁମତି ମିଳିଥିବା ପାଠ୍ୟକ୍ରମ ଓ ବୃଦ୍ଧି ହୋଇଥିବା ଆସନ ସଂଖ୍ୟା ୨୦୨୨-୨୩ ଶିକ୍ଷା ବର୍ଷରୁ କାର୍ଯ୍ୟକାରୀ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

Related Posts