(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଅକ୍ସିଜେନ, ଭେଣ୍ଟିଲେଟର ଭଳି ଜରୁରୀ ମେଡିକାଲ ସେବାର ଅଭାବରୁ ଅନେକ ଲୋକ ପ୍ରାଣ ହରାଉଛନ୍ତି। ଆଉ ଏପଟେ ପିଏମ୍ କେୟାର୍ସ ଫଣ୍ଡ୍ ରେ କିଣାଯାଉଥିବା ଭେଣ୍ଟିଲେଟର ବି ଖରାପ ହେଇଯାଉଥିବା ନେଇ ଖବର ଆସୁଛି। ଯେଉଁ ପିଏମ୍ କେୟାର୍ସକୁ ନେଇ ଵିଜେପି ଛାତି ପିଟୁଥିଲା ଏବେ ସେହି ଫଣ୍ଡ୍ ରେ କିଣାଯାଉଥିବା ଭେଣ୍ଟିଲେଟର ବି କାମରେ ଲାଗୁନି। ଆଉ ଏହାକୁ ନେଇ ଏବେ କେନ୍ଦ୍ର ସରକାରଙ୍କୁ ଜବାବ୍ ତଲବ କରିଛନ୍ତି ବମ୍ବେ ହାଇକୋର୍ଟ। ମଙ୍ଗଳବାର ଦିନ ବମ୍ବେ ହାଇକୋର୍ଟ କହିଛନ୍ତି ଯେ PM-CARES ପାଣ୍ଠି ଜରିଆରେ ମହାରାଷ୍ଟ୍ରର ମରାଠୱାଡା ଅଞ୍ଚଳର ଡାକ୍ତରଖାନାକୁ ଦିଆଯାଇଥିବା ଶହେରୁ ଅଧିକ ଭେଣ୍ଟିଲେଟର କାମରେ ଆସୁନି ଏଥିରେ ତ୍ରୁଟି ଦେଖାଦେଇଛି। ଏବଂ ଏହା ଏକ ଗମ୍ଭୀର ବିଷୟ। ତେଣୁ କେନ୍ଦ୍ର ସରକାର ଏ ଦିଗରେ କେଉଁ ପଦକ୍ଷେପ ନେଉଛନ୍ତି ସେ ନେଇ ଜବାବ ମାଗିଛନ୍ତି। କୋଭିଡ୍ ମହାମାରୀ ସମ୍ବନ୍ଧୀୟ ଆବେଦନ ଶୁଣାଣି କରି ଅଉରଙ୍ଗାବାଦ ବେଞ୍ଚ୍ ର ଜଷ୍ଟିସ୍ ଆର ଭି ଗୁଗେ ଏବଂ ବି ୟୁ ଦେବଦେବ ଏହା ମଧ୍ୟ କହିଛନ୍ତି ଯେ ଭେଣ୍ଟିଲେଟର ଗୁଡିକ ତ୍ରୁଟିପୂର୍ଣ୍ଣ କି ନୁହେଁ ତାହା ସ୍ଥିର କରିବାକୁ ଡାକ୍ତରଖାନାର ଡିନ୍ ମାନେ ଦକ୍ଷ ଅଟନ୍ତି ଏବଂ ସେମାନଙ୍କ ମତାମତ ଗ୍ରହଣ କରାଯିବା ଆବଶ୍ୟକ। ଚିଫ୍ ପବ୍ଲିକ ପ୍ରସିକ୍ୟୁଟର ଡି ଆର କାଲେ ଡିଭିଜନ ବେଞ୍ଚକୁ ସୂଚନା ଦେଇଛନ୍ତି ଯେ ଅଉରଙ୍ଗାବାଦରେ ଥିବା ସରକାରୀ ମେଡିକାଲ କଲେଜର ଡିନ୍ ଙ୍କୁ PM-CARES ପାଣ୍ଠି ମାଧ୍ୟମରେ 150 ଭେଣ୍ଟିଲେଟର ଯୋଗାଇ ଦିଆଯାଇଛି। ଏହି ହସ୍ପିଟାଲରେ 17 ଟି ୟୁନିଟ୍ ବ୍ୟବହାର କରାଯାଇଥିଲା, 41 ଟି ୟୁନିଟ୍ ଅଉରଙ୍ଗାବାଦର ପାଞ୍ଚଟି ଘରୋଇ ଡାକ୍ତରଖାନାକୁ ଦିଆଯାଇଥିଲା ଏବଂ 55 ଟି ଅନ୍ୟ ଜିଲ୍ଲାକୁ ବଣ୍ଟନ କରାଯାଇଥିଲା। ଅବଶିଷ୍ଟ 37 ଟି ଖରାପ ହୋଇ ପଡ଼ିଥିବା ସେ କହିଛନ୍ତି। ଶ୍ରୀ କାଲେଙ୍କ ଦ୍ବାରା ଦାଖଲ ହୋଇଥିବା ଏକ ନୋଟ୍ ଅନୁଯାୟୀ, ପିଏମ୍ କେୟାରସ୍ ଫଣ୍ଡ୍ ରେ କିଣାଯାଇଥିବା ସମସ୍ତ 113 ଭେଣ୍ଟିଲେଟର ତ୍ରୁଟିପୂର୍ଣ୍ଣ ବୋଲି ଜଣାପଡିଛି ଏବଂ ପ୍ରତ୍ୟେକ କ୍ଷେତ୍ରରେ ଏହା COVID-19 ରୋଗୀଙ୍କ ଚିକିତ୍ସା ଉପରେ ପ୍ରଭାବ ପକାଇଥିଲା। “ଲୋ ଇନଲେଟ୍ ଅକ୍ସିଜେନ ପ୍ରେସର ଡିସପ୍ଲେ” ରେ ଗୁରୁତର ତ୍ରୁଟ୍ ରହିଥିଲା ଏବଂ ରୋଗୀମାନେ ଭେଣ୍ଟିଲେଟର ଲଗାଇଲେ ମଧ୍ୟ “ହାଇପକ୍ସିକ୍” (ରକ୍ତରେ ଅମ୍ଳଜାନର ମାତ୍ରା ହେତୁ ଏକ ଅବସ୍ଥା) ହୋଇଥିଲେ ବୋଲି ଏଥିରେ କୁହାଯାଇଛି। କୋର୍ଟ କହିଛନ୍ତି ଯେ, PM-CARES ପାଣ୍ଠି ମାଧ୍ୟମରେ ଯୋଗାଇ ଦିଆଯାଉଥିବା ଭେଣ୍ଟିଲେଟର ଗୁଡିକ ବିଷୟରେ ଆମେ ଗୁରୁତର ଅଭିଯୋଗ ଶୁଣୁଛୁ। ତେଣୁ କେନ୍ଦ୍ର ସରକାର ଏ ଦିଗରେ କେଉଁ ପଦକ୍ଷେପ ଏବଂ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରୁଛନ୍ତି ସେ ସମ୍ପର୍କରେ ଉତ୍ତର ଦାଖଲ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟ କହିଛନ୍ତି ଯେ ଭେଣ୍ଟିଲେଟର ପ୍ରଦାନ କରୁଥିବାରୁ କୋର୍ଟ କେନ୍ଦ୍ର ସରକାରଙ୍କ ପ୍ରଶଂସା କରିଛନ୍ତି କିନ୍ତୁ ଯଦି ଏହି ଭେଣ୍ଟିଲେଟର ଗୁଡିକ ରୋଗୀଙ୍କ ପାଇଁ ସ୍ୱାସ୍ଥ୍ୟ ପ୍ରତି ବିପଦ ହୋଇଥାଏ ତେବେ ଏଗୁଡିକୁ ବ୍ୟବହାର କରାଯାଇପାରିବ ନାହିଁ। କେନ୍ଦ୍ର ସରକାରଙ୍କୁ ଯୋଗାଣକାରୀ କମ୍ପାନୀ ନିମ୍ନମାନର ଭେଣ୍ଟିଲେଟର ବିକ୍ରି କରୁଛି ବୋଲି କୋର୍ଟ କହିଛନ୍ତି। ତେବେ ଉକ୍ତ କମ୍ପାନୀ ଗୁଡିକ ବିରୋଧରେ କେନ୍ଦ୍ର ସରକାର କେଉଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ସେ ସମ୍ପର୍କରେ କେନ୍ଦ୍ର ସରକାର ଜବାବ ଦେବା ଉଚିତ୍। “କମ୍ପାନୀ ଏଥି ପ୍ରତି ଜବାବ ଦେହି କାରଣ ଏହା ଜନସାଧାରଣଙ୍କ ଟଙ୍କା ବୋଲି ହାଇକୋର୍ଟ କହିଛନ୍ତି। ହାଇକୋର୍ଟ କହିଛନ୍ତି ଯେ ଏହି ମାମଲାର ଆସନ୍ତା 28 ତାରିଖକୁ ସ୍ଥଗିତ ରଖାଯାଇଛି। ତେବେ PM-CARES ପାଣ୍ଠି ମାଧ୍ୟମରେ ପ୍ରଦାନ କରାଯାଇଥିବା ଭେଣ୍ଟିଲେଟରର ଗୁଣବତ୍ତା କୁ ନେଇ ଏବେ ରାଜନୀତି ଜୋର ଧରିଛି।
Related Posts
-
Copyright © SatyaPatha2021