(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କରୋନା ମହାମାରୀର ମୁକାବିଲା ପାଇଁ ସବୁଠାରୁ ବଡ ଅସ୍ତ୍ର ହେଉଛି ଟିକା। ଭାରତରେ ଅଧିକ ପରିମାଣରେ କୋଭାକ୍ସିନ୍ ଏବଂ କୋଭିଶିଲ୍ଡ ଟିକା ଦିଆଯାଇଥାଏ। ବହୁଳ ଭାବେ ଦିଆଯାଉଥିବା ଏହି ଟିକାର ଦୁଇଟି ଡୋଜ ରହିଛି। ତେବେ ରାଜ୍ୟରେ ପ୍ରାୟ୧୬ଲକ୍ଷ ହିତାଧିକାରୀ ଦ୍ବିତୀୟ ଡୋଜ୍ ଟିକା ଅପେକ୍ଷାରେ ରହିଥିବା ବେଳେ ତହିଁରୁ ୧୩ଲକ୍ଷ ଲୋକ ବିଭିନ୍ନ କାରଣ ପାଇଁ ଦ୍ବିତୀୟ ଡୋଜ୍ ଟିକା ନେବାକୁ ଭୁଲି ଯାଇଛନ୍ତି। ତେବେ ଦ୍ବିତୀୟ ଡୋଜ୍ ଟିକା ନେଇଥିବାର ବିଭିନ୍ନ କାରଣ ରହିଛି। ଟିକାର ଅଭାବ, ଟିକାକରଣ କେନ୍ଦ୍ରରେ ବ୍ୟାପକ ଅବ୍ୟବସ୍ଥା ଓ କିଛି ବ୍ୟକ୍ତି କରୋନା ସଂକ୍ରମଣ ପାଇଁ ଟିକା ନେବାକୁ ଭୁଲି ଯାଇଥିବା କୁହାଯାଉଛି।
ସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ, କୋଭିଶିଲ୍ଡ ଟିକା ନେଇଥିବା ରାଜ୍ୟର ୧୦,୪୮,୫୭୨ଜଣ ବ୍ୟକ୍ତି ଧାର୍ଯ୍ୟ ସମୟରେ ସେମାନଙ୍କର ଦ୍ବିତୀୟ ଡୋଜ ନେଇ ନାହାନ୍ତି। ସୂଚନାଯୋଗ୍ୟ ଯେ କେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ କୋଭିଶିଲ୍ଡ ଟିକାର ଦୁଇ ଡୋଜ୍ ଭିତରେ ୧୧୨ଦିନ ବ୍ୟବଧାନ ଏବଂ କୋଭାକ୍ସିନ୍ ପାଇଁ ୪୨ଦିନ ବ୍ୟବଧାନ ରହିଛି। ତେବେ ୨,୪୬,୪୫୫ଜଣ କୋଭାକ୍ସିନ୍ ନେଇଥିବା ବ୍ୟକ୍ତି ଧାର୍ଯ୍ୟ ସମୟରେ ସେମାନଙ୍କର ଟିକା ନେବାକୁ ଭୁଲି ଯାଇଛନ୍ତି।
ତେବେ ଗଞ୍ଜାମ ଜିଲ୍ଲାରେ ସବୁଠାରୁ ଅଧିକ ସଂଖ୍ୟକ ବ୍ୟକ୍ତି ଧାର୍ଯ୍ୟ ସମୟରେ ଟିକା ନେଇ ନଥିବା ଜଣାପଡିଛି। ଗଞ୍ଜାମ ଜିଲ୍ଲାରେ ସମୁଦାୟ ୧ଲକ୍ଷ ୪୪ହଜାର ୭୩୯ ହିତାଧିକାରୀ ଧାର୍ଯ୍ୟ ସମୟରେ ଟିକା ନେଇ ନ ଥିବା ବେଳେ ୧.୧୩ଲକ୍ଷ କୋଭିଶିଲ୍ଡ ଓ ୩୪,୪୪୮ କୋଭାକ୍ସିନ୍ ଟିକା ନେଇଥିବା ବ୍ୟକ୍ତି ରହିଛନ୍ତି। ସେହିପରି ଅନ୍ୟ ଜିଲ୍ଲା ଗୁଡ଼ିକ ମଧ୍ୟରେ ମୟୂରଭଞ୍ଜରେ ୬୫,୭୮୧, କୋରାପୁଟ ୬୧,୪୬୨, କଟକ ୫୬,୦୯୯, କେନ୍ଦୁଝର ୫୪,୬୪୮, ବାଲେଶ୍ବର ୪୯,୯୧୪, ଭଦ୍ରକ ୪୬,୬୨୮, ସୁନ୍ଦରଗଡ଼ ୪୩,୫୯୫, କଳାହାଣ୍ଡିରେ ୪୦,୦୬୭ ଜଣ କୋଭିଶିଲ୍ଡର ଦ୍ବିତୀୟ ଡୋଜ୍ ନେବାକୁ ଭୁଲି ଯାଇଛନ୍ତି।
ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ରାଜଧାନୀ ଭୁବନେଶ୍ବରରେ ୧ଲକ୍ଷ ୧ହଜାର ୭୧୬ଜଣ କୋଭାକ୍ସିନ୍ ଟିକାର ଦ୍ବିତୀୟ ଡୋଜ ଧାର୍ଯ୍ୟ ସମୟରେ ନେଇ ନାହାନ୍ତି। ଏଥିରେ ଅଧିକାଂଶ ହିତାଧିକାରୀ ପ୍ରଥମ ଡୋଜ୍ ପରେ କରୋନାରେ ସଂକ୍ରମିତ ହୋଇଥିବା ଓ ଅନେକ ଭୁବନେଶ୍ବର ବାହାରେ ରହୁଥିବା କାରଣରୁ ଦ୍ବିତୀୟ ଡୋଜ୍ ଟିକା ନେଇ ନଥିବା ଜଣାପଡିଛି। ଆକଳନ ଅନୁଯାୟୀ ଏହି ମାସ ଶେଷ ସୁଦ୍ଧା ଦ୍ବିତୀୟ ଡୋଜ୍ ହିତାଧିକାରୀଙ୍କ ସଂଖ୍ୟା ୫ଲକ୍ଷକୁ ବୃଦ୍ଧି ପାଇବ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରାଜ୍ୟରେ ଉପଲବ୍ଧ ହେଉଥିବା ୭୦ ପ୍ରତିଶତ ଟିକାକୁ ଦ୍ବିତୀୟ ଡୋଜ୍ ହିତାଧିକାରୀଙ୍କୁ ପ୍ରଦାନ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି। ତେଣୁ ଦ୍ବିତୀୟ ଡୋଜ୍ ହିତାଧିକାରୀଙ୍କୁ ଟିକା ପ୍ରଦାନରେ ବିଶେଷ ସମସ୍ୟା ହୋଇ ନ ପାରେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।
ରାଜ୍ୟ ଟିକାକରଣ ନୋଡାଲ ଅଧିକାରୀ ଡା.ବିଜୟ ପାଣିଗ୍ରାହୀ କହିଛନ୍ତି, ପ୍ରାରମ୍ଭରୁ ଟିକାକରଣକୁ ନେଇ ସମସ୍ୟା ଦେଖା ଦେଇଥିଲା। ତେଣୁ ଟିକାକରଣ କେନ୍ଦ୍ରକୁ ଆସି ହୁଏତ ଫେରି ଯାଇଥିବେ। ପ୍ରଥମ ଡୋଜ୍ ଟିକା ନେବାର ୩ମାସ ପରେ ଟିକା ନେବାକୁ କୁହାଯାଇଛି। ହୁଏତ ଏଥିପାଇଁ କିଛି ହିତାଧିକାରୀ ଟିକା ନେବାକୁ ଭୁଲି ଯାଇଥାଇପାରନ୍ତି। ଏବେ ୫୦ଲକ୍ଷରୁ ଅଧିକ ଦ୍ବିତୀୟ ଡୋଜ୍ ଟିକା ନେଇ ସାରିଛନ୍ତି। ତେବେ ଟିକା ନେବାର ସମୟସୀମା ଅତିକ୍ରମ କରିବା ପରେ ମଧ୍ୟ ଟିକା ନେଲେ ଏହା ଶରୀରରେ କାମ କରିବ ବୋଲି ସେ କହିଛନ୍ତି ।