ଯାଜପୁରରେ କୋଟିକୋଟି ଟଙ୍କାର ମନରେଗା ମହାଦୁର୍ନୀତି, କେନ୍ଦ୍ରୀୟ ତଦନ୍ତକାରୀଙ୍କୁ ଦେଉନାହାଁନ୍ତି ଫାଇଲ

ସତ୍ୟପାଠ 23/12 ଯାଜପୁର :ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ୍‌ର ବହୁଚର୍ଚ୍ଚିତ ମନରେଗା ମହାଦୁର୍ନୀତିକୁ ସର୍ବସମ୍ମୁଖକୁ ଆଣିବାକୁ କିଛି ସମାଜସେବୀ ଅନେକ ଦିନ ଧରି ଧାରଣାରେ ବସିବା ପରେ କେନ୍ଦ୍ରୀୟ ଟିମ୍‌ ଦ୍ବାରା ତଦନ୍ତ ଆରମ୍ଭ କରାଯାଇଛି । ବୁଧବାର ଦିନ ବ୍ଲକ୍‌ର ବାଙ୍ଗରା ଓ ଫତେପୁର ପଞ୍ଚାୟତରେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ବାରା ନିଯୁକ୍ତ ତଦନ୍ତକାରୀ ଡକ୍ଟର ରମେଶ ବାବୁ ଓ କ୍ରିଷ୍ଣା କୁମାରୀ ତଦନ୍ତ କରିଛନ୍ତି। ତଦନ୍ତ ସମୟରେ ପଞ୍ଚାୟତ ଅଫିସ୍‌ରୁ ଫାଇଲ୍‌ ଗାଏବ, କର୍ମଚାରୀ ସହଯୋଗ ନକରିବା ଭଳି ଘଟଣା ଦେଖିବାକୁ ମିଳିଛି। ସେହିପରି ଟିପଚିହ୍ନ ଦେଇଥିବା ଜଣେ ଶ୍ରମିକ ତଦନ୍ତକାରୀଙ୍କ ସମ୍ମୁଖରେ ଇଂରାଜୀରେ ଦସ୍ତଖତ କରିବା ଘଟଣା ସମସ୍ତଙ୍କୁ ଚକିତ କରିଛି। ବୁଧବାର ଦିନ ତଦନ୍ତକାରୀ ଦଳ ବାଙ୍ଗରା ପଞ୍ଚାୟତର ବିଶ୍ୱାଳସାହି ଖେଳପଡିଆ ଉନ୍ନତୀକରଣ, ବାଙ୍ଗରା ୟୁପି ସ୍କୁଲ ଖେଳପଡିଆ ଉନ୍ନତୀକରଣ, ଖଣ୍ଡୁଆଳସାହି ଖେଳପଡିଆ ଉନ୍ନତୀକରଣ, ବିଜୁସେତୁ ଠାରୁ ଟ୍ରକ୍‌ ଖାଲ ପର୍ଯ୍ୟନ୍ତ ରାସ୍ତାର ଉନ୍ନତୀକରଣ, ଆଖଡ଼ାଶାଳଠାରୁ ଠାକୁରାଣୀପାଳ ପର୍ଯ୍ୟନ୍ତ ରାସ୍ତାର ଉନ୍ନତୀକରଣ, ବିଜୁ ସେତୁଠାରୁ ଫୁଟ୍‌ବ୍ରିଜ ରାସ୍ତାର ଉନ୍ନତୀକରଣ କାର୍ଯ୍ୟ ବୁଲି ଦେଖିବା ସହିତ ରେକର୍ଡପତ୍ର ପଞ୍ଚାୟତ କାର୍ଯ୍ୟାଳୟରେ ଯାଞ୍ଚ କରିଥିଲେ। ଅନୁସନ୍ଧାନ ସମୟରେ ବାଙ୍ଗରା ପଞ୍ଚାୟତର ସରପଞ୍ଚ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ। ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଯାଞ୍ଚ ସମୟରେ ଦେଖାଇ ନପରିବାରୁ ତଦନ୍ତକାରୀ ଅଧିକାରୀ ଅସନ୍ତୋଷ ପ୍ରକାଶ କରିଥିଲେ। ଡିଆରଡିଏ କାର୍ଯ୍ୟାଳୟରେ କାଗଜପତ୍ର ଥିବା କନିଷ୍ଠ ଯନ୍ତ୍ରୀ ବିକାଶ କୁମାର ଦାସ ଓ ପିଇଓ ଅରୁଣ କୁମାର କର କହିଥିଲେ। ପରେ ତଦନ୍ତକାରୀ ଅଧିକାରୀ ଅନ୍‌ଲାଇନ୍ ମାଧ୍ୟମରେ ପଞ୍ଚାୟତର କେତେକ କାଗଜ ଡାଉନ୍‌ଲୋଡ୍ କରି ସରଜମିନ୍ ତଦନ୍ତ କରିଥିଲେ । ଦର୍ଶାଯାଇଥିବା ସ୍ଥାନରେ କୌଣସି କାର୍ଯ୍ୟ ହୋଇନଥିବା, ମଷ୍ଟରରୋଲ୍ ସହିତ କାର୍ଯ୍ୟର ତାଳମେଳ ନଥିବା, ମଷ୍ଟର୍ ରୋଲରେ ନାମଥିବା ଶ୍ରମିକ କାର୍ଯ୍ୟ କରିନଥିବା ଭଳି ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ତଦନ୍ତକାରୀଙ୍କ ହାତରେ ଲାଗିଛି।

