ଭୁବନେଶ୍ୱର,୪/୯(ସତ୍ୟପାଠ ବ୍ୟୁରୋ): ଭୋଟ ବିକଳରେ ନିର୍ବାଚନ ଠିକ ପୂର୍ବରୁ ରାଜ୍ୟ ରାଜକୋଷରୁ ୨୪୭ କୋଟି ଟଙ୍କା ଖର୍ଚ୍ଚ କରି ଝୋଟ ବ୍ୟାଗ ବାଣ୍ଟିଥିଲେ ନବୀନ ସରକାର । ବିଧାନସଭାରୁ ଆଜି ଏଭଳି କିଛି ତଥ୍ୟ ସାମ୍ନାକୁ ଆସିଛି । ବିଜେପି ବିଧାୟକ ଅମରେନ୍ଦ୍ର ଦାସଙ୍କ ଏକ ପ୍ରଶ୍ନର ଉତ୍ତରରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉତ୍ତର ରଖି ଜଣାଇଛନ୍ତି ଯେ, ‘ରାଜ୍ୟର ସମସ୍ତ ନିର୍ବାଚନ ମଣ୍ଡଳୀରେ, ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଯେଉଁ ଝୋଟ ବ୍ୟାଗ ବଣ୍ଟନ କରାଯାଇଥିଲା, ସେଥିପାଇଁ ସମୁଦାୟ ୨୪୭ କୋଟି ୩୬ ଲକ୍ଷ ୬୪ହଜାର ୨୯୭ ଟଙ୍କା ଖର୍ଚ୍ଚ କରାଯାଇଅଛି । ସେହିପରି, ପ୍ରତ୍ୟେକ ପରିବାର ପିଛା ୧୦୦୦/- ଟଙ୍କା ଲେଖାଏଁ ସହାୟତା ରାଶି ବଣ୍ଟନ କରାଯାଇ, ଏହି ବାବଦକୁ ସମୁଦାୟ ୯୫୯ କୋଟି ୦୫ ଲକ୍ଷ ୨୬ ହଜାର ଟଙ୍କାର ବ୍ୟୟବରାଦ କରାଯାଇଅଛି ।ଯେଉଁମାନେ ପାଇବାରୁ ବଞ୍ଚିତ ଅଛନ୍ତି, ସେମାନଙ୍କୁ ପ୍ରଦାନ କରିବା ପାଇଁ ବର୍ତ୍ତମାନ କିଛି ବ୍ୟବସ୍ଥା ନାହିଁ ।
ତେବେ ବିଧାୟକ ଅମରେନ୍ଦ୍ର ଦାସ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଙ୍କୁ ପ୍ରଶ୍ନ କରିଥିଲେ ଯେ, ରାଜ୍ୟରେ ସମସ୍ତ ନିର୍ବାଚନ ମଣ୍ଡଳୀରେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଯେଉଁ ଝୋଟୋ ବ୍ୟାଗ୍ ବଣ୍ଟନ କରା ଯାଇଥିଲା, ଏଥୁପାଇଁ କେଉଁ ଜିଲ୍ଲାରେ କେତେ ଅର୍ଥ ଖର୍ଚ୍ଚ କରାଯାଇଅଛି ତାହାର ଏକ ଜିଲ୍ଲାୱାରୀ ତାଲିକା ପ୍ରଦାନ କରିବେ କି ଏବଂ ଯେଉଁ ୧୦୦୦/- ଟଙ୍କା ପ୍ରଦାନ କରାଯାଇଥିଲା, ଏଥିପାଇଁ କେଉଁ ଜିଲ୍ଲାରେ କେତେ ଅର୍ଥ ଖର୍ଚ୍ଚ କରାଯାଇଅଛି ଏବଂ ଯେଉଁମାନେ ପାଇବାରୁ ବଞ୍ଚିତ ଅଛନ୍ତି ସେମାନଙ୍କୁ ପ୍ରଦାନ କରିବା ପାଇଁ କିଛି ବ୍ୟବସ୍ଥା ଅଛି କି ?
ଏହାର ଉତ୍ତରରେ ମନ୍ତ୍ରୀ ଏଭଳି କିଛି ତଥ୍ୟ ଉପସ୍ଥାପନ କରିଛନ୍ତି । ଯାହା କେବଳ ଭୋଟ୍ ହାତେଇବା ପାଇଁ ବିଜେଡି ସରକାର କରିଥିଲେ ବୋଲି ଏବେ ଚର୍ଚ୍ଚା ହେଉଛି ।