ରାୟଗଡ଼ାରେ ୨ ଋଷୀୟ ପର୍ଯ୍ୟଟକ ମୃତ୍ୟୁ ଘଟଣା: ତଦନ୍ତରେ ସହଯୋଗ ପାଇଁ କ୍ରାଇମବ୍ରାଞ୍ଚକୁ ଡିଜିପିଙ୍କ ନିର୍ଦ୍ଦେଶ

ଭୁବନେଶ୍ଵର,୨୭/୧୨(ସତ୍ୟପାଠ ବ୍ୟୁରୋ): ରାୟଗଡ଼ା ହୋଟେଲରେ ୨ ଜଣ ଋଷିୟ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣାରେ ଆବଶ୍ୟକ ପଡ଼ିଲେ କ୍ରାଇମବ୍ରାଞ୍ଚ ତଦନ୍ତ କରିବ। ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂଶଲ ତଦନ୍ତରେ ସହଯୋଗ ପାଇଁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛନ୍ତି। କ୍ରାଇମବ୍ରାଞ୍ଚ ଜିଲ୍ଲା ପୁଲିସକୁ ତଦନ୍ତରେ ସହଯୋଗ କରିବ। ଋଷୀୟ ପର୍ଯ୍ୟଟକଙ୍କ କେଉଁ ପରିସ୍ଥିତିରେ ମୃତ୍ୟୁ ହୋଇଥିଲା, ସେନେଇ କ୍ରାଇମବ୍ରାଞ୍ଚ ସହଯୋଗ କରିବ।ଦରକାର ପଡ଼ିଲେ କ୍ରାଇମବ୍ରାଞ୍ଚ ପୂରା ଘଟଣାର ତଦନ୍ତ କରିବ।

ଋଷୀୟ ସାଂସଦ ପାଭେଲ ଆଣ୍ଟୋଭ ଓ ତାଙ୍କ ବନ୍ଧୁଙ୍କ ମୃତ୍ୟୁ ଘଟଣାରେ ଦକ୍ଷିଣ-ପଶ୍ଚିମ ଡିଆଇଜି ରାଜେଶ ପଣ୍ଡିତ ହୋଟେଲରେ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ରାୟଗଡ଼ା ଏସ୍‌ପି ବିବେକାନନ୍ଦ ଶର୍ମା ମଧ୍ୟ ଘଟଣାସ୍ଥଳକୁ ଯାଇଛନ୍ତି। ଡିଆଇଜି ଶ୍ରୀ ପଣ୍ଡିତ କହିଛନ୍ତି ଯେ, ତଦନ୍ତ ଚାଲିଛି। ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରାଯାଇଛି। ପୋଷ୍ଟମର୍ଟମ ବେଳର ଭିଡିଓ ରେକର୍ଡିଂ କରାଯାଇଛି। ମାଜିଷ୍ଟ୍ରେଟ୍‌ଙ୍କ ସାମ୍ନାରେ ଇନ୍‌କୁଏଷ୍ଟ କରାଯାଇଛି। ତଦନ୍ତ କରି ତଥ୍ୟ ସାମ୍ନାକୁ ଆଣିବୁ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ, ରାୟଗଡ଼ାରେ ୨ରୁଷୀୟ ପର୍ଯ୍ୟଟକ ପାଭେଲ ଆନ୍ତୋଭ ଓ ଭ୍ଲାଦିମିରଙ୍କ ମୃତ୍ୟୁ ହୋଇଛି। ମୃତ ପାଭେଲ ଆନ୍ତୋଭ ରୁଷର ସାଂସଦ ତଥା ଜଣେ କୋଟିପତି ବ୍ୟବସାୟୀ ଥିଲେ ବୋଲି ଜଣାଯାଇଛି। ରୁଷ ଯୁକ୍ରେନ ଯୁଦ୍ଧ ସମୟରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କୁ ସମାଲୋଚନା କରି ଚର୍ଚ୍ଚାରେ ଥିଲେ ପାଭେଲ। ପାଭେଲଙ୍କ ମୃତ୍ୟୁ ନେଇ ଦୂତାତବାସଠୁ ଖବର ପାଇବା ପରେ ଶୋକବ୍ୟକ୍ତ କରିଛନ୍ତି ରୁଷ ସଂସଦର ଉପ ବାଚସ୍ପତି। ନିଜ ଜନ୍ମଦିନ ପାଳନ ପାଇଁ ନିଜ ସାଙ୍ଗ ପାନ ସେଙ୍କୋ, ଟୁର୍ଭୋ, ଭ୍ଲାଦିମିର ବିଦାନୋଭଙ୍କ ସହ ଓଡ଼ିଶା ଆସିଥିଲେ ପାଭେଲ।

ସେମାନେ ଟୁରିଷ୍ଟ ଭିସାରେ ଡିସେମ୍ବର ୧୯ ତାରିଖରେ ଦିଲ୍ଲୀ ପହଞ୍ଚି ଭାୟା ଭୁବନେଶ୍ୱର ହୋଇ ଡିସେମ୍ବର ୨୧ ତାରିଖରେ ରାୟଗଡ଼ାରେ ପହଞ୍ଚିଥିଲେ। ଦାରିଙ୍ଗବାଡ଼ି ବୁଲିବା ପରେ ପରବର୍ତ୍ତୀ ଗନ୍ତବ୍ୟସ୍ଥଳକୁ ଜୟପୁରକୁ ଯାଇଥାନ୍ତେ। ଏଥିପାଇଁ ହୋଟେଲର ଗୋଟିଏ ରୁମରେ ରହିଥିଲେ ଦମ୍ପତି ପାନ ସେଙ୍କୋ ଓ ଟୁର୍ଭୋ। ଆଉ ଏକ ରୁମରେ ରହିଥିଲେ ଭ୍ଲାଦିମିର ଓ ପାଭେଲ। କିନ୍ତୁ ୨୨ ତାରିଖରେ ଆକସ୍ମିକ ଭାବେ ରୁମରେ ପ୍ରାଣ ହରାଇଲେ ଭ୍ଲାଦିମିର୍। ଏହାର ଦୁଇ ଦିନ ପରେ ଅର୍ଥାତ ୨୪ ତାରିଖରେ ହୋଟେଲ୍ ତଳୁ ପାଭେଲଙ୍କ ମୃତଦେହ ମିଳିଥିଲା।

ଯାଞ୍ଚ ଅଧିକାରୀ ବିବେକାନନ୍ଦ ଶର୍ମାଙ୍କ ମୁତାବିକ, ଡିସେମ୍ବର ୨୧ରେ ୪ ଜଣ ହୋଟେଲରେ ରହିବା ପାଇଁ ଆସିଥିଲେ । ୨୨ ଡିସେମ୍ବର ସକାଳୁ ଭ୍ଲାଦିମିରଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ପୋଷ୍ଟମର୍ଟମ ପରେ ତାଙ୍କର ମୃତ୍ୟୁ ହୃଦଘାତରେ ହୋଇଥିବା ଜଣାପଡିଛି । ତାଙ୍କର ଅନ୍ତିମ ସଂସ୍କାର ମଧ୍ୟ କରାଯାଇଥିଲା । ବନ୍ଧୁଙ୍କ ମୃତ୍ୟୁ ପରେ ତାଙ୍କ ବନ୍ଧୁ ତଥା ଋଷୀୟ ସାଂସଦ ପାୱେଲ ଆନ୍ଥୋବ ଉଦାସ ନଜର ଆସୁଥିଲେ । ଡିସେମ୍ବର ୨୪ରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

Related Posts