ଦେଶବ୍ୟାପୀ ଆରମ୍ଭ ହୋଇଯାଇଛି ୧୫ରୁ ୧୮ ବର୍ଷ ବୟସର କିଶୋର କିଶୋରୀଙ୍କୁ କୋଭିଡ୍ ଟିକା ପ୍ରଦାନ କାର୍ଯ୍ୟ | କେନ୍ଦ୍ର ସରକାରଙ୍କ ପୂର୍ବ ନିଷ୍ପତ୍ତି ଅନୁଯାୟୀ ସୋମବାରଠାରୁ ଏହି ଟୀକାକରଣ ପକ୍ରିୟା ଆରମ୍ଭ ହୋଇଛି । ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ୍ ଟିକାକୁ ଅନୁମତି ମିଳିଛି । ପ୍ରଥମ ଦିନରେ ଦେଶରେ ଏହି ବୟସ ବର୍ଗର ପ୍ରାୟ ୪୦ ଲକ୍ଷ ପିଲାଙ୍କୁ ଟିକାର ପ୍ରଥମ ଡୋଜ୍ ଦିଆଯାଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡିଛି ।
ଓଡିଶାରେ ୮୦ ହଜାର ୧୨୯ ପିଲା ପ୍ରଥମ ଡୋଜ ଟିକା ନେଇଛନ୍ତି । ରାଜ୍ୟରେ ପିଲାଙ୍କୁ ଟିକା ଦେବାକୁ ୩ହଜାର ୧୯୩ ଟିକା କେନ୍ଦ୍ରରେ ଟିକାଦାନ କେନ୍ଦ୍ର ଖୋଲାଯାଇଛି । କିଶୋରଙ୍କ ଟିକାକରଣ ପାଇଁ ସ୍ୱତନ୍ତ୍ର କେନ୍ଦ୍ର କରାଯାଇଥିବା ବେଳେ, ଯେଉଁ କେନ୍ଦ୍ର ଗୁଡିକରେ ପୂର୍ବରୁ ଟିକାକରଣ ଚାଲିଛି ସେଠି ମଧ୍ୟ ପିଲାମାନଙ୍କୁ ଟିକା ଦିଆଯାଉଛି ।
ଚଳିତବର୍ଷ ଜାନୁଆରୀ ପହିଲାରୁ ପିଲାମାନେ କୋ-ୱିନ୍ ଆପ୍ରେ ନିଜର ନାମ ପଞ୍ଜୀକୃତ କରିଥିଲେ । ଏଥିସହିତ ଦେଶରେ କୋଭିଡ୍ ଟିକାକରଣ ପ୍ରକ୍ରିୟା ନୂତନ ଶିଖରରେ ପହଞ୍ଚିଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଅପରପକ୍ଷରେ କେନ୍ଦ୍ର ସରକାର ସୋମବାର କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ପାଇଁ ନୂତନ ଗାଇଡ୍ଲାଇନ୍ ଜାରି କରିଛନ୍ତି । ଅନୁଶାସନ ସଚିବ ପାହ୍ୟା ତଳକୁ କାର୍ଯ୍ୟରତ କର୍ମଚାରଙ୍କ ମଧ୍ୟରୁ ୫୦ ପ୍ରତିଶତଙ୍କୁ ‘ୱାର୍କ ଫ୍ରମ୍ ହୋମ୍’ ନିର୍ଦ୍ଦେଶ ଦିଆଯାଇଛି ।
ଭିନ୍ନକ୍ଷମ ଏବଂ ଗର୍ଭବତୀ ମହିଳା କର୍ମଚାରୀଙ୍କୁ ମଧ୍ୟ ଏହି ଫର୍ମାଟରେ କାର୍ଯ୍ୟ କରିବାକୁ କୁହାଯାଇଛି । କଣ୍ଟେନମେଣ୍ଟ ଜୋନ୍ରେ ରହୁଥିବା କର୍ମଚାରୀଙ୍କୁ ଅଫିସ ଆସିବାକୁ ମନା କରାଯାଇଛି । କାର୍ଯ୍ୟାଳୟରେ ଭିଡ ନଜମାଇବାକୁ କର୍ମଚାରୀଙ୍କ କାର୍ଯ୍ୟ ନିର୍ଘଣ୍ଟକୁ ବୃଦ୍ଧି କରାଯାଇଛି। ଜାନୁଆରୀ ୩୧ ପର୍ଯ୍ୟନ୍ତ ସରକାରୀ କାର୍ଯ୍ୟାଳୟରେ ବାୟୋମେଟ୍ରିକ ଉପସ୍ଥାନ ବ୍ୟବସ୍ଥାକୁ ମଧ୍ୟ ବାତିଲ କରାଯାଇଛି ।