ବୁଧବାର ଅପରାହ୍ନରେ ଫତେପୁର ପଞ୍ଚାୟତର ବିଭିନ୍ନ ପ୍ରକଳ୍ପର ରେକର୍ଡପତ୍ର ଯାଞ୍ଚ କରିଥିଲେ। ମନରେଗା ଯୋଜନାରେ ଶ୍ରମିକ ଭାବେ କାର୍ଯ୍ୟ କରିଥିବା ଶ୍ରମିକ ସଂଧ୍ୟାରାଣୀ ପଣ୍ଡାଙ୍କୁ ଡାକିବାକୁ ପିଇଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ସେହି ଶ୍ରମିକଙ୍କୁ କେହି ସାମ୍‌ନାକୁ ଆଣିନଥିଲେ। ପରେ ୨ଜଣ ଶ୍ରମିକଙ୍କୁ ଡାକିବାକୁ ଅଧିକାରୀ ଦୁଇଜଣ ଜିଆରଏସ୍‌ ଓ ପିଇଓଙ୍କୁ କହିଥିଲେ ମଧ୍ୟ କେହି ସହଯୋଗ କରିନଥିଲେ। ଶ୍ରମିକ ଭାବେ କାର୍ଯ୍ୟ କରିଥିବା ଦିବାକର ମଲିକଙ୍କୁ ଡାକି ଅଧିକାରୀ ଦୁଇଜଣ ପଚରାଉଚରା କରିବା ସହ ଏକ ଖାତାରେ ଦସ୍ତଖତ କରିବାକୁ କହିଥିଲେ। ଶ୍ରମିକ ଶ୍ରୀ ମଲିକ ନିଜର ନାମ ଇଂରାଜୀରେ ଲେଖିଥିଲେ। ଇଂରାଜୀରେ ଦସ୍ତଖତ ଦେଖି ତଦନ୍ତକାରୀ ବିସ୍ମିତ ହୋଇଥିଲେ। କାରଣ ଶ୍ରୀ ମଲିକ ପଞ୍ଚାୟତର ବିଭିନ୍ନ କାର୍ଯ୍ୟରେ ଶ୍ରମିକ ଭାବେ କାର୍ଯ୍ୟ କରି ୩୦ ହଜାରରୁ ଅଧିକ ଟଙ୍କା ନେଇଛନ୍ତି । ହେଲେ ସବୁ କାଗଜରେ ଟିପ ଚିହ୍ନ ଦିଆଯାଇଛି। ତା’ପରେ ଶ୍ରୀ ମଲିକଙ୍କ ଟିପ ଚିହ୍ନ ନେଇଥିଲେ। ସବୁଠୁ ଆଶ୍ଚର୍ଯ୍ୟର କଥା ପୂର୍ବରୁ ଦିଆଯାଇଥିବା ଟିପ ଚିହ୍ନ ଏବେ ନିଅ ଯାଇଥିବା ଟିପଚିହ୍ନ୍ନ ମେଳ ଖାଇନଥିଲା। ଉପସ୍ଥିତ ଥିବା ଜେଇ ଅମୂଲ୍ୟ ତ୍ରିପାଠୀ, ପିଇଓ ରାଜେନ୍ଦ୍ର କୁମାର ଦାସ ଓ ଜିଆରଏସ ପ୍ରତିମା ବେହେରା ମନରେଗା ସଂପର୍କିତ କାଗଜପତ୍ର ଠିକ୍ ଭାବରେ ଦେଖାଇ ପାରିନଥିଲେ। ଆଜି ଜରି ପଞ୍ଚାୟତକୁ ତଦନ୍ତକାରୀ ଟିମ ଅନୁସନ୍ଧାନରେ ଯିବା କଥା ବିଶେଷ ସୂତ୍ରରୁ ଜଣାପଡ଼ିଛି।

Related Posts