ନନ୍ଦନକାନନରେ ମିଶିବ ୧୫ ଶହ ଏକର ଜଙ୍ଗଲ ଜମି, ନିର୍ମାଣ ହେବ ମୁକ୍ତ ଚିଡ଼ିଆଖାନା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ନନ୍ଦନକାନନରେ ଆଉ ୧୫ ଶହ ଏକର ଜଙ୍ଗଲ ଜମି ମିଶିବ। କୃଷ୍ଣନଗର ଓ ଚୂଡ଼ଙ୍ଗ ଅଞ୍ଚଳରୁ ଏହି ଜମି ନନ୍ଦନକାନନ ଜଙ୍ଗଲରେ ମିଶାଇବା ପରେ ଏହାକୁ ମୁକ୍ତ ଚିଡ଼ିଆଖାନା କରାଯିବ। ସେହିଭଳି କିଆଖଣି ଓ କା‌ଞ୍ଜିଆ ହ୍ରଦର ସୁରକ୍ଷା ଲାଗି ବ୍ୟାପକ ପଦକ୍ଷେପ ନିଆଯାଉଛି। ମଙ୍ଗଳବାର ଜଙ୍ଗଲ ମନ୍ତ୍ରୀ ପ୍ରଦୀପ ଅମାତ ନନ୍ଦନକାନନ ପରିଦର୍ଶନ କରିବା ଅବସରରେ ଏହି ସୂଚନା ମିଳିଛି।

ମଙ୍ଗଳବାର ଅପରାହ୍ନରେ ମନ୍ତ୍ରୀ ଶ୍ରୀ ଅମାତ ପ୍ରାଣୀ ଉଦ୍ୟାନରେ ପହଞ୍ଚି ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ପରେ ସେ ବିହଙ୍ଗବିହାର, ହିମାଳୟ ଭାଲୁ, କୋକିଶିଆଳି, କଲରାପତରିଆ ଖୁଆଡ଼ ପରିଦର୍ଶନ କରିଥିଲେ। ଏହା ପରେ ସେ ପ୍ରାଣୀ ଚିକିତ୍ସା କେନ୍ଦ୍ର ଓ ସେଠାରୁ ବଜ୍ରକାପ୍ତା ପ୍ରଜନନ କେନ୍ଦ୍ର ବୁଲିଦେଖିଥିଲେ। ତେବେ ଏହି ଅବସରରେ ସେ ବାଘ ଓ ସିଂହ ଛୁଆଙ୍କ ପାଖକୁ ଯାଇଥିଲେ। ଜନ୍ମରୁ ମା’ର ଯତ୍ନରୁ ବଞ୍ଚିତ ବାଘ ଓ ସିଂହ ଛୁଆମାନଙ୍କ ଲାଳନପାଳନ କରୁଥିବା ଜନ୍ତୁରକ୍ଷକମାନଙ୍କୁ ପ୍ରଶଂସା କରିଥିଲେ। ବର୍ଷକର ହୋଇଥିବା ଧଳା ବାଘ ଛୁଆ ହିମାଂଶି ଓ ସିଂହ ଛୁଆ ବର୍ଷାର ଯତ୍ନ ନେଉଥିବା ଜନ୍ତୁରକ୍ଷକ ପ୍ରଶାନ୍ତ ଗୌଡ଼ଙ୍କ ସହ ସେମାନଙ୍କ ଖେଳକୁଦ ଦେଖି ମନ୍ତ୍ରୀ ବେଶ୍ ଖୁସି ହୋଇଥିଲେ। ଏହି ଅବସରରେ ସେ ବାଘ, ସିଂହ, ଜିରାଫ, ସଫାରି ବସ୍‌ ଟିକେଟ୍‌ ଘର, ସରୀସୃପ ଉଦ୍ୟାନ, ନିର୍ମାଣାଧୀନ ମାଙ୍କଡ଼ ଖୁଆଡ଼, ଓଟପକ୍ଷୀ ଓ ଏମୁପକ୍ଷୀ ଖୁଆଡ଼ ପରିଦର୍ଶନ କରିବା ସହ ସଫେଇ ଚାଲିଥିବା କିଆଖଣି ହ୍ରଦ ଓ କାଞ୍ଜିଆ ହ୍ରଦ କାମ ଦେଖିଥିଲେ।

ଏହାପରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ଅମାତ କହିଲେ ଯେ, ଏହି ଚିଡ଼ିଆଖାନାକୁ ବିଶ୍ୱସ୍ତରୀୟ କରିବାକୁ ଯୋଜନା ଚାଲିଛି। କୃଷ୍ଣନଗର ଓ ଚୂଡ଼ଙ୍ଗରୁ ଆଉ ୧୫ ଶହ ଏକର ଜମି ସାମିଲ ଏଥିରେ ମିଶାଇ ଏହାକୁ ମୁକ୍ତ ଚିଡ଼ିଆଖାନାରେ ପରିବର୍ତ୍ତନ କରାଯିବ। ଆଜି ମନ୍ତ୍ରୀଙ୍କ ଗସ୍ତ ବେଳେ ପିସିସିଏଫ୍ ସୁନୀଲ କୁମାର ପୋପଲି, ନିର୍ଦ୍ଦେଶକ ମନୋଜ ଭି ନାୟର, ଉପନିର୍ଦ୍ଦେଶକ ସଂଜିତ କୁମାର,ଏସିଏଫ୍‌ ରଶ୍ମିରଞ୍ଜନ ସ୍ୱାଇଁ, ଏସିଏଫ୍ ଶରତ କୁମାର ସାହୁ, ରେଞ୍ଜ ଅଫିସର ସୁଦୀପ୍ତ କୁମାର ପଣ୍ଡାଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ, କର୍ମଚାରୀ ଉପସ୍ଥିତ ଥିଲେ।

Related Posts