ଆଜିଠୁ ପାଗରେ ପରିବର୍ତ୍ତନ: ଆସନ୍ତା ୧୪ ତାରିଖ ଯାଏ ବର୍ଷା ହେବାର ସମ୍ଭାବନା

ଆଜିଠାରୁ ରାଜ୍ୟର ପାଗରେ ଦେଖାଯିବ ପରିବର୍ତ୍ତନ । ଆସନ୍ତା ୧୪ ତାରିଖ ଯାଏ ବର୍ଷା ହେବାର ସମ୍ଭାବନା ରହିଛି। ପଶ୍ଚିମା ଝଡ଼ର ପ୍ରଭାବରେ ରାଜ୍ୟରେ ବର୍ଷା ହେବ । ପାଗ କୋହଲା ରହିବା ସହ ବାୟୁମଣ୍ଡଳରେ ଆର୍ଦ୍ରତା ବଢ଼ିବ ଓ ବର୍ଷା ହେବ। ଫଳରେ ରାଜ୍ୟର ପାରଦସ୍ତର ଉପରମୁହାଁ ହେବ। ଶୀତ କମିଯିବ।

ଆଜି ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଆଦି ଜିଲ୍ଲାର କିଛି ସ୍ଥାନରେ ବର୍ଷା ମଧ୍ୟ ଆରମ୍ଭ ହୋଇଯିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ପାଣିପାଗ କେନ୍ଦ୍ର କହିଛି ଯେ ଗତ ୨୪ ଘଣ୍ଟାରେ ରାଜ୍ୟର ପାଗ ଶୁଖିଲା ଓ ଖରାଟିଆ ରହିଥିଲା। ଶନିବାର ସକାଳେ କୋରାପୁଟ, ଗଜପତି, କଳାହାଣ୍ଡି, ପୁରୀ ଓ ଅନୁଗୁଳ ଆଦି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦେଖିବାକୁ ମିଳିଛି। ଫୁଲବାଣୀରେ ୧୦ ଡିଗ୍ରି, ଦାରିଙ୍ଗବାଡ଼ିରେ ୮ ଡିଗ୍ରି ସେଲ୍‌ସିୟସ୍‌, ଭୁବନେଶ୍ବରରେ ୧୪ ଡିଗ୍ରି ସେଲ୍‌ସିୟସ୍‌ ଲେଖାଏ ରାତି ତାପମାତ୍ରା ରେକର୍ଡ ହୋଇଛି। ପଶ୍ଚିମା ଝଡ଼ ପ୍ରଭାବରେ ଆସନ୍ତା ୧୧ରୁ ୧୪ ତାରିଖ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହୋଇପାରେ।

ବରଗଡ଼, ବଲାଙ୍ଗୀର, ସୋନପୁର, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ଦେବଗଡ଼ ଆଦି ଜିଲ୍ଲାରେ ୧୧ ତାରିଖରେ କୁଆପଥର ବର୍ଷା ହେବାର ପୂର୍ବାନୁମାନ ରହିଥିବା ବେଳେ କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୁଳ, କଟକ ଓ ନୟାଗଡ଼ ଆଦି ଜିଲ୍ଲାରେ ୧୨ ତାରିଖ ଦିନ ପ୍ରବଳ ବର୍ଷା ସହ କୁଆପଥର ମାଡ଼ର ଅଧିକ ସମ୍ଭାବନା ରହିଛି। ୧୩ ଓ ୧୪ ତାରିଖରେ ମଧ୍ୟ ପଶ୍ଚିମା ଝଡ଼ ଯୋଗୁଁ କିଛି କିଛି ସ୍ଥାନରେ ହାଲ୍‌କା ବର୍ଷା ହୋଇପାରେ। ଭୁବନେଶ୍ବରରେ ୧୧ ଓ ୧୨ ତାରିଖରେ ବର୍ଷା ହେବାର ସମ୍ଭବାନା ରହିଛି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

Related Posts