+୨ ପରୀକ୍ଷାକୁ ନେଇ ବଢ଼ିଲା ଚିନ୍ତା; ପରୀକ୍ଷାରେ ଅସହଯୋଗ କରିବେ ୬୬୨ ବର୍ଗ କଲେଜ ଅଧ୍ୟାପକ

ଭୁବନେଶ୍ଵର,୨୭/୨(ସତ୍ୟପାଠ ବ୍ୟୁରୋ): ମାର୍ଚ୍ଚ ୧ରୁ ଯୁକ୍ତ୨ ପରୀକ୍ଷା। ହାତରେ ଆଉ ୪୮ ଘଣ୍ଟାରୁ କମ ସମୟ ଥିବା ବେଳେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଅଧିକାଂଶ ହବ୍‌ରେ ପ୍ରଶ୍ନପତ୍ର ପହଞ୍ଚିସାରିଥିବା ବେଳେ ଯେଉଁ ଅଳ୍ପ କିଛି ବାକି ରହିଛି ଆଜି ସନ୍ଧ୍ୟା ସୁଦ୍ଧା ପ୍ରଶ୍ନପତ୍ର ସମେତ ଅନ୍ୟାନ୍ୟ ଜରୁରୀ କାଗଜପତ୍ର ପହଞ୍ଚିବ ବୋଲି ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ମାତ୍ର ପରୀକ୍ଷା ପରିଚାଳନାକୁ ନେଇ ସମସ୍ୟା ସୃଷ୍ଟି ହୋଇଛି। ସମାନ ଗ୍ରେଡ୍‌ ପେ’କୁ ସମାନ ଦରମା, ସମସ୍ତଙ୍କୁ ପେନ୍‌ସନ୍‌ ଓ ଗ୍ରାଚୁଇଟି, ୨୦୧୮ ଜିଓକୁ ୭ମ ବେତନ ପ୍ରଦାନ, ଅସଙ୍ଗତି ନଥିପତ୍ର ଯାଞ୍ଚ କରି କଲେଜ କର୍ମଚାରୀଙ୍କୁ ଅନୁଦାନ ପ୍ରଦାନ ପରି ୪ଦଫା ଦାବିରେ ୬୬୨(ଯୁକ୍ତ୨ ଓ ଯୁକ୍ତ୩) ବେସରକାରୀ କଲେଜ ଅଧ୍ୟାପକ ଓ କର୍ମଚାରୀ ସଂଘ ୧୫ ଦିନ ହେଲା ରାଜଧାନୀରେ ଆନ୍ଦୋଳନ କରୁଛି। ବିଧାନସଭା ସମ୍ମୁଖରେ ଦୁଇଟି ମହାସମାବେଶ କରିଥିଲେ ମଧ୍ୟ ରାଜ୍ୟ ସରକାରଙ୍କ କୌଣସି ମନ୍ତ୍ରୀ କିମ୍ବା ସଚିବ ସଂଘର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିନାହାନ୍ତି। ଦାବି ପୂରଣ ନେଇ କୌଣସି ସକାରାତ୍ମକ ଉତ୍ତର ମିଳୁ ନ ଥିବାରୁ ଯୁକ୍ତ୨ ପରୀକ୍ଷାରେ ଅସହଯୋଗ କରିବାକୁ ସଂଘ ନିଷ୍ପତ୍ତି ନେଇଛି।

ଚଳିତବର୍ଷ ୧୧୪୫ ପରୀକ୍ଷା କେନ୍ଦ୍ରରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପାଠ୍ୟକ୍ରମର ୩ ଲକ୍ଷ ୫୮ ହଜାର ପରୀକ୍ଷାର୍ଥୀ ରହିଛନ୍ତି। ପରୀକ୍ଷା କେନ୍ଦ୍ର ହୋଇଥିବା କଲେଜଗୁଡ଼ିକ ମଧ୍ୟରେ ଅଧିକାଂଶ ୬୬୨ ବର୍ଗ ଅନ୍ତର୍ଗତ ରହିଛି। ଯଦି ସେଠାକାର ଅଧ୍ୟାପକ ଓ କର୍ମଚାରୀ ଅସହଯୋଗ କରନ୍ତି ତେବେ ପରୀକ୍ଷା ହେବ କିଭଳି? ପ୍ରଶାସନ ଶେଷ ମୁହୂର୍ତ୍ତରେ କେଉଁଠୁ କର୍ମଚାରୀଙ୍କୁ ଆଣି ପରୀକ୍ଷା କରାଇବ ତାହାକୁ ନେଇ ପ୍ରଶ୍ନ ଉଠିଛି। ପରିଷଦ ଅଧିକାରୀମାନେ ମଧ୍ୟ ହରଡ଼ଘଣାରେ ପଡ଼ିଛନ୍ତି। ପରୀକ୍ଷା ପରିଚାଳନାରେ ସମସ୍ୟା ହେବା ନେଇ ଆଶଙ୍କା ଦେଖାଦେଇଛି। ଗୋଟିଏ ପଟେ ଅଧ୍ୟାପକମାନେ ଅସହଯୋଗ ଜିଦ୍‌ରେ ଅଟଳ। ଆଉ ଅନ୍ୟପଟେ ରାଜ୍ୟ ସରକାର ନିଜ ଜିଦ୍‌ରେ ଅଟଳ ରହି ଅଧ୍ୟାପକଙ୍କ ସମସ୍ୟାକୁ ଦୃଷ୍ଟି ଦେଉନଥିବାରୁ ଛାତ୍ରଛାତ୍ରୀ ଓ ଅଭିଭାବକ ମହଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଲାଣି।

ସଂଘ ସଭାପତି ଗୋଲକ ନାୟକ କହିଛନ୍ତି ଯେ, ରାଜ୍ୟ ସରକାର ଅନୁଦାନପ୍ରାପ୍ତ ବେସରକାରୀ କଲେଜ କର୍ମଚାରୀଙ୍କ ଦରମା ବୃଦ୍ଧି କରିଛନ୍ତି। ମାତ୍ର ସମାନ କାମ କରୁଥିବା କେତେକ ଅଧ୍ୟାପକ ଓ କର୍ମଚାରୀ ନ୍ୟାୟ ପାଇବାରୁ ବଞ୍ଚିତ ହୋଇଛନ୍ତି। ଏଭଳି ପାତରଅନ୍ତର ନିଷ୍ପତ୍ତି ବିରୋଧରେ ୬୬୨ବର୍ଗର ଅଧ୍ୟାପକ ଅଧ୍ୟାପିକା କଳାବ୍ୟାଜ୍‌ ପିନ୍ଧି ପ୍ରତିବାଦ କରିଥିଲେ। ନିଷ୍ପତ୍ତିର ପୁନର୍ବିଚାର ପାଇଁ ଜାନୁଆରି ୨୫ରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସମସ୍ତ ଜିଲ୍ଲପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ମାତ୍ର କୌଣସି ସୁଫଳ ନ ମିଳିବାରୁ ରାଜରାସ୍ତାକୁ ଓହ୍ଲାଉଛୁ। ୧୫ଦିନ ଧାରଣା ମଧ୍ୟରେ ଦୁଇଥର ବିଶାଳ ସମାବେଶ ଆୟୋଜନ କରାଯାଇଥିଲେ ମଧ୍ୟ କେହି କର୍ଣ୍ଣପାତ କରିନାହାନ୍ତି। ରାଜ୍ୟ ସରକାରଙ୍କ କୁମ୍ଭକର୍ଣ୍ଣ ନିଦ ଭାଙ୍ଗୁ ନାହିଁ। ନାର୍ଯ୍ୟ ଦାବି ପୂରଣ ଲାଗି ପୁଣିଥରେ ସୋମବାର ଲୋୟର ପିଏମ୍‌ଜିରେ ବିଶାଳ ସମାବେଶ ଅନୁଷ୍ଠିତ ହେବ। ଏହାପରେ ଯଦି ଦାବି ପୂରଣ ନ କରନ୍ତି ତେବେ ଅଧ୍ୟାପକମାନେ ଯୁକ୍ତ୨ ପରୀକ୍ଷା ସମୟରେ ସମୂହ ଛୁଟିରେ ରହିବେ।

ଇତିମଧ୍ୟରେ ସମ୍ବଲପୁରରେ ଜିଲ୍ଲା ସଭାପତି ଅଶୋକ ପୁରୋହିତ, ସଂପାଦକ ବିଶ୍ୱପତି ବେହେରାଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ଜିଲ୍ଲା ପ୍ରତିନିଧିଙ୍କ ବୈଠକ କରାଯାଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅନ୍ତର୍ଗତ ସମ୍ବଲପୁର ଜୋନ ଅଧୀନ ୯ ଜିଲ୍ଲା ଅନ୍ତର୍ଗତ ୬୬୨ ବର୍ଗର ପ୍ରାୟ ୨୦୦ ଯୁକ୍ତ୨ ପରୀକ୍ଷା କେନ୍ଦ୍ରରେ ୭୦ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ୨ହଜାରରୁ ଅଧିକ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ପରୀକ୍ଷା ପରିଚାଳନା ଦାୟିତ୍ୱ ରହିବାକୁ ସ୍ଥିର ହୋଇଛି। ଯଦି ଦାବି ପୂରଣ ନ ହୁଏ ଅଧ୍ୟାପକମାନେ ପରୀକ୍ଷା ପରିଚାଳନାରେ ସହଯୋଗ ନ କରିବାକୁ ବୈଠକରେ ସ୍ଥିର ହୋଇଛି।

ସେପଟେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଗଣମାଧ୍ୟମରେ କହିଛନ୍ତି ଯେ ପରୀକ୍ଷା ବର୍ଜନ କରିବାକୁ କିଛି କଲେଜ ଅଧ୍ୟାପକ ଚେତାବନୀ ଦେଇଥିବା ଜଣାପଡ଼ିଛି। ସେମାନଙ୍କ ଦାବି ସମ୍ପର୍କରେ ଆଲୋଚନା କରାଯିବ। ପରୀକ୍ଷା ଯେପରି ସୁରୁଖୁରୁରେ ହେବ ସେନେଇ ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି।

Related Posts