ଝାଡଖଣ୍ଡ ମନରେଗା ଦୁର୍ନୀତିରେ ୫ ହଜାର ପୃଷ୍ଠାର ଚାର୍ଜସିଟ; ପୂଜା ସିଂଘଲ ସମେତ ୭ ଜଣଙ୍କ ବିରୋଧରେ ରହିଛି ତଥ୍ୟ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଝାଡଖଣ୍ଡ ମନରେଗା ଦୁର୍ନୀତିରେ ୫ ହଜାର ପୃଷ୍ଠାର ଚାର୍ଜସିଟ । ଇଡିର ଟିମ ପାଖାପାଖି ୫ ହଜାର ପୃଷ୍ଠାର ଚାର୍ଜସିଟ ଦାଖଲ କରିଥିବା ସୂଚନା ମିଳିଛି । ଏଥିରେ ପୂଜା ସିଂଘଲ ଏବଂ ସୁମନ କୁମାର ସିଂହ ସମେତ ୭ ଜଣଙ୍କ ବିରୋଧରେ ତଥ୍ୟ ରହିଛି । ପୂଜା ସିଂଘଲଙ୍କ ସ୍ୱାମୀ ଅଭିଷେକ ଝା ଏବଂ ବହିଷ୍କୃତ ଇଞ୍ଜନିୟର ବିନୋଦ ସିହ୍ନାଙ୍କ ନାଁ ମଧ୍ୟ ସାମିଲ ରହିଛି ।ଇଡିର ଅଧିକାରୀ ଦୁଇଟି ବଡ ବାକ୍ସରେ ଏହି ଚାର୍ଜସିଟକୁ କୋର୍ଟରେ ଦାଖଲ କରିଛନ୍ତି । ପୂଜା ସିଂଘଲ କରିଥିବା ଦୁର୍ନୀତିର ପୂରା ତଥ୍ୟ କୋର୍ଟକୁ ଦିଆଯାଇଛି । ମାମଲା ସହ ଜଡିତ ଅନେକ ତଥ୍ୟକୁ ମଧ୍ୟ ଏଥିରେ ରଖାଯାଇଛି ।

ଏହି ମାମଲାରେ ଜଡିତ ହେବା ପରେ ଆଇଏଏସ ପୂଜା ସିଂଘଲ ନିଲମ୍ବିତ ହୋଇଛନ୍ତି । ମେ ୫ ତାରିଖରେ ଇଡି ପୂଜାଙ୍କର ୨୫ଟି ସ୍ଥାନରେ ରେଡ କରିଥିଲା । ପରେ ପୂଜା ଏବଂ ସୁମନଙ୍କୁ ଗିରଫ କରାଯାଇଥିଲା । ୧୪ ଦିନର ରିମାଣ୍ଡରେ ନେଇ ଉଭୟଙ୍କୁ ପଚରାଉଚରା ପରେ ଅନେକ ତଥ୍ୟ ସାମ୍ନାକୁ ଆସିଥିଲା । ଇଡି ମଧ୍ୟ ବିଭିନ୍ନ ଜିଲ୍ଲାର ଡିଓମଓଙ୍କ ବିରୋଧରେ ମିଳିଥିବା ତଥ୍ୟ ଆଧାରରେ ଯାଞ୍ଚ ଆରମ୍ଭ କରିଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts