ମହାକୁମ୍ଭ ଦଳାଚକଟାରେ ୩୦ ମୃତ୍ୟୁ; କାର୍ଯ୍ୟାନୁଷ୍ଠାନ ପାଇଁ ସୁପ୍ରିମକୋର୍ଟରେ ମାମଲା

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ସୁପ୍ରିମକୋର୍ଟରେ ପହଞ୍ଚିଲା ମହାକୁମ୍ଭ ଦଳାଚକଟାରେ ମୃତ୍ୟୁ ମାମଲା। ଏନେଇ ଦାୟର ହୋଇଛି ଜନସ୍ଵାର୍ଥ ମାମଲା। ଆବେଦନରେ ପ୍ରୟାଗରାଜ ମହାକୁମ୍ଭରେ ଘଟିଥିବା ଦଳାଚକଟା ଉପରେ ଷ୍ଟାଟସ୍ ରିପୋର୍ଟ ଏବଂ ଏଥିପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି। ସୁପ୍ରିମକୋର୍ଟର ଆଇନଜୀବୀ ବିଶାଲ ତିୱାରୀ ଏହି ଜନସ୍ଵାର୍ଥ ମାମଲା ଦାଖଲ କରିଛନ୍ତି।

ଏହି ଆବେଦନରେ ସବୁ ରାଜ୍ୟ ଦ୍ଵାରା କୁମ୍ଭ ମେଳା ଅଞ୍ଚଳରେ ସୁବିଧା କେନ୍ଦ୍ର ଖୋଲିବାକୁ ଦାବି କରାଯାଇଛି, ଯହା ଦ୍ଵାରା ଅଣ-ହିନ୍ଦୀ ଭାଷାଭାଷୀ ଲୋକ ସୁବିଧା ପାଇପାରିବେ। ଏଥିସହିତ ମହାକୁଂଭରେ ଭିଆଇପି ବ୍ୟବସ୍ଥାକୁ ସୀମିତ କରି ସାଧାରଣ ଲୋକଙ୍କ ପାଇଁ ଅଧିକରୁ ଅଧିକ ସ୍ଥାନ ରଖିବା ଉଚିତ ବୋଲି ଆବେଦନରେ ଦର୍ଶାଯାଇଛି। ଏହାସହିତ ଦଳାଚକଟାରୁ ରକ୍ଷା ପାଇବା ଏବଂ ଲୋକଙ୍କୁ ସଠିକ୍ ସୂଚନା ପ୍ରଦାନ କରିବା ପାଇଁ ଦେଶର ପ୍ରମୁଖ ଭାଷାମାନଙ୍କରେ ଡିସ୍‌ପ୍ଲେ ବୋର୍ଡ ଲଗାଇବା, ମୋବାଇଲ୍, ହ୍ବାଟ୍ସଆପ୍‌ରେ ରାଜ୍ୟମାନଙ୍କ ଦ୍ଵାରା ନିଜ ତୀର୍ଥଯାତ୍ରୀମାନଙ୍କୁ ସୂଚନା ପ୍ରଦାନ କରିବାକୁ ଆବେଦନରେ ଦାବି କରାଯାଇଛି। ଏହା ବ୍ୟତୀତ କୁମ୍ଭ ଭଳି ବଡ଼ ଧାର୍ମିକ ଆୟୋଜନରେ ଦେଶର ଅନ୍ୟ ରାଜ୍ୟମାନଙ୍କରୁ ଆସୁଥିବା ଅଣ-ହିନ୍ଦୀ ଭାଷାଭାଷୀ ଲୋକଙ୍କ ସୁବିଧା ପାଇଁ ସବୁ ରାଜ୍ୟ ପକ୍ଷରୁ କୁମ୍ଭରେ ଡାକ୍ତରୀ ସହାୟତା ଡେସ୍କ ସ୍ଥାପନ କରିବାକୁ ମଧ୍ୟ ଦାବି କରାଯାଇଛି।

ତେବେ ଗତକାଲି ମୌନୀ ଅମାବାସ୍ୟା ଅବସରରେ ମହାକୁମ୍ଭରେ ସଙ୍ଗମ ସ୍ଥଳରେ ବୁଡ଼ ପକାଇବାକୁ ଶ୍ରଦ୍ଧାଳୁଙ୍କ ଅସମ୍ଭାଳ ଭିଡ଼ ହୋଇଥିଲା। ଫଳରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିରେ ପ୍ରାୟ ୩୦ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୬୦ରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇଥିବା ସରକାରୀ ଭାବେ ଦର୍ଶାଯାଇଛି। ଭିଆଇପି ବ୍ୟବସ୍ଥା ଏହି ଦଳାଚକଟା ପାଇଁ ପ୍ରମୁଖ ଭାବେ ଦାୟୀ ବୋଲି କୁହାଯାଉଛି | ତେବେ ସରକାରୀ ଭାବେ ଏହାକୁ ସ୍ବୀକାର କରାଯାଇନଥିଲେ ମଧ୍ୟ ଦଳାଚକଟା ପରେ ସମସ୍ତ VVIP ପାସ ବ୍ୟବସ୍ଥାକୁ ବାତିଲ କରାଯାଇଛି |

Related Posts