ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ ପାଇଁ ୧୪ ଲକ୍ଷ ମାମଲା

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ସରକାରଙ୍କୁ ନାକେଦମ କରୁଛନ୍ତି ଜମି ଜବରଦଖଲକାରୀ । ସରକାରୀ ଜମି ଜବରଦଖଲ ଉଚ୍ଛେଦ ପାଇଁ ସରକାର ଲକ୍ଷ ଲକ୍ଷ ମାମଲା ଲଢୁଥିବାବେଳେ ଏଥିପାଇଁ ବିପୁଳ ପରିମାଣର ଅର୍ଥ ବି ବ୍ୟୟ ହେଉଛି ।

ମିଳିଥିବା ସୂଚନା ଅନୁଯାୟୀ ସମଗ୍ର ରାଜ୍ୟରେ ଗତ ୧୦ବର୍ଷ ମଧ୍ୟରେ ସରକାରୀ ଜମିକୁ ଜବରଦଖଲରୁ ମୁକୁଳାଇବାପାଇଁ ୧୪ଲକ୍ଷରୁ ଅଧିକ ମାମଲା ରୁଜୁ ହୋଇଛି । ବିଭିନ୍ନ ଜିଲ୍ଲାରେ ମାଫିଆମାନେ ସରକାରୀ ଜମିକୁ ଜବରଦଖଲ କରିବାପରେ ତାହା କିଭଳି ସରକାରୀ ଖାତାକୁ ଆସିବ ସେଥିପାଇଁ ଏଭଳି ମାମଲା ଲଢାଯାଉଥିବାବେଳେ ଏ ବାବଦରେ ରାଜକୋଷରୁ ବିପୁଳ ପରିମାଣର ଅର୍ଥ ବ୍ୟୟ ହେଉଛି ।

ଗତ ୧୦ବର୍ଷରେ ରାଜ୍ୟର ୩୦ଟି ଜିଲ୍ଲାରେ ଜବରଦଖଲ ଜମି ଉଚ୍ଛେଦ ପାଇଁ ୧୪,୩୧,୨୧୮ଟି ମାମଲା ରୁଜୁ ହୋଇଥିବାବେଳେ ଏଥିରୁ ୧୩ଲକ୍ଷରୁ ଅଧିକ ମାମଲା ଫଏସଲା ହୋଇଛି । ତେବେ ଜବରଦଖଲ ମାମଲା କ୍ଷେତ୍ରରେ ନବରଙ୍ଗପୁର ଜିଲ୍ଲା ସବୁଠାରୁ ଆଗରେ ରହିଛି । ଏହି ଜିଲ୍ଲାରେ ଲକ୍ଷେରୁ ଅଧିକ ମାମଲା ରୁଜୁ ହୋଇଛି । ମୟୁରଭଞ୍ଜ ଜିଲ୍ଲାରେ ବି ଲକ୍ଷେରୁ ଅଧିକ ମାମଲା ରୁଜୁ ହୋଇଥିବା ଜଣାଯାଇଛି । ସେହିଭଳି ସୁନ୍ଦରଗଡ ଜିଲ୍ଲାରେ ୮୪ହଜାରରୁ ଅଧିକ ମାମଲା ରୁଜୁ ହୋଇଥିବାବେଳେ କଳାହାଣ୍ଡି ଜିଲ୍ଲାରେ ୭୪ହଜାରରୁ ଅଧିକ ମାମଲା ରୁଜୁ ହୋଇଛି । ବରଗଗ ଜିଲ୍ଲାରେ ରୁଜୁ ମାମଲା ସଂଖ୍ୟା ୭୩ହଜାରରୁ ଅଧିକ ରହିଛି । ସବୁଠାରୁ କମ୍‍ ୧୦ହଜାର ମାମଲା ବୌଦ୍ଦ ଜିଲ୍ଲାରେ ହୋଇଛି ।

ତେବେ ମୁଖ୍ୟମନ୍ତ୍ରୀ ଜବରଦଖଲକାରୀଙ୍କ ହଟାଇବାପାଇଁ ନିର୍ଦ୍ଦେଶ ଦେବାପରେ ଏବେ ସମଗ୍ର ରାଜ୍ୟରେ ପ୍ରଶାସନ ଅଭିଯାନ ଆରମ୍ଭ କରିଛି । ହେଲେ ଜମି ଜବରଦଖଲକାରୀମାନେ କିନ୍ତୁ ଯେକୌଣସି ପ୍ରକାରେ ସରକାରୀ ଜମିକୁ ଦଖଲ କରିବାରେ ଲାଗିଛନ୍ତି । ଅଧିକାଂଶ ସ୍ଥାନରେ ଜମି ମାଫିଆମାନେ ସରକାରୀ ଜମି ଉପରେ ଘରଦ୍ୱାର ଗଢି ସେଥିରୁ ଭଡା ବାବଦରେ କୋଟି କୋଟି ଟଙ୍କା ରୋଜଗାର କରୁଥିବାବେଳେ ସରକାର କିନ୍ତୁ ରାଜକୋଷରୁ ଅର୍ଥ ବ୍ୟୟ କରି ମାମଲା ଲଢୁଛନ୍ତି ।

ମାଫିଆମାନେ ବିଭିନ୍ନ ଜିଲ୍ଲାରେ ଶହ ଶହ ଏକର ଜମି ଜବରଦଖଲ କରିବା ସହିତ ତାହାକୁ ଜାଲ୍‍ କାଗଜପତ୍ର କରି ବିଭିନ୍ନ ବ୍ୟକ୍ତି ଓ ଅନୁଷ୍ଠାନକୁ ବିକ୍ରି କରିବାରେ ଲାଗିଛନ୍ତି । ତେବେ ଜମି ଖରିଦ କରୁଥିବା ଲୋକେ ଏ ସଂକ୍ରାନ୍ତରେ ସାମାନ୍ୟ ସୁରାକ ପାଉନଥିବାବେଳେ ପରବର୍ତ୍ତୀ ସମୟରେ ସେମାନେ କିନ୍ତୁ ହରଡଘଣାରେ ପଡୁଛନ୍ତି । ତେଣୁ ଜମି କିଣାବିକା ଦାୟିତ୍ୱରେ ରହୁଥିବା ଅଧିକାରୀଙ୍କୁ ଏଥିପାଇଁ ଦାୟୀ କରିବା ସହିତ ସମସ୍ତ ସରକାରୀ ଜମିଜମାର ରେକର୍ଡ ସର୍ବସାଧାରଣ ଯେଭଳି ସହଜରେ ଜାରିପାରିବେ ତାହା ସରକାରୀ ପୋର୍ଟାଲରେ ରଖିବାପାଇଁ ମତପ୍ରକାଶ ପାଉଛି ।

Related Posts