ପୁରୀ ଗସ୍ତରେ ୫ଟି ସଚିବ ଭିକେ ପାଣ୍ଡିଆନ; ଶ୍ରୀଜଗନ୍ନାଥ ବଲ୍ଳଭ ପାର୍କିଙ୍ଗ ଓ ଶ୍ରୀ ସେତୁ ନିର୍ମାଣ କାର୍ଯ୍ୟର କଲେ ସମୀକ୍ଷା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପୁରୀ ଗସ୍ତରେ ୫ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ। ଏହି ଅବସରରେ ସେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ବେଢା ପରିକ୍ରମା କରିଛନ୍ତି । ତେବେ ଆଜି ପୁରୀ ଆସିଥିବା ବେଳେ ଶ୍ରୀଜଗନ୍ନାଥ ବଲ୍ଳଭ ପାର୍କିଙ୍ଗ କାର୍ଯ୍ୟ ଓ ଶ୍ରୀ ସେତୁ କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି ୫ଟି ସଚିବ।ରାଜ୍ୟ ସରକାରଙ୍କ ପକ୍ଷରୁ ପୁରୀରେ ଉନ୍ନତି ମୂଳକ ପ୍ରକଳ୍ପ ମଧ୍ୟରେ ଶ୍ରୀସେତୁ ପ୍ରକଳ୍ପ ଏକ ପ୍ରମୁଖ ପ୍ରକଳ୍ପ ।

ଖବର ଅନୁଯାୟୀ, ଶନିବାର ସକାଳେ ୫ ଟି ସଚିବ ପୁରୀରେ ପହଞ୍ଚିବା ପରେ ପ୍ରଥମେ ଶ୍ରୀମନ୍ଦିର ଯାଇ ରତ୍ନସିଂହାସନସ୍ଥ ଚତୁର୍ଦ୍ଧା ବିଗ୍ରହଙ୍କ ଦର୍ଶନ କରି ଆଶିଷ ଲାଭ କରିଥିଲେ। ପରେ ମା ବିମଳା ଓ ମହାଲକ୍ଷ୍ମୀଙ୍କ ଦର୍ଶନ କରିଥିଲେ। ଏହାପରେ ୫-ଟି ସଚିବ ପୁରୀରେ ଚାଲିଥିବା ଶ୍ରୀଜଗନ୍ନାଥ ବଲ୍ଳଭ ପାର୍କିଙ୍ଗ କାର୍ଯ୍ୟ ଓ ଶ୍ରୀସେତୁ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରିଥିଲେ । ୫-ଟି ସଚିବଙ୍କ ସହ ଜିଲ୍ଲାପାଳ ସମର୍ଥ ବର୍ମା ମଧ୍ୟ ଉପସ୍ଥିତ ଥିଲେ। ପୁରୀକୁ ବିଶ୍ବ ଐତିହ୍ୟ ନଗରୀରେ ପରିଣତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଉନ୍ନୟନମୂଳକ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି। ତେଣୁ ୫-ଟି ସଚିବ ବିଭିନ୍ନ ସମୟରେ ପୁରୀ ଗସ୍ତରେ ଆସି ସମସ୍ତ କାର୍ଯ୍ୟର ତଦାରଖ କରିବା ସହ ଅନୁଧ୍ୟାନ ମଧ୍ୟ କରୁଛନ୍ତି।

Related Posts