ପ୍ରାଣ ବିକଳରେ ଦେଶ ଛାଡି ଚାଲିଯିବାକୁ ଉଦ୍ୟମ କରି ବିମାନ ଟାୟାରରେ ଝୁଲିଥିଲେ ୩ ଯୁବକ; ଖସିପଡିବାରୁ ଚାଲିଗଲା ୩ ଜଣଙ୍କ ଜୀବନ

taliban

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଆଫଗାନିସ୍ତାନକୁ ତାଲିବାନୀମାନେ ପ୍ରବେଶ କରିବା ପରେ ଚାରିପଟେ ଭୟର ବାତାବରଣ ଦେଖାଦେଇଛି । ନିଜ ଓ ନିଜର ପରିବାରର ଜୀବନକୁ ବଞ୍ଚାଇ ପାଇଁ ସେଠାକାର ଲୋକମାନେ ଅନ୍ୟ ଦେଶକୁ ଯିବା ପାଇଁ କଠିନ ପରିଶ୍ରମ କରୁଛନ୍ତି । ଇତିମଧ୍ୟରେ ସାମ୍ନାକୁ ଆସିଛି ଏକ ଛାଡିଥରା ଘଟଣା । ଆମେରିକା ଯାଉଥିବା ବିମାନ ଭିତରେ ସିଟ୍ ନ ପାଇ ଲୋକମାନେ ଏହାର ଚକରେ ଝୁଲି ରହିଥିଲେ । ଏପରକି ସେମାନେ ଚକରେ ଝୁଲି ଆକାଶ ମାର୍ଗରେ ଉଡୁଥିବାର ମଧ୍ୟ ଦେଖିବା ପାଇଁ ମିଳିଥିଲା । କିନ୍ତୁ ଶେଷରେ ୩ ଜଣ ଯୁବକ ଖସିଯାଇ ତଳେ ପଡିଯାଇଥିଲେ । ଏବଂ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା ।

ଅପରିପକ୍ଷେ ସମ୍ପୃକ୍ତ ଯୁବକଙ୍କ ଖସିଯିବାର ଭିଡିଓ ର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଅନ୍ୟପଟେ କାବୁଲ ଅନ୍ତର୍ଜାତୀୟ ବିମାନବନ୍ଦରର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଆମେରିକାର ବାୟୁସେନା ବିମାନ ଚଳାଚଳ କରୁଥିବା ସମୟରେ ବହୁ ସଂଖ୍ୟାରେ ଯୁବକ ଏକତ୍ରିତ ହେଉଛନ୍ତି। ଏହା ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ତାଲିବାନ ବିଷୟରେ ଏଠାକାର ଲୋକମାନେ କେତେ ଭୟ କରୁଛନ୍ତି। ଆଫଗାନିସ୍ତାନର ଲୋକମାନେ ଦେଶ ଛାଡିବାକୁ ଏତେ ତତ୍ପର ହୋଇପଡିଛନ୍ତି ଯେ ସେମାନଙ୍କ ଜୀବନର ଯତ୍ନ ନ ନେଇ ସେମାନେ ବିମାନର ଚକ ଧରି ଯାତ୍ରା କରିବା ପାଇଁ ମଧ୍ୟ ପଛାଉ ନାହାଁନ୍ତି ।

ଏହା ସହ କାବୁଲ ବିମାନବନ୍ଦରର ଯାତ୍ରୀ ଟର୍ମିନାଲରେ ମଧ୍ୟ ଗୁଳି ବିନିମୟରେ ଲୋକଙ୍କ ମୃତ୍ୟୁ ଘଟିଛି। ହମିଦ କରଞ୍ଜାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ଆମେରିକାର ସୈନ୍ୟବାହିନୀ ଲୋକଙ୍କ ଭିଡ଼କୁ ରୋକିବା ପାଇଁ ବାୟୁରେ ଗୁଳି ଚଳାଇଥିଲେ। ଏ ଘଟଣା ପରେ ସାକ୍ଷୀମାନେ କହିଛନ୍ତି ଯେ ସେହି ସ୍ଥାନରେ ୮ ଜଣଙ୍କ ମୃତ ଦେହ ଦେଖିବା ପାଇଁ ମିଳିଥିଲା । ହେଲେ ଏହା ଦଳାଚକଟା ପାଇଁ ହୋଇଛି ନା ଗୁଳି ବାଜିବା ପରେ ହୋଇଛି ତାହା ସ୍ପଷ୍ଟ କରାଯାଇ ନାହିଁ । ଏହା ପରେ ବିମାନ ବନ୍ଦରରେ ଥିବା ସମସ୍ତ ବାଣିଜ୍ୟିକ ସେବାକୁ ସ୍ଥଗିତ ରଖାଯାଇଛି, କେବଳ ବ୍ରିଟେନ, ଆମେରିକା ଏବଂ ଅନ୍ୟ ପଶ୍ଚିମ ଦେଶର ନାଗରିକଙ୍କ ପାଇଁ ବିମାନ ଅନୁମତି ଦିଆଯାଇଛି।

Related Posts