ଲୋକସଭାରେ ଗୃହୀତ ହେଲା ୩ଟି ଅପରାଧିକ ଆଇନ ବିଲ୍

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଲୋକସଭାରେ ଅପରାଧିକ ଆଇନ ସମ୍ବନ୍ଧୀୟ ୩ଟି ବିଲ୍ ଗୃହୀତ ହୋଇଛି। ଏହି ୩ଟି ଆଇନ ହେଉଛି ଭାରତୀୟ ନ୍ୟାୟ ସଂହିତା (୨ୟ) ୨୦୨୩ ବିଲ୍, ଭାରତୀୟ ନାଗରିକ ସୁରକ୍ଷା (୨ୟ) ସଂହିତା ବିଲ୍ ଓ ଭାରତୀୟ ସାକ୍ଷ୍ୟ (୨ୟ) ବିଲ୍ । ବାଚନିକ ଭୋଟରେ ଏହି ବିଲ୍ ଗୁଡ଼ିକ ଗୃହୀତ ହୋଇଛି । ସଂସଦର ୧୪୩ ଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇଥିବାବେଳେ ଏସବୁ ବିଲ୍ ଗୃହୀତ ହୋଇଛି। ଏସବୁ ବିଲ୍ ଆଇନରେ ପରିଣତ ହେବା ପରେ ସେଗୁଡ଼ିକ ବ୍ରିଟିଶ ଅମଳରୁ ପ୍ରଚଳିତ ଅପରାଧିକ ଆଇନ ଇଣ୍ଡିଆନ ପେନାଲ କୋଡ୍ (ଆଇପିସି), କୋଡ ଅଫ କ୍ରିମିନାଲ ପ୍ରୋସେଜ୍ୟୋର ଓ ଇଣ୍ଡିଆନ ଏଭିଡେନ୍ସ ଆକ୍ଟ ବଦଳରେ ଲାଗୁ ହେବ । ଏହା ପୂର୍ବରୁ ଏହି ବିଲ୍ ଉପରେ ଆଲୋଚନା ହୋଇଥିଲା। ନୂଆ ଆଇନରେ ଆତଙ୍କବାଦ, ମହିଳାଙ୍କ ବିରୋଧରେ ଅପରାଧ, ଦେଶଦ୍ରୋହ ଓ ମବ୍ ଲିଞ୍ଚିଂ ସଂକ୍ରାନ୍ତ ନୂଆ ବ୍ୟବସ୍ଥା ପ୍ରଣୟନ କରାଯାଇଛି।

ଲୋକସଭାରେ ଅପରାଧିକ ନ୍ୟାୟ ବ୍ୟବସ୍ଥା ସହ ଜଡିତ ତିନୋଟି ନୂଆ ବିଲ୍ ଉପରେ ବିତର୍କର ଉତ୍ତର ଦେଇ ଅମିତ ଶାହା କହିଛନ୍ତି, ବ୍ୟକ୍ତିଗତ ସ୍ୱାଧୀନତା, ମାନବିକ ଅଧିକାର ଏବଂ ସମସ୍ତଙ୍କ ସହ ସମାନ ବ୍ୟବହାରର ତିନୋଟି ନୀତି ଆଧାରରେ ନୂତନ ଆଇନ ପ୍ରସ୍ତୁତ କରାଯାଉଛି। ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଅପରାଧିକ ନ୍ୟାୟ ବ୍ୟବସ୍ଥା ସହ ଜଡିତ ତିନୋଟି ଆଇନକୁ ମାନବୀକରଣ କରାଯିବ । ଶାହା କହିଛନ୍ତି, ନୂଆ ଆଇନରେ ମହିଳା ଓ ଶିଶୁମାନଙ୍କ ସଂପର୍କିତ ଆଇନଗୁଡ଼ିକ ଉପରେ ପ୍ରାଥମିକତା ଦିଆଯାଇଛି । ସେହିପରି ମାନବ ଅଧିକାର ଓ ରାଷ୍ଟ୍ରୀୟ ସୁରକ୍ଷା ସଂପର୍କିତ ଆଇନ ଉପରେ ବି ପ୍ରାଥମିକତା ଦିଆଯାଇଛି ।

Related Posts