(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଭାରତରେ କୋଭିଡ୍ ମହାମାରୀର ପ୍ରଥମ ଏବଂ ଦ୍ବିତୀୟ ଲହରୀର ମୁକାବିଲା ପାଇଁ ଯଥେଷ୍ଟ ପ୍ରସ୍ତୁତି କରାଯାଇନଥିଲା। ଏହା ମଧ୍ୟରେ ତୃତୀୟ ଲହର ଆଶଙ୍କା ସୃଷ୍ଟି ହୋଇଛି। କୋଭିଡ୍ ର ତୃତୀୟ ତରଙ୍ଗ ପୂର୍ବରୁ ପ୍ରସ୍ତୁତିକୁ ନେଇ ଏକ ସର୍ଭେ କରାଯାଇଛି। ଏହି ସର୍ଭେ ଅନୁଯାୟୀ ଭାରତର ପାଞ୍ଚ ଜଣ ନାଗରିକଙ୍କ ମଧ୍ୟରୁ ତିନିଜଣଙ୍କର ମତ ହେଉଛି ଚଳିତ ବର୍ଷ କୋଭିଡ -19 ମହାମାରୀର ସମ୍ଭାବ୍ୟ ତୃତୀୟ ତରଙ୍ଗର ମୁକାବିଲା ପାଇଁ ଦେଶର ପର୍ଯ୍ୟାପ୍ତ ପ୍ରସ୍ତୁତି ହୋଇଛି। କମ୍ୟୁନିଟି ପ୍ଲାଟଫର୍ମ ଲୋକାଲ୍ ସର୍କଲ୍ ଏହି ସର୍ଭେ କରିଥିଲା । ଏଥିରେ ପ୍ରଶ୍ନ କରାଯାଇଥିଲା ଯେ ଆସନ୍ତା ୧୨ ମାସ ମଧ୍ୟରେ ଦେଶ କେଉଁ ଦିଗ ଆଡକୁ ଯାଉଛି ବୋଲି ସେ ଭାବୁଛନ୍ତି। ଲୋକାଲ ସର୍କଲ ଗୁରୁବାର ଦିନ 75,000 ରୁ ଅଧିକ ଲୋକଙ୍କ ଉପରେ ହୋଇଥିବା ସର୍ବେକ୍ଷଣର ଫଳାଫଳକୁ ନେଇ ଏକ ରିପୋର୍ଟ ପ୍ରକାଶ କରାଯାଇଛି। ଲୋକାଲ ସର୍କଲ ଦ୍ୱାରା ପଚରାଯାଇଥିବା ଅତିକମରେ ଦୁଇଟି ପ୍ରଶ୍ନ ଉପରେ, ଅଧିକାଂଶ ଉତ୍ତରଦାତା ବହୁତ ଆଶାବାଦୀ ଥିଲେ । 75 ପ୍ରତିଶତ ଭାରତୀୟ ବିଶ୍ୱାସ କରନ୍ତି ଯେ କୋଭିଡ ମହାମାରୀ କାରଣରୁ ଭୁଷୁଡି ପଡିଥିବା ଅର୍ଥନୀତି 15 ଅଗଷ୍ଟ 2022 ରେ ଅର୍ଥାତ୍ ଭାରତ ସ୍ୱାଧୀନତାର 75 ବର୍ଷ ପୂରଣ କଲାବେଳକୁ ଅର୍ଥନୀତିରେ ଯଥେଷ୍ଟ ଉନ୍ନତି ଆସିଯାଇଥିବ।
ଲୋକାଲ୍ ସର୍କଲ୍ ରିପୋର୍ଟ କରିଛି ଯେ 31% ନାଗରିକ କହିଛନ୍ତି ଯେ ଅର୍ଥନୀତିରେ ବହୁ ପରିମାଣରେ ସୁଧାର ଆସିବ କିନ୍ତୁ ସମ୍ପୂର୍ଣ୍ଣ ରୂପେ ନୁହେଁ ଏବଂ 15% କହିଛନ୍ତି ଯେ ସୀମିତ ପୁନରୁଦ୍ଧାର ହେବ। 3 % ନାଗରିକ ବିଶ୍ୱାସ କରନ୍ତି ଯେ ଅର୍ଥନୀତି ଆଦୌ ସୁଧୁରିବ ନାହିଁ ଏବଂ 5% ଲୋକ ମତ ଦେଇଛନ୍ତି ଯେ ଅର୍ଥ ବ୍ୟବସ୍ଥା ଆହୁରି ଖରାପ ହେବ। 