ଆଜିଠୁ ଆରମ୍ଭ କୋରାପୁଟରେ ଇକୋ ରିଟ୍ରିଟ

ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ କୋରାପୁଟରେ ପ୍ରଥମ ଥର ପାଇଁ ଆରମ୍ଭ ହେବାକୁ ଯାଉଛି ଇକୋ ରିଟ୍ରିଟ । ସମସ୍ତ ବ୍ୟବସ୍ଥାର ପ୍ରସ୍ତୁତି ଶେଷ ହୋଇଛି । କୋରାପୁଟର ଦେଓମାଳି ପର୍ବତର ଏକ ଅଂଶ ଭାବେ ପ୍ରକୃତିର କୋଳରେ ସୌନ୍ଦର୍ଯ୍ୟ ବାଣ୍ଟୁଥିବା ପୁଟସିଲ ଓ ଫୁଲବନ୍ଧ ଗାଁ ମଝିରେ ଥିବା ସୁଉଚ୍ଚ ପର୍ବତ ଗିର୍ଲିମାଳି ଉପରେ ଏକ ବିସ୍ତୀର୍ଣ୍ଣ ସମତଳ ଟାପୁରେ ଇକୋ ରିଟ୍ରିଟ ଆୟୋଜନର ଆଶ୍ରୟ ସ୍ଥଳୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କଂଫେରେନ୍ସିଂ ମାଧ୍ୟମରେ ଉଦଘାଟନ କରିବେ । ଏହି ମନୋରମ ସ୍ଥାନରେ ରାତ୍ରୀ ଯାପନ କରିବା ପାଇଁ ଉନ୍ନତ ମାନର ଟେଣ୍ଟରେ ରହଣୀର ବ୍ୟବସ୍ଥା କରାଯାଇଥିବା ବେଳେ ଦେଓମାଳି ପର୍ବତାରୋହଣ ସାଙ୍ଗକୁ ପର୍ଯ୍ୟଟକ ଆଖପାଖ ଅଞ୍ଚଳ ବୁଲିଦେଖିବାର ସୁଯୋଗ ପାଇବେ ବୋଲି ଜିଲ୍ଲାପାଳ ଅବଦଲ ଅକ୍ତର ସୂଚନା ଦେଇଛନ୍ତି । ଏହା ମାର୍ଚ୍ଚ ଶେଷ ଯାଏ ଚାଲିବ । ଏଥିପାଇଁ କୋରାପୁଟ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ପର୍ଯ୍ୟଟନ ବିଭାଗ ସବୁ ବ୍ୟବସ୍ଥା କରି ବୁକିଂ ଆରମ୍ଭ କରିଛି। ତାରକା ହେଟେଲ ପରି ସବୁ ସୁବିଧା ରହିଛି । କୋରାପୁଟିଆ ସାଂସ୍କୃ୍ତିକ କାର୍ଯ୍ୟକ୍ରମ, ଟୁର ଗାଇଡ୍‌, ପାହାଡ ଚଢା ବା ଟ୍ରେକିଂ, ସ୍ୟାଣ୍ଡ ଆର୍ଟ, ଯୋଗ, ଏଟିଭି, ରାଇଫଲ ସୁଟିଂ ଓ ତୀରନ୍ଦାଜୀ ପରି ମନୋରଞ୍ଜନ ସୁବିଧା ମିଳିବ । ତେବେ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ସବୁ ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାସ୍ତାଘାଟ ସହ ପାନୀୟଜଳର ସୁବିଧା କରାଯାଇଛି। ୨୪ ଘଣ୍ଟିଆ ସୁରକ୍ଷା ସେବା ପ୍ରଦାନ କରିବାକୁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ରହିଛି। କୋରାପୁଟିଆ ଖାଦ୍ୟ ଭଣ୍ଡାର ପର୍ଯ୍ୟଟକଙ୍କ ମନମୋହିବ ବୋଲି ଆଶା କରାଯାଉଛି।ଜିଲ୍ଲାପାଳ ଅବଦଲ ଅକ୍ତର ଓ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ଗିର୍ଲିମାଳି ଗସ୍ତ କରି ଉଦଘାଟନ ଉତ୍ସବର ପ୍ରସ୍ତୁତିର ସମୀକ୍ଷା କରିଥିଲେ ।

Related Posts