ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଦୀପାବଳି ଅବସରରେ ରାମନଗରୀ ଅଯୋଧ୍ୟା ପୁଣି ଏକ ନୂଆ ରେକର୍ଡ ସୃଷ୍ଟି କରିବାକୁ ଯାଉଛି । ଆଜି ଅଯୋଧ୍ୟାକୁ ଏକାସାଙ୍ଗରେ ୨୪ ଲକ୍ଷରୁ ଅଧିକ ଦୀପରେ ଆଲୋକିତ କରାଯିବ । ଏଥିପାଇଁ ରାମଙ୍କ ପୀଠ ଓ ଚୌଧୁରୀ ଚରଣ ସିଂହ ଘାଟ ସମେତ ୫୧ଟି ପ୍ରମୁଖ ଘାଟରେ ପ୍ରସ୍ତୁତି କରାଯାଇଛି । ଦୀପାବଳି ପାଇଁ ସଜେଇ ହୋଇଛି ସାରା ସହର । ଦୀପୋତ୍ସବ ପାଇଁ ବିଭିନ୍ନ ସାଂସ୍କୃତିମ କାର୍ଯ୍ୟକ୍ରମ ମଧ୍ୟ ଓ ଶୋଭାଯାତ୍ରା କରାଯାଇଛି । ସେହିପରି ଦୀପୋତ୍ସବରେ ଲେଜର ସୋ’ ଆୟୋଜନ କରାଯାଇଛି । ଏଥିରେ ୟୁପି ସହିତ ଅନେକ ରାଜ୍ୟର ସଂସ୍କୃତିର ଝଲକ ଦେଖିବାକୁ ମିଳିଛି । ଲେଜର ସୋ’ରେ ରାମଙ୍କ ଜୀବନର ଝଲକ ଦେଖିବାକୁ ମିଳିବ ।
ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶରେ ଦୀପୋତ୍ସବ ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି । ୨୫ ହଜାରରୁ ଅଧିକ ସ୍ୱେଚ୍ଛାସେବୀ ଦୀପୋତ୍ସବରେ ପୁଣି ଥରେ ବିଶ୍ୱ ରେକର୍ଡ କରିବେ । ଗତବର୍ଷ ଦୀପାବଳିରେ ୧୫ ଲକ୍ଷ ଦୀପ ଲଗାଇବା ପାଇଁ ୨ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିଲା । ୨୦୧୭ରେ ଯୋଗୀ ଆଦିତ୍ୟନାଥ ଉତର ପ୍ରଦେଶର ମୁଖ୍ୟମନ୍ତ୍ରୀ ହେବା ପରେ ଏହା ହେଉଛି ସପ୍ତମ ଦୀପୋତ୍ସବ । ଏଥରର ଦୀପାବଳି ଅନେକ ଦୃଷ୍ଟିରୁ ଖାସ୍ ହେବାକୁ ଯାଉଛି । କେବଳ ବିଶ୍ୱ ରେକର୍ଡ ନୁହେଁ, ଅଧିକରୁ ଅଧିକ ଲୋକଙ୍କୁ ଯୋଡ଼ିବା ପାଇଁ ଯୋଜନା କରାଯାଇଛି । ଏହି ଦୀପୋତ୍ସବରେ ରୁଷିଆ, ଶ୍ରୀଲଙ୍କା, ସିଙ୍ଗାପୁର ଓ ନେପାଳର ବିଦେଶୀ କଳାକାରଙ୍କୁ ନେଇ ରାମଲୀଳା ମଧ୍ୟ ଆୟୋଜିତ ହେବ । ଦେଶର ୨୧ଟି ରାଜ୍ୟର ରାମଲୀଳା ଓ ରାମାୟଣ ପରମ୍ପରା ଉପରେ ଆଧାରିତ ଲୋକନୃତ୍ୟର ଝଲକ ଦେଖିବାକୁ ମିଳିଛି । ସେପଟେ ଅଯୋଧ୍ୟାରେ ଭଗବାନ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ କାମ ଜୋରସୋରରେ ଚାଲିଛି । ୨୦୨୪, ଜାନୁଆରୀ ୨୨ ତାରିଖରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ ।