ଭୁବନେଶ୍ବର (ସତ୍ୟପାଠ ବ୍ୟୁରୋ) – ବକେୟା ବିଦ୍ୟୁତ ବିଲ ନ ଦେବାରୁ ଗତ ମାସେ ଭିତରେ ବିନ୍ଦୁସାଗରର ୨ଟି ସରକାରୀ ପ୍ରକଳ୍ପରୁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିଛି ଟାଟା ପାୱାର ସେଣ୍ଟ୍ରାଲ ଓଡିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ(ଟିପିସିଓଡିଏଲ) । ଯାହା ଦ୍ୱାରା ବିନ୍ଦୁସାଗର ଆଲୋକୀକରଣ ଯୋଜନା ବାଧାପ୍ରାପ୍ତ ହୋଇଛି । ଫଳରେ ସନ୍ଧ୍ୟା ପରେ ବିନ୍ଦୁସାଗର ଘନ ଅନ୍ଧାରରେ ବୁଡି ଯାଉଛି ।
ସୂଚନା ଅନୁଯାୟୀ, ଗତ ୨୦୨୧ ଜାନୁୟାରୀ ମାସରେ ବିନ୍ଦୁସାଗର ଜଳକୁ ସ୍ୱଚ୍ଛ ରଖିବା ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ୪ଟି ଏଚଡିସି ରିଆକ୍ଟର ପାଣିପମ୍ପ ସ୍ଥାପନ କରାଯାଇଥିଲା । ଏହି ପ୍ରକଳ୍ପ ପରିଚାଳନା ନିମନ୍ତେ ବିଦ୍ୟୁତ୍ ବିଲ ଓଡିଶା ବ୍ରିଜ କନଷ୍ଟ୍ରକସନ କର୍ପୋରେସନ(ଓବିସିସି)ଦ୍ୱାରା ପରିଶୋଧ କରାଯିବାକୁ ଚୁକ୍ତି ସ୍ୱାକ୍ଷର ହୋଇଥିଲା । କିନ୍ତୁ ସେହି ସମୟରେ ଉକ୍ତ ପ୍ରକଳ୍ପ ଆରମ୍ଭ କରିବା ଲାଗି ଏକ ଅସ୍ଥାୟୀ ବିଦ୍ୟୁତ ସଂଯୋଗ ଦିଆଯାଇଥିଲା । ସେବେଠାରୁ ଆଜି ଯାଏ ଅସ୍ଥାୟୀ ସଂଯୋଗରେ ପ୍ରକଳ୍ପ ଚାଲିଛି । ୭ମାସର ବକେୟା ବିଲ ବାବଦକୁ ୪ଲକ୍ଷ୫୫ ହଜାର ଟଙ୍କା ନ ଦେବାରୁ ଟିପିସିଓଡିଏଲ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିଛି ।
ସେହିପରି ୨୦୧୮ରେ ହକି ବିଶ୍ୱକପ ସମୟରେ ବିନ୍ଦୁସାଗରରେ ଲେଜର ସୋ ଆରମ୍ଭ ହୋଇଥିଲା । ଏଥିରେ ପର୍ଯ୍ୟଟକ ସନ୍ଧ୍ୟାବେଳେ ଲାଇଟ ଏବଂ ସାଉଣ୍ଡର ମଜା ନେଉଥିଲେ । ଏହି ପ୍ରକଳ୍ପ ପରିଚାଳନା ନିମନ୍ତେ ବିଦ୍ୟୁତ ବିଲ ରାଜ୍ୟ ପର୍ଯ୍ୟଟନ ବିଭାଗ ଦ୍ୱାରା ପଇଠ କରାଯାଉଥିଲା । ଏବେ ଏ ବାବଦରେ ମଧ୍ୟ ୫ଳକ୍ଷ ଟଙ୍କା ବିଦ୍ୟୁତ ବିଲ ବାକି ଥିବାରୁ ଲେଜର ସୋକୁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯାଇଛି । ଏହି ଭଳି ଭାବେ ବିନ୍ଦୁସାଗରରେ ସରକାରଙ୍କ ୨ଟି ପ୍ରକଳ୍ପ ବନ୍ଦ ହୋଇଯାଇଛି ।
ଏ ନେଇ ଓବିସିସି କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ରଶ୍ମି ରଞ୍ଜନ ସାହୁ କହିଛନ୍ତି ଯେ, ଟାଟା କର୍ତ୍ତୃପକ୍ଷ ୭ ମାସର ବିଲ୍ ଏକକାଳୀନ ଭାବେ ବିଳମ୍ବରେ ପଠାଇଥିଲେ । ତଥାପି ଆମେ ସେମାନଙ୍କୁ ଡିସେମ୍ବର ମାସ ପ୍ରଥମ ସପ୍ତାହ ଯାଏ ମୌଖିକ ଭାବେ ସମୟ ମାଗିଥିଲୁ । କିନ୍ତୁ ସେମାନେ ଆମ କଥାକୁ ଗୁରୁତ୍ୱ ନ ଦେଇ ବିନା ସୂଚନାରେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିଛନ୍ତି । ଆମେ ଦିନେ ୨ଦିନ ଭିତରେ ବକେୟା ବିଲ ପଇଠ କରିଦେବୁ ।
ଜବାବରେ ଟିପିସିଓଡିଏଲ ରସୁଲଗଡ ଡିଭିଜନର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବିରଜା ପ୍ରସାଦ ପାଢି କହିଛନ୍ତି ଆମ କନିଷ୍ଠ ଯନ୍ତ୍ରୀ ଓବିସିସିକୁ ବାରମ୍ବାର ବିଦ୍ୟୁତ ବିଲ ପଇଠ କରାଇବାକୁ କହିଥିଲେ ବି ସେମାନେ କର୍ଣ୍ଣପାତ କଲେନାହିଁ । ତେଣୁ ଏଥର ସେମାନେ ବିଦ୍ୟୁତ ବିଲ ପଇଠ କରିବା ସହ ସ୍ଥାୟୀ ସଂଯୋଗ ନ ନେବା ପର୍ଯ୍ୟନ୍ତ ଆମେ ସେବା ପୁନଃଥଇଥାନ କରିବୁ ନାହିଁ ।