ପ୍ରଥମେ ସମାଲୋଚନା ଏବେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କୁ ପ୍ରଶଂସା କଲେ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ

ନୂଆଦିଲ୍ଲୀ: ପଞ୍ଜାବରେ କଂଗ୍ରେସ ର ପରାଜୟ ପରେ ବିଜୟ ଦଳ ଓ କଂଗ୍ରେସ ମଧ୍ୟରେ ଜାରି ରହିଛି ବାକ ଯୁଦ୍ଧ | କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ ଦିନକ ପୂର୍ବରୁ ସିଦ୍ଧୁ ପଞ୍ଜାବ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିବା ବେଳେ, ଏବେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କୁ ପ୍ରଶଂସା କରିଛନ୍ତି। ମାନ୍‌ ଜଣେ ସଚ୍ଚୋଟ ବ୍ୟକ୍ତି ଓ ଦଳୀୟ ରାଜନୀତିରୁ ଉର୍ଦ୍ଧ୍ୱରେ ରହି ସେ ପଞ୍ଜରବ ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ କାର୍ଯ୍ୟକୁ ସମର୍ଥନ କରିବେ ବୋଲି ସିଦ୍ଧୁ କହିଛନ୍ତି।

ପଞ୍ଜାବ ସରକାରଙ୍କ ନିର୍ଦ୍ଦେଶକ୍ରମେ ପୁଲିସ୍‌ ପୂର୍ବତନ ଆପ୍‌ ନେତା କୁମାର ବିଶ୍ୱାସ ଓ ଅଳକା ଲାମ୍ବାଙ୍କ ବିରୋଧରେ ମାମଲା କରିଥିବାରୁ ସିଦ୍ଧୁ ଏହାକୁ କଟାକ୍ଷ କରିଥିଲେ। ପଞ୍ଜାବ ସରକାର ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନିର୍ଦ୍ଦେଶରେ କାମ କରୁଥିବା ସିଦ୍ଧୁ ଅଭିଯୋଗ କରିଥିଲେ।

ହେଲେ ଦିନକ ପରେ ସିଦ୍ଧୁ ଖୋଲାଖୋଲା ଭାବେ ମୁଖ୍ୟମନ୍ତ୍ରୀ ମାନଙ୍କୁ ପ୍ରଶଂସା କରିଛନ୍ତି। ସିଦ୍ଧୁ କହିଛନ୍ତି, “ପଞ୍ଜାବରେ କ୍ଷମତାକୁ ଫେରିବାକୁ ହେଲେ କଂଗ୍ରେସକୁ ପୁଣିଥରେ ନୂଆ କରି କାମ ଆରମ୍ଭ କରିବାକୁ ପଡ଼ିବ। ରାଜ୍ୟରେ ମାଫିଆ ଓ ସଚ୍ଚୋଟ ବ୍ୟକ୍ତିଙ୍କ ମଧ୍ୟରେ ଲଢ଼େଇ ହେଉଛି। ମୁଁ ସବୁବେଳେ ମୁଖ୍ୟମନ୍ତ୍ରୀ ମାନଙ୍କୁ ମୋ ସାନ ଭାଇ ଭାବେ ବିବେଚନା କରେ।

ସେ ଜଣେ ସଚ୍ଚୋଟ ବ୍ୟକ୍ତି। ମୁଁ କେବେ ହେଲେ ତାଙ୍କୁ ଅଙ୍ଗୁଳି ନିର୍ଦ୍ଦେଶ କରିନି। ଯଦି ସେ ମାଫିଆଙ୍କ ବିରୋଧରେ ଲଢ଼େଇ କରିବେ, ତା’ହେଲେ ମୋ ସମର୍ଥନ ତାଙ୍କ ସହ ରହିଛି। ମୁଁ ଦଳୀୟ ରାଜନୀତିକୁ ଉପରକୁ ଯିବାକୁ ପ୍ରସ୍ତୁତ। କାରଣ ଏହା ପଞ୍ଜାବର ସ୍ୱାର୍ଥ ପାଇଁ ଗୋଟିଏ ଲଢ଼େଇ।”

ଦିନକ ପୂର୍ବରୁ ସିଦ୍ଧୁ ଗୋଟିଏ କାର୍ଟୁନ ଶେୟାର କରିଥିଲେ। ଏଥିରେ ମୁଖ୍ୟମନ୍ତ୍ରୀ ମାନ ଗୋଟିଏ ସ୍କୁଟର ଉପରେ ଛିଡ଼ା ହୋଇଥିବା ବେଳେ ଏଥିରେ ପଞ୍ଜାବ ସରକାର ଲେଖାଯାଉଛି। ହେଲେ ଏହାକୁ ଅରବିନ୍ଦ କେଜ୍ରିୱାଲ ଚଳାଉଥିବା ଦୃଶ୍ୟ ରହିଥିଲା। ସିଦ୍ଧୁ କାର୍ଟୁନ ସହ ଲେଖିଥିଲେ ଯେ ପଞ୍ଜାବ ସରକାର ଅରବିନ୍ଦ କେଜ୍ରିୱାଲଙ୍କ ଚାବି ଦିଆ କଣ୍ଢେଇ ଭାବେ ପରିଚାଳିତ ହେଉଛି।

Related Posts