ଭୁବନେଶ୍ୱର,୧୩/୧୨ (ସତ୍ୟପାଠ ବ୍ୟୁରୋ): ମଙ୍ଗଳବାର କଟକର ବାରବାଟୀ ଷ୍ଟାଡିୟମରେ ଦୃଷ୍ଟିବାଧିତ ଟି-ଟ୍ବେଣ୍ଟି ବିଶ୍ବକପ କ୍ରିକେଟ ମ୍ୟାଚ ଖେଳାଯାଇଛି। ଏହି ମ୍ୟାଚ୍ରେ ବାଂଲାଦେଶକୁ ୭ ୱିକେଟରେ ପରାସ୍ତ କରିଛି ଭାରତ। ଟି ଦୁର୍ଗା ରାଓଙ୍କ ଧୂଆଁଧାର ୭୩ ରନ୍ ବଳରେ ଏହି ଚିତାକର୍ଷକ ମ୍ୟାଚକୁ ଜିତି ନେଇଛି ଭାରତ। ତେବେ ଟିମ ଇଣ୍ଡିଆ ପାଇଁ ଦଳର ପ୍ରାରମ୍ଭିକ ଯୋଡିରେ ଥିବା ଓଡ଼ିଆ ଷ୍ଟାର ବ୍ୟାଟର ନକୁଳ ବଡ଼ ନାୟକ ବ୍ୟକ୍ତିଗତ ଭାବରେ ୩୬ ରନ୍ କରି ଆଉଟ ହୋଇଥିଲେ।
ତେବେ ବାରବାଟୀରେ ଖେଳାଯାଉଥିବା ଭାରତ ଓ ବାଂଲାଦେଶ ଦୃଷ୍ଟିବାଧିତ ବିଶ୍ୱକପର ତୃତୀୟ ଟି-ଟ୍ବେଣ୍ଟି ମ୍ୟାଚରେ ଆଜି ଟସ୍ ଜିତି ଭାରତ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଭ୍ରମଣକାରୀ ବାଂଲାଦେଶ ନିର୍ଦ୍ଧାରିତ ୨୦ ଓଭରରେ ୪ୱିକେଟ ହରାଇ ସଂଗ୍ରହ କରିଥିଲା ୧୬୬ ରନ୍। ତେବେ ଦଳ ପକ୍ଷରୁ ଅଧିନାୟକ ଆସିକୁର ରେହେମାନ ସର୍ବାଧିକ ୭୫ ରନ କରିଥିବା ବେଳେ ମହମ୍ମଦ ଆରିଫ ୩୩ ଓ ତାଂଜିଲ ୨୦ ରନ୍ କରିଥିଲେ। ଭାରତ ପକ୍ଷରୁ ନକୁଳ ବଡନାୟକ ୨ ଓଭରରେ ୭ ରନ୍ ଦେଇ ଗୋଟିଏ ୱେକେଟ ନେବାରେ ସକ୍ଷମ ହୋଇଥିଲେ। ତେବେ କମ ରନ୍ ଯୋଗୁ ମ୍ୟାଚ ପରାଜୟ ହେବାର ମୁଖ୍ୟ କାରଣ ବୋଲି ବାଂଲାଦେଶ ଅଧିନାୟକ ପ୍ରତିକ୍ରିୟାରେ କହିଛନ୍ତି।