
(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଗତ ରବିବାର ଟ୍ୟୁସନ ଯାଉଥିବା ବେଳେ ରାଜଧାନୀ ଭୁବନେଶ୍ଵରର ମୁକୁଳା ଡ୍ରେନରେ ଭାସିଯାଇ ଜଣେ ୧୫ ବର୍ଷୀୟ ନାବାଳକର ଜୀବନ ଚାଲିଯାଇଥିଲା। ଏ ଘଟଣାକୁ ନେଇ ଚାରିଆଡେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ବର୍ତ୍ତମାନ ୧୫ ବର୍ଷୀୟ ନାବାଳକର ଜୀବନ ଯିବା ଘଟଣାରେ ମାମଲା ରୁଜୁ ହୋଇଛି। ଏହି ଘଟଣାରେ ଉପଯୁକ୍ତ ତଦନ୍ତ ଓ ତାଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ଦାବିରେ ରାଜ୍ୟ ମାନବାଧିକାର ଆୟୋଗଙ୍କ ନିକଟରେ ଆବେଦନ ପତ୍ର ଦାଖଲ କରାଯାଇଛି। ଭାରତୀୟ ବିକାଶ ପରିଷଦ ଜଗତସିଂହପୁର ଜିଲ୍ଲା ସଭାପତି ସୁବ୍ରତ କୁମାର ଦାଶଙ୍କ ପକ୍ଷରୁ ଏ ନେଇ ମାମଲା ରୁଜୁ କରାଯାଇଛି । ଏହି ଅଭିଯୋଗରେ ସେ ଦର୍ଶାଇଛନ୍ତି ଯେ ରାଜଧାନୀ ଭୁବନେଶ୍ୱରରେ ଏ ସମ୍ପର୍କିତ ଘଟଣା ବାରମ୍ବାର ଘଟୁଛି।
ଭୁବନେଶ୍ୱରରେ ମୁକୁଳା ଡ୍ରେନ ସମସ୍ୟାର କୌଣସି ସ୍ଥାୟୀ ସମାଧାନ କରାଯାଉ ନାହଁ। ଗତ ୫ ବର୍ଷ ମଧ୍ୟରେ ମୁକୁଳା ଡ୍ରେନରେ ପଡି ୬ ଜଣ ପିଲାଙ୍କର ମୃତ୍ୟୁ ଘଟି ଗଲାଣି। ପ୍ରତିବର୍ଷ ବର୍ଷାଦିନ ଆସିଲେ ଏମିତି ଘଟଣା ସବୁ ଦେଖିବାକୁ ମିଳୁଛି। କିନ୍ତୁ ରାଜ୍ୟ ସରକାର କିମ୍ବା ବିଏମସି ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। ଏହା ଫଳରେ ପୁଣି ଜଣେ ଛାତ୍ରଙ୍କ ଅକାଳରେ ବିୟୋଗ ଘଟିଛି। ଏ ଘଟଣାର ଉଚିତ ତଦନ୍ତ କରି ଦାୟୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେବା ପାଇଁ ଅନୁରୋଧ କରାଯାଇଛି। ଏତଦ୍ ବ୍ୟତୀତ ପୀଡିତ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ପ୍ରଦାନ କରିବାକୁ କମିସନଙ୍କ ନିକଟରେ ପ୍ରାର୍ଥନା କରାଯାଇଛି।