2% ଲୋକ କୌଣସି ମତାମତ ଦେଇ ନାହାନ୍ତି। ଏପ୍ରିଲ୍-ମେ ମାସରେ ଦ୍ୱିତୀୟ ତରଙ୍ଗ ସମୟରେ କୋଭିଡ୍ ର ଦ୍ୱିତୀୟ ତରଙ୍ଗରେ ଯେଉଁପ୍ରକାର ଅବ୍ୟବସ୍ଥା ଦେଖାଯାଇଥିଲା ତାହା କଣ ତୃତୀୟ ଲହରରେ ଦେଖାଯିବ ? ମୋଟ ଉପରେ, 58% ଲୋକ ବିଶ୍ୱାସ କରନ୍ତି ଯେ ଦ୍ୱିତୀୟ ତରଙ୍ଗରୁ ଭାରତ ବହୁତ କିଛି ଶିଖିଛି ଏବଂ ସମ୍ଭାବ୍ୟ ତୃତୀୟ ତରଙ୍ଗ ପାଇଁ ପୂର୍ବ ଅପେକ୍ଷା ଅଧିକ ପ୍ରସ୍ତୁତ ଅଛି। ଲୋକାଲ୍ ସର୍କଲ୍ ରିପୋର୍ଟ କରିଛି, ‘26% ନାଗରିକ କହିଛନ୍ତି ଯେ ସେମାନଙ୍କର ‘ଦୃଢ ବିଶ୍ୱାସ’ ଅଛି, 32% ନାଗରିକ କହିଛନ୍ତି ଯେ ସେମାନେ ‘କିଛି ମାତ୍ରାରେ ଆତ୍ମବିଶ୍ୱାସୀ’ ଏବଂ 25% କହିଛନ୍ତି ଯେ ସେମାନେ ‘ଟିକେ ଆତ୍ମବିଶ୍ୱାସୀ’। ଏବଂ 13% ନାଗରିକ କହିଛନ୍ତି ଯେ ସେମାନଙ୍କର ‘ଆଦ ବିଶ୍ୱାସ ନାହିଁ, 4% କୌଣସି ମତାମତ ଦେଇ ନାହାନ୍ତି। ତେବେ ଅନ୍ୟ ପ୍ରସଙ୍ଗ ଉପରେ କହିବାକୁ ଗଲେ କେବଳ 20 ପ୍ରତିଶତ ଉତ୍ତରଦାତା ଆସନ୍ତା ବର୍ଷ ‘ସମସ୍ତଙ୍କ ପାଇଁ ବିକାଶ ଏବଂ ସମୃଦ୍ଧତା’ ଆଶା କରୁଛନ୍ତି । ସେହିଭଳି ସର୍ବେକ୍ଷଣ କରାଯାଇଥିବା ଭାରତୀୟଙ୍କ ମଧ୍ୟରୁ ମାତ୍ର 26 ପ୍ରତିଶତ କହିଛନ୍ତି ଯେ ଆସନ୍ତା 12 ମାସ ମଧ୍ୟରେ ଦେଶରେ ନୂତନ ନିଯୁକ୍ତି ଏବଂ ଉଦ୍ୟୋଗୀ ସୁଯୋଗ ”ସୃଷ୍ଟି କରିପାରିବ। ଏଥିସହ, 35 ପ୍ରତିଶତ ଲୋକ ବିଶ୍ୱାସ କରନ୍ତି ଯେ ଅଗଷ୍ଟ 15, 2022 ସୁଦ୍ଧା ଭାରତ ଲାଞ୍ଚ ଏବଂ ଦୁର୍ନୀତିକୁ ରୋକିପାରେ। ଦେଶର ସାମାଜିକ ସ୍ଥିରତା ଉପରେ ଅଗ୍ରଗତି କରିବାର କ୍ଷମତା ଉପରେ ଆତ୍ମବିଶ୍ୱାସ ସ୍ତର 26 ପ୍ରତିଶତ ରହିଛି।
ସର୍ଭେ କିପରି ହେଲା
ଲୋକାଲ୍ ସର୍କଲ୍ କହିଛି ଯେ ଏହି ସର୍ଭେରେ ଦେଶର 280 ଟି ଜିଲ୍ଲାର 75,000 ରୁ ଅଧିକ ଲୋକଙ୍କ ମତାମତ ନିଆଯାଇଛି। ସର୍ଭେରେ “68% ଉତ୍ତରଦାତା ପୁରୁଷ ହୋଇଥିବାବେଳେ 32% ଉତ୍ତରଦାତା ମହିଳା ଥିଲେ। ଉତ୍ତରଦାତାର 43% ଟାୟାର 1 ସହରରୁ, 37% ଟାୟାର 2 ସହରରୁ ଏବଂ 20% ଟାୟାର 3 ଏବଂ ଟାୟାର 4 ସହର ଏବଂ ଗ୍ରାମାଞ୍ଚଳ ଜିଲ୍ଲାର ଥିଲେ।ଯେଉଁମାନେ ନିର୍ଦ୍ଦିଷ୍ଟ ପ୍ରଶ୍ନର ଉତ୍ତର ଦେଇଥିଲେ, ସେମାନେ ସମୁଦାୟ ଉତ୍ତରଦାତାଙ୍କର ଏକ ଛୋଟ ଅଂଶ । ଅର୍ଥନୈତିକ ପୁନରୁଦ୍ଧାର ଏବଂ ତୃତୀୟ ତରଙ୍ଗ ସହିତ ମୁକାବିଲା ପାଇଁ ପ୍ରସ୍ତୁତି ସମ୍ବନ୍ଧୀୟ ପ୍ରଶ୍ନଗୁଡିକ ଉପରେ ଯଥାକ୍ରମେ 11,081 ଏବଂ 8,880 ଲୋକ ଉତ୍ତର ଦେଇଥିଲେ , ବାକି ପ୍ରଶ୍ନଗୁଡିକ 10,600 ରୁ 11,300 ଲୋକ ଉତ୍ତର ଦେଇଥିଲେ ।