(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ କରୋନା ସ୍ଥିତି ଆୟତ୍ତ ହେବାରେ ଲାଗିଛି । ହେଲେ କରୋନାର ତୃତୀୟ ଲହର ପାଇଁ ସ୍ୱାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ତେବେ ଜେନେରାଲ ବେଡ ଯେତିକି ବଢ଼ିବା କଥା ବଢ଼ିଛି। ସରକାରଙ୍କ ଗାଇଡଲାଇନ ଅନୁସାରେ ପେଡିଆଟ୍ରିକ ବେଡ୍ ସଂଖ୍ୟା ବଢ଼ିବା ନେଇ ପ୍ରସ୍ତୁତି ଚାଲିଛି। ଏହାଛଡ଼ା ଆବଶ୍ୟକୀୟ ଉପକରଣ, ଅକ୍ସିଜେନ ଲାଗି ଭିତ୍ତିଭୂମି ପ୍ରସ୍ତୁତ ରହିଛି। ଅକ୍ସିଜେନ ପ୍ଲାଣ୍ଟର ବ୍ୟବସ୍ଥା ମଧ୍ୟ କରାଯାଉଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ଅପରିପକ୍ଷରେ ଅନ୍ୟ ରାଜ୍ୟ, ଦେଶମାନଙ୍କରେ କରୋନାର ତୃତୀୟ ଲହରର ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି ।
ତୃତୀୟ ଲହରୀରେ ଶିଶୁଙ୍କୁ ଅଧିକ ସଂକ୍ରମଣ ହେବାର ଆଶଙ୍କା ରହୁଥିବାରୁ ଏନେଇ ସ୍ୱାସ୍ଥ୍ୟକର୍ମୀଙ୍କୁ ଟ୍ରେନିଂ ଦିଆଯାଉଛି ବୋଲି ବିଜୟ ମହାପାତ୍ର କହିଛନ୍ତି । ଏହା ସହ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ଯେ ଆମେ ବର୍ତ୍ତମାନ ଦ୍ୱିତୀୟ ଲହରରେ ଅଛେ । ସଂକ୍ରମଣ ଏବେ ବି ଜାରି ରହିଛି । ଯେଉଁ ଅଞ୍ଚଳରେ ଅଧିକ ଲୋକ ରହୁଛନ୍ତି ସେଠାରେ ସଂକ୍ରମଣର ଆଶଙ୍କା ରହୁଛି । ଅନ୍ୟ ରାଜ୍ୟକୁ ଯଦି ଆମେ ଦେଖିବା ତାହାଲେ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ତେଣୁ ଆମକୁ ସତର୍କ ରହିବାକୁ ପଡିବ । ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସମସ୍ତ ଗାଇଡଲାଇନ ପାଳନ କଲେ ଆମେ କରୋନାକୁ ନିୟନ୍ତ୍ରଣ କରାଯାଇ ପାରିବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ।