ସପା ଭାଙ୍ଗିଲା ମନ: ଆଶା କଂଗ୍ରେସ: ଆଜାଦ

ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କୁ ଧୋକା ଦେଲା ସପା | ଏଥିରେ କ୍ଷୁବ ପ୍ରକାଶ କରିଛନ୍ତି ଆଜାଦ | ସମାଜବାଦୀ ପାର୍ଟି ଶେଷ ମୁହୂର୍ତ୍ତରେ ତାଙ୍କୁ ଝଟକା ଦେଇଥିବା ସେ କହିଛନ୍ତି | ଏଥିସହ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ତାଙ୍କ ଦଳ ଆଜାଦ ସମାଜ ପାର୍ଟି ଏକାକୀ ଲଢ଼ିବ ବୋଲି ସେ କହିଛନ୍ତି। କିନ୍ତୁ ଦଳ ମେଣ୍ଟ ପାଇଁ କଂଗ୍ରେସ ସହ ଆଲୋଚନା କରୁଛି।

ଆଜାଦଙ୍କ ଶେଷ ଭରସା ଏବେ କଂଗ୍ରେସ ଥିବା ବେଳେ, ଯଦି କଂଗ୍ରେସ ମେଣ୍ଟ ପାଇଁ ରାଜି ହେଲା, ତା’ହେଲେ ଆଜି ହିଁ ଏ ସମ୍ପର୍କରେ ଘୋଷଣା ହେବ ବୋଲି ଆଜାଦ ସୂଚନା ଦେଇଛନ୍ତି। ଆମେ ନିର୍ବାଚନ ପରେ ବିଜେପିକୁ ରୋକିବା ପାଇଁ ଅନ୍ୟ ଦଳଗୁଡ଼ିକୁ ସହଯୋଗ କରିବୁ। ମୁଁ ମାୟାବତୀଙ୍କ ସହ ମଧ୍ୟ ମେଣ୍ଟ କରିବାକୁ ଚାହୁଁଥିଲି। ହେଲେ କେହି ବି ଆମକୁ ଯୋଗାଯୋଗ କରି ନାହାନ୍ତି। ମୁଁ କେବେ ହେଲେ ବ୍ୟକ୍ତିଗତ ଖୁସିକୁ ଗୁରୁତ୍ୱ ଦିଏନାହିଁ। ମୁଁ ଗତ ୫ ବର୍ଷ ମଧ୍ୟରେ ଅନେକ କିଛି ହରାଇଛି।

ହାଥରସ, ପ୍ରୟାଗରାଜ ଓ ଉନ୍ନାଓ ଭଳି ଘଟଣାରେ ମୁଁ ବିକ୍ଷୋଭ କରି ଜେଲ ଯାଇଛି। ବିରୋଧୀଙ୍କ ତିକ୍ତତା ଯୋଗୁ ଯଦି ବିଜେପି ପୁଣି କ୍ଷମତାକୁ ଆସିଲା, ତା’ହେଲେ ଏହା ଆମ ସମସ୍ତଙ୍କ ପାଇଁ ବିରାଟ କ୍ଷତି ଭାବେ ଉଭା ହେବ। ଯେଉଁମାନେ ଭୀମ ଆର୍ମି ପାଇଁ କାମ କରୁଛନ୍ତି, ସେମାନେ ହିଁ ଆମ ଦଳର ଶକ୍ତି।”

ଆଜାଦ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରି କହିଛନ୍ତି, “ଆମେ ଉତ୍ତର ପ୍ରଦେଶରେ ଗୋଟିଏ ବିକଳ୍ପ ଦଳ ଭାବେ ଉଭା ହେବୁ। ମୁଁ ସମସ୍ତ ପ୍ରକାରର ବିଧାୟକ ଓ ମନ୍ତ୍ରୀ ପଦ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି। ଯଦି ସମାଜବାଦୀ ପାର୍ଟି ଆମକୁ ୧୦୦ ସିଟ୍‌ ଦେବ, ତା’ହେଲେ ବି ଆମେ ମେଣ୍ଟ କରିବୁ ନାହିଁ।

ଆଜାଦ ଓ ଅଖିଲେଶ ଯାଦବ ମିଳିତ ଭାବେ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଲଢ଼ିବେ ବୋଲି ଖବର ପ୍ରକାଶ ପାଇଥିଲା। ଏପରି କି ଆଜାଦ ଜାନୁଆରୀ ୧୪ରେ ମେଣ୍ଟ ସମ୍ପର୍କରେ ୧୫ରେ ଘୋଷଣା ହେବ ବୋଲି କହିଥିଲେ। ହେଲେ ଜାନୁଆରୀ ୧୫ରେ ଆଜାଦ ସାମ୍ବାଦିକ ସମ୍ମିଳନୀ କରି ସପା ସହ ତାଙ୍କ ଦଳ ମେଣ୍ଟ କରୁ ନଥିବା ସୂଚନା ଦେଇଥିଲେ। ଏଥିସହ ଅଖିଲେଶ ଯାଦବ ତାଙ୍କୁ ଧୋକା ଦେଇଥିବା ଆଜାଦ ଅଭିଯୋଗ କରିଥିଲେ।

Related Posts