ଚାଷୀଙ୍କୁ ଯୋଗୀ ସରକାରଙ୍କ ପକ୍ଷରୁ ନୂଆ ବର୍ଷ ଉପହାର

ଆଗକୁ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ । ତେବେ ନିର୍ବାଚନ ପୂର୍ବରୁ ନିର୍ବାଚନୀ ଚାଲ୍ ଖେଳିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଜାନୁଆରୀରୁ ଚାଷୀଙ୍କ ବିଦ୍ୟୁତ୍ ଶୁଳ୍କ ଅଧା କରିବା ନେଇ ଘୋଷଣା କରିଛନ୍ତି। ଫଳରେ ଚାଷୀଙ୍କ ବିଦ୍ୟୁତ୍ ବିଲ୍ ୫୦ ପ୍ରତିଶତ ହ୍ରାସ ପାଇବ। ସରକାରଙ୍କ ଏହି ନିଷ୍ପତ୍ତି ପାୱାର କର୍ପୋରେସନ ଉପରେ ୧୦୦୦ କୋଟି ଟଙ୍କାର ରାଜସ୍ୱ ବୋଝ ପଡ଼ିବ। ପ୍ରାୟ ୧୩ ଲକ୍ଷ ଚାଷୀ ଏଥିରେ ଉପକୃତ ହେବେ । ପାୱାର କର୍ପୋରେସନର ଏହି କ୍ଷତି ରାଜ୍ୟ ସରକାର ବହନ କରିବେ ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଗୁରୁବାର ଟ୍ୱିଟ୍ କରି ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦିଆଯାଇଛି। ନୂଆ ନିଷ୍ପତ୍ତି ଅନୁଯାୟୀ ୟୁନିଟ୍ ପିଛା ୨ଟଙ୍କା ମୂଲ୍ୟରେ ବିଲ୍ ଏବେ ୧ ଟଙ୍କା ହେବ। ଫିକ୍ସ ଚାର୍ଜ ୭୦ ଟଙ୍କା ବଦଳରେ ୩୫ ଟଙ୍କା ହେବ। ଏହି ନିଷ୍ପତ୍ତି ପରେ ଉପଭୋକ୍ତା ପରିଷଦ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଯାଇଛି । ପୂର୍ବରୁ ୩୦୦ ୟୁନିଟି ପର୍ଯ୍ୟନ୍ତ ମାଗଣା ବିଜୁଳି ଦେବାକୁ ଘୋଷଣା କରିଛନ୍ତି ଉତ୍ତରପ୍ରଦେଶ ସମାଜବାଦି ପାର୍ଟ(ଏସପି) ମୁଖ୍ୟ ଅଖିଳେଶ ଯାଦବ।

ଏସପି କ୍ଷମତାକୁ ଫେରିଲେ ଏହି ସୁବିଧା ପ୍ରଦାନ କରାଯିବ ବୋଲି ଲକ୍ଷ୍ନୌରେ ଏକ ସଭାରେ ଯୋଗ ଦେଇ କହିଛନ୍ତି ଅଖିଳେଶ। ସେ କହିଛନ୍ତି ଯେ, ଘରୋଇ ଉପଭୋକ୍ତାମାନଙ୍କୁ ୩୦୦ ୟୁନିଟି ପର୍ଯ୍ୟନ୍ତ ବିଜୁଳି ମାଗଣା ଦିଆଯିବ। ସେହିପରି ଚାଷୀମାନଙ୍କୁ ଜଳସେଚନ ପାଇଁ ସମ୍ପୂର୍ଣ୍ଣ ମାଗଣା ବିଜୁଳି ପ୍ରଦାନ କରାଯିବ । ଦିଲ୍ଲୀରେ ଆମ ଆଦମି ପାର୍ଟିକୁ ଅନୁସରଣ କରି ଅଖିଳେଶ ଏହି ସ୍କିମ ଘୋଷଣା କରିଥିବା କୁହାଯାଉଛି। ଦିଲ୍ଲୀରେ କେଜ୍ରିୱାଲ ସରକାର ୩୦୦ ୟୁନିଟି ପର୍ଯ୍ୟନ୍ତ ମାଗଣା ବିଜୁଳି ମାଗଣା ଦେଉଛନ୍ତି।

Related Posts